ଓଡିଶା ତାଜା ନ୍ୟୁଜ୍ (୦୯ ଅଗଷ୍ଟ ରବିବାର) ଗଜପତି :- କରୋନା ସଙ୍କଟରେ ବଞ୍ଚିବାର ରାହା ନ ପାଇ ଦାଦନକୁ ଫେରିଲେ ଶ୍ରମିକ। ସଂକ୍ରମଣରୁ ରକ୍ଷା କରିବାକୁ ବହୁ ଅର୍ଥ ବ୍ୟୟ ଓ ପରିଶ୍ରମ କରି ନିଜ ଭିଟାମାଟିକୁ ଫେରାଇ ଆଣିଥିଲେ ସରକାର । ବ୍ଲକ ସ୍ତରରେ ସେମାନଙ୍କୁ କାମ ଯୋଗାଇବାକୁ ମନରେଗା ଯୋଜନାରେ ସାମିଲ କରାଯିବା କଥା କୁହାଗଲା । ତେବେ ଗୁଜୁରାଣ ନପାଇ ପୁଣି ବାଧ୍ୟ ହୋଇ ବିଦେଶ ମୁହାଁ ହେଲେ ଦାଦନ ଶ୍ରମିକ । ଏହିପରି ଏକ ସମ୍ବେଦନଶୀଳ ଘଟଣା ଘଟିଛି ଗଜପତି ଜିଲ୍ଲା ରା ଉଦୟଗିରି ବ୍ଲକ ଅଞ୍ଚଳରୁ । ଦୁଇଟି ବସ ଯୋଗେ ବହୁ ସଂଖ୍ୟକ ଶ୍ରମିକ ରା ଉଦୟଗିରି ବ୍ଲକ ଅନ୍ତର୍ଗତ ବିଭିନ୍ନ ଗ୍ରାମରୁ କର୍ଣ୍ଣାଟକ ଅଭିମୁଖେ ଯାଉଥିବା ଦେଖିବାକୁ ମିଳିଛି। ପୂର୍ବରୁ ଅଞ୍ଚଳର କିଛି ଶ୍ରମିକ କର୍ଣ୍ଣାଟକର ବିଭିନ୍ନ ସ୍ଥାନରେ ଦାଦନ ଖଟିବାକୁ ଯାଇଥିଲେ । କରୋନା କଟକଣାରେ ସମସ୍ତ କାମଧନ୍ଦା ବନ୍ଦ ହେବାପରେ ଜୀବନ ବଞ୍ଚାଇବାକୁ ପରିବାର ଲୋକଙ୍କ ପାଖକୁ ଫେରି ଆସିଥିଲେ । ସରକାର ମଧ୍ୟ ନିଜ ମାଟିକୁ ଫେରି ଆସିବାକୁ ସହଯୋଗ କରିଥିଲେ ।
ତେବେ କରୋନା ଭୟାବହକୁ ପଛରେ ପକାଇ ଜୀବନ ଜୀବିକା ପାଇଁ ପୁଣି ପରିବାର ଲୋକଙ୍କ ଠାରୁ ବିଦାୟ ନେଇ ବାହାରି ପଡିଲେ ସୁଦୂର କର୍ଣ୍ଣାଟକ। ସାଥିରେ ଅଧିକ ଶ୍ରମିକ ସାମିଲ ହୋଇ ଯାଉଥିବା ଜଣାପଡିଛି । ଆଗକୁ ଆହୁରି ଅଧିକ ସଂଖ୍ୟକ ଦାଦନ ଶ୍ରମିକ ରାଜ୍ୟ ବାହାରକୁ ଯିବାକୁ ବାଧ୍ୟ ହେବେ ବୋଲି ମତ ରଖିଛନ୍ତି ଶ୍ରମିକ । ଅନ୍ୟ ପକ୍ଷରେ ସରକାର ପ୍ରବାସୀଙ୍କୁ ରୋଜଗାର କ୍ଷମ କରିବା ସହ ଏପରିକି କରୋନା କଟକଣାରେ ମଧ୍ୟ ଶ୍ରମଭିତ୍ତିକ କାମ ଚାଲୁ ରଖିବାକୁ ଗୁରୁତ୍ବ ଦେଉଛନ୍ତି । କିନ୍ତୁ କେଉଁଠି ନା କେଉଁଠି ଶ୍ରମ ବିଭାଗର ତୃଟି ରହିଛି, ଫଳରେ ସ୍ବାବଲମ୍ବୀ ହେବା ଭରସା ସୃଷ୍ଟି ହୋଇ ପାରିନି ପ୍ରବାସୀଙ୍କ ଠାରେ । ମିଳିପାରୁନି କାମଧନ୍ଦା ଫଳରେ ବାଧ୍ୟ ହୋଇ ରାଜ୍ୟ ବାହାରକୁ ଯାଉଥିବା ଅଭିଯୋଗ କରିଛନ୍ତି ଶ୍ରମିକ । ଏସଂକ୍ରାନ୍ତରେ ଜିଲ୍ଲା ଶ୍ରମ ଅଧିକାରୀଙ୍କ ସହ ଯୋଗାଯୋଗ କରିବାରୁ ତାଙ୍କ ପାଖରେ ଖବର ନଥିବା କହି ନିଜକୁ ଏଡ଼ାଇ ଦେଇଛନ୍ତି । ଅପରପକ୍ଷ ସରକାରଙ୍କ ପକ୍ଷରୁ ପ୍ରବାସୀ ଓ ଶ୍ରମିକଙ୍କୁ କାମ ଯୋଗାଇବା ପାଇଁ ମନରେଗା ମାଧ୍ୟମରେ ଓ ଅନ୍ୟାନ୍ୟ ଯୋଜନାରେ ବ୍ୟବସ୍ଥା କରାଯାଇଛି ।

ଅନେକେ ଏଥିରେ ସାମିଲ ହୋଇଛନ୍ତି । ତେବେ କେଉଁ ପରିସ୍ଥିତିରେ ପୁଣି ରାଜ୍ୟ ବାହାରକୁ ଯାଉଛନ୍ତି ଶ୍ରମିକ ତାହା ତଦନ୍ତ କରିବେ ବୋଲି କହିଛନ୍ତି ଜିଲ୍ଲାପାଳ । ପ୍ରଶାସନ ନିକଟରେ ପଞ୍ଜିକୃତ କରି ବିଶେଷ କ୍ଷେତ୍ରରେ କୁଶଳୀ ଶ୍ରମିକ ରାଜ୍ୟ ବାହାରକୁ ଯିବା ବ୍ୟବସ୍ଥା ରହିଛି କିନ୍ତୁ ସରକାର ଏତେ ଉଦ୍ୟମ କରି ଫେରାଇ ଆଣିଥିବା ସତ୍ତ୍ବେ ପ୍ରବାସୀ ଯଦି ଯିବେ ତେବେ ପ୍ରଶାସନ ଦୃଷ୍ଟି ଦେବା ଆବଶ୍ୟକ ରହିଛି ବୋଲି ମତ ଦେଇଛନ୍ତି ସାଂସଦ ଚନ୍ଦ୍ରଶେଖର ସାହୁ । ତେବେ ଜିଲ୍ଲା ଶ୍ରମ ବିଭାଗ ଦ୍ଵାରା ପଞ୍ଜିକୃତ ହୋଇ କାମ ପାଇଁ ବାହାର ରାଜ୍ୟକୁ ଜାଇ ପାରିବେ ଶ୍ରମିକ ଏଭଳି ନିୟମ ରହିଥିବା ବେଳେ କେତେ ସଚେତନ ଅଛନ୍ତି ଶ୍ରମିକ କିଭଳି କାର୍ଯ୍ୟ କରୁଛନ୍ତି ବିଭିଗିୟ ଅଧିକାରୀ ଏଠୁ ସ୍ୱଷ୍ଟ ହେଉଛି । (ରିପୋର୍ଟ- ଗରୁଡ଼ ଧ୍ୱଜ ଚୌଧୁରୀ)
















