
୨୨ ଜୁଲାଇ ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର :-> ଲୋକସଭାରେ ୨୦୨୩-୨୪ ବର୍ଷର ଅର୍ଥନୈତିକ ସର୍ଭେ ରିପୋର୍ଟ ସଂସଦରେ ଉପସ୍ଥାପିତ ହୋଇଛି । ରିପୋର୍ଟ ଅନୁସାରେ ଭାରତରେ ଜିଡିପିର ବିକାଶ ହାର ଆର୍ଥିକ ବର୍ଷ ୨୦୨୫ ଲାଗି ଅଭିବୃଦ୍ଧି ଲକ୍ଷ୍ୟ ରହିଛି ୬.୫ରୁ ୭ ପ୍ରତିଶତ। ଆର୍ଥିକ ବର୍ଷ ୨୦୨୪ ଲାଗି ଆର୍ଥିକ ଅଭିବୃଦ୍ଧି ଲକ୍ଷ୍ୟ ରହିଛି ୮.୨ ପ୍ରତିଶତ । ଆର୍ଥିକ ବର୍ଷ ୨୦୨୫ରେ ରିଜର୍ଭ ବ୍ୟାଙ୍କ ୪.୫ ପ୍ରତିଶତ ମୁଦ୍ରାସ୍ଫୀତି ଆକଳନ କରିଥିବା କହିଛନ୍ତି ନିର୍ମଳା ସୀତାରମଣ । ଗତ ଦୁଇ ବର୍ଷ ଧରି ଖାଦ୍ୟ ସାମଗ୍ରୀରେ ଦରବୃଦ୍ଧି ସମଗ୍ର ବିଶ୍ୱ ପାଇଁ ଏକ ଚ୍ୟାଲେଞ୍ଜ ହୋଇ ରହିଛି ବୋଲି କହିଛନ୍ତି ନିର୍ମଳା ସୀତାରମଣ । ସେ କହିଛନ୍ତି ଭାରତର କୃଷି କ୍ଷେତ୍ର ଖରାପ ପାଗର ଶିକାର ହୋଇଛି ।

ଜଳ ଭଣ୍ଡାରରେ ହ୍ରାସ ହେତୁ ଫସଲରେ କ୍ଷତି ହେବାରୁ ଖାଦ୍ୟ ଉତ୍ପାଦନରେ ହ୍ରାସ ଘଟାଇଥାଏ ଏବଂ ଏହି କାରଣରୁ ଖାଦ୍ୟ ସାମଗ୍ରୀର ବୃଦ୍ଧି ପାଉଛି । ବର୍ତ୍ତମାନ ମୁଦ୍ରାସ୍ଫୀତି ନିୟନ୍ତ୍ରଣକୁ ଆସିଛି ସରକାର ସ୍ବୀକାର କରୁଛନ୍ତି ଯେ ବର୍ତ୍ତମାନ କେତେକ ଖାଦ୍ୟପଦାର୍ଥର ଦର ମୁଦ୍ରାସ୍ଫୀତି ହାର ବଢିଛି । ଏହି ଅର୍ଥନୈତିକ ସର୍ଭେ ରିପୋର୍ଟ ବର୍ଷ ୨୦୨୩-୨୪ ପାଇଁ ଦେଶର ଅର୍ଥବ୍ୟବସ୍ଥା ଉପରେ ଆଲୋକପାତ କରିବା ସହ ଆଗାମୀ ବର୍ଷ ପାଇଁ ଦେଶର ଅର୍ଥବ୍ୟବସ୍ଥା କିପରି ରହିବ ତାହାର ପୂର୍ବାନୁମାନ କରିବାରେ ସହାୟତା କରିବ । କେନ୍ଦ୍ର ଅର୍ଥ ମନ୍ତ୍ରାଳୟ ଅନ୍ତର୍ଗତ ଅର୍ଥନୈତିକ ବିଭାଗ ଏହି ସର୍ଭେ ରିପୋର୍ଟ ପ୍ରସ୍ତୁତ କରିଛନ୍ତି ।

ସର୍ବଭାରତୀୟ ବାର୍ଷିକ ବେରୋଜଗାର ହାର ମଧ୍ୟ ହ୍ରାସ ପାଉଥିବା ରିପୋର୍ଟରେ କୁହାଯାଇଛି । କୋଭିଡ ପାନଡେମିକ ପରଠାରୁ ବେରୋଜଗାର ହାର ହ୍ରାସ ପାଇବାରେ ଲାଗିଛି । ଏହି ସମୟରୁ ସହରାଞ୍ଚଳ ଏବଂ ଗ୍ରାମାଞ୍ଚଳରେ ନିଯୁକ୍ତି କ୍ଷେତ୍ରର ପୁନରୁଦ୍ଧାର ହୋଇଛି । ୨୦୧୭-୧୮ରୁ ୨୦୨୨-୨୩ ପର୍ୟ୍ୟନ୍ତ ୬ ବର୍ଷ ଧରି ମହିଳା ଶ୍ରମ ଶକ୍ତି ହାର ଲଗାତାର ବୃଦ୍ଧି ପାଇ ଆସୁଛି । ବିଶେଷକରି ଗ୍ରାମାଞ୍ଚଳର ମହିଳାଙ୍କ କ୍ଷେତ୍ରରେ ଏହା ପରିଲକ୍ଷିତ ହେଉଛି । ଅନ୍ୟପଟେ ଭାରତର ବେକାରୀ ହାର ୨୦୨୨-୨୩ ମସିହାରେ ୩.୨ ପ୍ରତିଶତକୁ ହ୍ରାସ ପାଇଛି । ଆର୍ଥିକ ସର୍ଭେରେ ଭାରତର ମୁଦ୍ରାସ୍ଫୀତିକୁ କମ କରିବା ପାଇଁ ପଦକ୍ଷେପ ନିଆଯାଉଥିବା କୁହାଯାଇଛି ।















