No Result
View All Result
୨୨ ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର :-> ଚିକିଟି ମଦ ମୃତ୍ୟୁ ଘଟଣାକୁ ନେଇ ଆଜି ବିଧାନସଭାରେ ବିଜେଡି ଓ କଂଗ୍ରେସ ସଦସ୍ୟମାନେ ପ୍ରବଳ ହଟ୍ଟଗୋଳ କରିଥିଲେ ଫଳରେ ବାଚସ୍ପତିଙ୍କୁ ଗୃହକୁ ବାରମ୍ବାର ମୁଲତବୀ କରିବାକୁ ପଡିଥିଲା। ଆଜି ପ୍ରଶ୍ନକାଳ ଆରମ୍ଭ ହେବା କ୍ଷଣି ବିଜେଡ଼ି ଓ କଂଗ୍ରେସ ବିଧାୟକମାନେ ଗୃହର ମଧ୍ୟଭାଗକୁ ଚାଲିଆସି ପ୍ରବଳ ହଟ୍ଟଗୋଳ ଆରମ୍ଭ କରିଥିଲେ ।
ଫଳରେ ବାଚସ୍ପତି ପ୍ରଥମେ ୧୧.୩୦ ମିନିଟ୍ ଏବଂ ପରେ ୧୫ ମିନିଟ୍ ପାଇଁ ଗୃହକୁ ମୁଲତବୀ କରିଥିଲେ ଓ ପରେ ବିଧାନସଭାକୁ ଅପରାହ୍ନ ୪ଟା ଯାଏ ମୁଲତବୀ କରିଥିଲେ। ଅପରାହ୍ନ ଅଧିବେଶନରେ ମଧ୍ୟ ଗୃହରେ ସମାନ ପରିସ୍ଥିତି ଜାରି ରହିଥିଲା । ତେବେ ବିରୋଧି ଦଳ ସଦସ୍ୟଙ୍କ ଅନୁପସ୍ଥିତିରେ ରାଜସ୍ୱ, ବିପର୍ଯ୍ୟୟ ଓ ପରିଚାଳନା ବିଭାଗର ଖର୍ଚ୍ଚ ଦାବି ଆଲୋଚନା ହୋଇଥିଲା ।
ଆଜି ଚିକିଟି ମଦମୃତ୍ୟୁ ଘଟଣାରେ ଅବକାରୀ ମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରି ଉଭୟ କଂଗ୍ରେସ ଓ ବିଜେଡି ସଦସ୍ୟ ମାନେ ପ୍ରବଳ ହଟ୍ଟଗୋଳ କରିଥିଲେ । ଆଲୋଚନା ପାଇଁ ଆଜି ଜଳ ସମ୍ପଦ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା, ଇସ୍ପାତ ଓ ଖଣି, ଯୋଜନା ଓ ସଂଯୋଜନ, ବାଣିଜ୍ୟ, ସୂଚନା ଓ ଲୋକ ସମ୍ପର୍କ ଏବଂ ପରିବହନ ବିଭାଗ ସମ୍ପର୍କିତ ମୋଟ ୩୦ଟି ପ୍ରଶ୍ନାବଳୀ ଆସିଥିଲା । ତେବେ ପ୍ରବଳ ହଟ୍ଟଗୋଳ ଯୋଗୁ ଜଳ ସମ୍ପଦ ବିଭାଗ ସଂକ୍ରାନ୍ତୀୟ ଗୋଟିଏ ପ୍ରଶ୍ନର ଉତ୍ତର ଦେବା ସମ୍ଭବ ହୋଇପାରିଥିଲା ।
ଅନ୍ୟପକ୍ଷରେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ରାଜସ୍ୱ, ବିପର୍ଯ୍ୟୟ ପରିଚାଳନା ବିଭାଗର ୨୦୨୪-୨୫ ଆର୍ଥିକ ବର୍ଷ ନିମନ୍ତେ ମୋଟ ୧୭୬୮କୋଟି ୫୪ଲକ୍ଷ ୨୫ ହଜାର ଟଙ୍କାର ଖର୍ଚ୍ଚ ଦାବି ଗୃହରେ ଆଗତ କରିଥିଲେ । ଗୃହରେ କେବଳ ଶାସକ ଦଳର ସଦସ୍ୟମାନଙ୍କ ଉପସ୍ଥିତିରେ ରାଜସ୍ୱ, ବିପର୍ଯ୍ୟୟ ପରିଚାଳନା ବିଭାଗ ସମ୍ପର୍କିତ ଖର୍ଚ୍ଚ ଦାବି ଆଲୋଚନା ହୋଇଥିଲା ।
No Result
View All Result