ନିୟମିତ ହେବ ଯାଞ୍ଚ, ଖିଲାପ କଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ
ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଶୂନ୍ୟ ସହନଶୀଳତା ନୀତି
ସମସ୍ତ ଆରଟିଓଙ୍କୁ ପରିବହନ କମିସନରଙ୍କ ଚିଠି
୨୨ ଜୁଲାଇ ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର :-> ସ୍କୁଲ ବସରେ ଅଗ୍ନି ନିରାପତ୍ତା ନିୟମ ପାଳନକୁ ସୁନିଶ୍ଚିତ କରିବା ଦିଗରେ ରାଜ୍ୟ ପରିବହନ ପ୍ରାଧିକରଣ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଛି । କେନ୍ଦ୍ରୀୟ ମୋଟର ଯାନ ନିୟମ (ସିଏମ୍ଭିଆର୍) ୧୯୮୯ର ଧାରା ୧୨୫ସି ଅନୁଯାୟୀ ସମସ୍ତ ସ୍କୁଲ ବସରେ ଅଗ୍ନି ନିରାପତ୍ତା ବ୍ୟବସ୍ଥାର ସଠିକ୍ ଅନୁପାଳନ ହେବା ଅନିବାର୍ଯ୍ୟ । ଖିଲାପକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସମସ୍ତ ଆଞ୍ଚଳିକ ପରିବହନ ଅଧିକାରୀଙ୍କୁ ରାଜ୍ୟ ପରିବହନ କମିସନର ଅମିତାଭ ଠାକୁର ନିର୍ଦ୍ଦେଶ ଦେଇଛନ୍ତି । ଅଗ୍ନି ନିରାପତ୍ତା ନିୟମ ଠିକ୍ ଭାବରେ ପାଳନ ହେଉଛି କି ନାହିଁ ସେ ସଂପର୍କରେ ବିଭିନ୍ନ ସମୟରେ ରାଜ୍ୟ ପରିବହନ ପ୍ରାଧିକରଣ ପଦକ୍ଷେପ ଗ୍ରହଣ କରି ଆସିଥିବାବେଳେ ଆଗକୁ ଏହାକୁ ଅଧିକ ବ୍ୟାପକ କରିବାକୁ ନିଷ୍ପତ୍ତି ହୋଇଛି । ସ୍କୁଲ ବସ୍ଗୁଡ଼ିକର ଅଗ୍ନି ନିରାପତ୍ତା ବ୍ୟବସ୍ଥା ଉପରେ ତୀକ୍ଷ୍ଣ ନଜର ରଖାଯିବ ।

ସମସ୍ତ ଜୋନ୍ ଉପପରିବହନ ଆୟୁକ୍ତ ଏବଂ ଆଞ୍ଚଳିକ ପରିବହନ ଅଧିକାରୀମାନେ ନିୟମିତ ଭାବେ ଏହାର ଯାଞ୍ଚ କରିବେ । କୌଣସି ସ୍କୁଲ ବସ୍ ଏହାର ଉଲ୍ଲଙ୍ଘନ କଲେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପରିବହନ କମିସନର ନିର୍ଦ୍ଦେଶ ଦେଇଛନ୍ତି । ସେହିଭଳି ନିଜ ନିଜ ଅଞ୍ଚଳରେ ଏହି ନିୟମ ଅନୁପାଳନକୁ ସୁନିଶ୍ଚିତ କରିବା ନିମନ୍ତେ ମୋଟର ଯାନ ନିରୀକ୍ଷକମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ସ୍କୁଲ ବସରେ ଫାୟାର ଡିଟେକ୍ସନ୍ ଆଲାର୍ମ ସିଷ୍ଟମ୍ (ଏଫ୍ଡିଏଏସ୍), ଫାୟାର ଡିଟେକ୍ସନ୍ ସପ୍ରେସନ୍ ସିଷ୍ଟମ୍ (ଏଫ୍ଡିଏସ୍ଏସ୍) ଓ ଫାୟାର ଆଲାର୍ମ ପ୍ରୋଟେକସନ୍ ସିଷ୍ଟମ୍ (ଏଫ୍ଏପିଏସ୍) ବ୍ୟବସ୍ଥା ଆବଶ୍ୟକ ଭାବେ ଲାଗୁ କରିବାକୁ ବାଧ୍ୟତାମୂଳକ ନିୟମ ରହିଛି ।















