ଭୁବନେଶ୍ଵର (ଓଡିଶା ତାଜା ନିଉଜ୍) ଭୁବନେଶ୍ୱର -: ମହିଳାମାନେ ହେଉଛନ୍ତି ବିକାଶର ସୂତ୍ରଧର । ରାଜନୈତିକ ପ୍ରକ୍ରିୟାରେ ସେମାନଙ୍କ ଭାଗିଦାରୀ ବୃଦ୍ଧି ପାଇଲେ କେବଳ ରାଜନୀତି କ୍ଷେତ୍ରର ବିକାଶ ହେବନାହିଁ ଦେଶର ଅର୍ଥନୀତି ମଧ୍ୟ ବିକଶିତ ହୋଇପାରିବ । ପିପୁଲ୍ସ କଲଚରାଲ ସେଣ୍ଟର (ପିକକ) ଓ ଦି ହଙ୍ଗର ପ୍ରୋଜେକ୍ଟର ମିଳିତ ଆନୁକୂଲ୍ୟରେ ବୋଲଗଡ ଓ ବାଲିଅନ୍ତା ବ୍ଲକର ନିର୍ବାଚିତ ମହିଳା ପଞ୍ଚାୟତ ପ୍ରତିନିଧିଙ୍କୁ ନେଇ ଗଠିତ ଅଲିଭା ମହାସଂଘର ଏକ ମତାମତ ବିନିମୟ କାର୍ଯ୍ୟକ୍ରମରେ ଯୋଗଦେଇଥିବା ବିଶିଷ୍ଟ ବକ୍ତାମାନେ ଏଭଳି ମତ ଦେଇଛନ୍ତି । ପୂର୍ବତନ ମବୀ ତଥା ବିଧାୟକ ଅରବିନ୍ଦ ଢାଲି ବୈଠକକୁ ଉଦ୍ଘାଟନ କରି କହିଲେ ଯେ ଶାସନ କ୍ଷେତ୍ରରେ ମହିଳାମାନଙ୍କ ଭାଗିଦାରୀ ବୃଦ୍ଧି ପାଇଲେ ଦେଶର ଅର୍ଥନୀତିର ବିକାଶ ହୋଇପାରିବ । ଦେଶର ପ୍ରଗତିରେ ନିଶା ପ୍ରମୁଖ ବାଧକ ହୋଇଥିବାବେଳେ ମହିଳାମାନେ ନିଶା ନିବାରଣ କ୍ଷେତ୍ରରେ ଚଳାଇଥିବା ଅଭିଯାନ ଉଲ୍ଲେଖନୀୟ । ବିଧାୟକ ଅନନ୍ତ ନାରାୟଣ ଜେନା ଯୋଗଦେଇ କହିଥିଲେ ଯେ ମହିଳା ଲୋକପ୍ରତିନିଧିମାନେ ସର୍ବଦା ଶୃଙ୍ଖଳା ଓ ଶାନ୍ତି ପାଳନ କରିବା ଆବଶ୍ୟକ । ପଞ୍ଚାୟତ ପ୍ରତିନିଧିମାନଙ୍କୁ ଯେତିକି ଦାୟିତ୍ୱ ମିଳିଛି ସେହି ଅନୁଯାୟୀ କାମ କରିବାକୁ ଶ୍ରୀ ଜେନା ପରାମର୍ଶ ଦେଇଥିଲେ । ଏହି ଅବସରରେ ପଞ୍ଚାୟତ ପ୍ରତିନିଧିମାନେ ସେମାନଙ୍କ ପ୍ରୋତ୍ସାହନ ରାଶି ବୃଦ୍ଧି, ବିଭିନ୍ନ ଉନ୍ନୟନ ଯୋଜନାର ଅର୍ଥ ଠିକଣା ସମୟରେ ମିଳିବା, ପଞ୍ଚାୟତ ନିର୍ବାଚନରେ ଦୁଇ ସନ୍ତାନ କଟକଣା ଉଚ୍ଛେଦ, ପଞ୍ଚାୟତରେ ବିବାହ ପଞ୍ଜିକରଣ ବାଧ୍ୟତାମୂଳକ କରିବା, ପିଲାମାନଙ୍କ ପାଇଁ ପଞ୍ଚାୟତରେ ପାର୍କ ନିର୍ମାଣ ଉଠାଇଥିବା ୧୪ ଦଫା ଦାବି ସଂକ୍ରାନ୍ତରେ ସେ ସରକାରଙ୍କ ସହିତ ଆଲୋଚନା କରିବେ ବୋଲି କହିଥିଲେ ।