No Result
View All Result

ଭିତ୍ତିଭୂମିର ବିକାଶ, ପାଠାଗାର ଉନ୍ନତି କରଣ ଓ କ୍ରୀଡ଼ାର ବିକାଶକୁ ଗୁରୁତ୍ୱ; ଅକ୍ଟୋବର ୧୫ରେ ନିର୍ବାଚନ
ବୋଲଗଡ଼ (ଓଡିଶା ତାଜା ନ୍ୟୂଜ ) ନି.ପ୍ର :- ଖୋର୍ଦ୍ଧା ଜିଲ୍ଲାର ବୋଲଗଡ଼ ସଦର ମହକୁମାସ୍ଥିତ ପରମାନନ୍ଦ ମହାବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନକୁ ନେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଉତ୍ସାହ ଓ ଉଦ୍ଦୀପନା ପ୍ରକାଶ ପାଇଛି । ଆସନ୍ତା ୧୫ ତାରିଖରେ ନିର୍ବାଚନ ହେବାକୁ ଥିବାବେଳେ ମହାବିଦ୍ୟାଳୟ ପରିସରରେ ପ୍ରଚାର କାର୍ଯ୍ୟକଳାପ ଜୋର ଧରିଛି । ବିଭିନ୍ନ ପ୍ରାର୍ଥୀ ନିଜ ନିଜର ଯୋଜନା ଓ ଲକ୍ଷ୍ୟ ସମ୍ପର୍କରେ ସହପାଠୀମାନଙ୍କୁ ଅବଗତ କରାଉଥିବା ବେଳେ ଛାତ୍ର ସଂସଦ ସଭାପତି ପ୍ରାର୍ଥୀ ପ୍ରୀତମ ରଞ୍ଜନ ସ୍ୱାଇଁଙ୍କୁ ନେଇ ତାଙ୍କ ସମର୍ଥକଙ୍କ ମଧ୍ୟରେ ବିଶେଷ ଉତ୍ସାହ ଦେଖାଦେଇଛି ।

ଛାତ୍ର ସଂସଦ ନିର୍ବାଚନ କେବଳ ପଦପଦବି ପାଇଁ ପ୍ରତିଦ୍ୱନ୍ଦ୍ୱିତା ନୁହେଁ, ବରଂ ଛାତ୍ରଛାତ୍ରୀଙ୍କ ମଧ୍ୟରେ ନେତୃତ୍ୱ ଗୁଣ, ଗଣତାନ୍ତ୍ରିକ ମୂଲ୍ୟବୋଧ, ସାମାଜିକ ଦାୟିତ୍ୱବୋଧ ଓ ସାମୂହିକ ନିଷ୍ପତ୍ତି ଗ୍ରହଣର ମନୋଭାବ ବିକଶିତ କରିବାର ଏକ ଗୁରୁତ୍ୱପୂର୍ଣ୍ଣ ମାଧ୍ୟମ। ଏହି ନିର୍ବାଚନ ମାଧ୍ୟମରେ ଛାତ୍ରଛାତ୍ରୀ ନିଜର ପ୍ରତିନିଧି ବାଛିବା ସହ ମହାବିଦ୍ୟାଳୟର ଶୈକ୍ଷିକ ପରିବେଶ, ଭିତ୍ତିଭୂମି ଓ ଛାତ୍ରକଲ୍ୟାଣ ସମ୍ପର୍କିତ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ନିଜର ମତ ପ୍ରକାଶ କରିବାର ସୁଯୋଗ ପାଇଥାନ୍ତି।

ଏହି ପରିପ୍ରେକ୍ଷୀରେ ସଭାପତି ପ୍ରାର୍ଥୀ ପ୍ରୀତମ ରଞ୍ଜନ ସ୍ୱାଇଁ ଛାତ୍ରଛାତ୍ରୀଙ୍କ ସମର୍ଥନ ଲୋଡ଼ିବା ସହ ମହାବିଦ୍ୟାଳୟର ସାମଗ୍ରିକ ବିକାଶକୁ ନିଜର ପ୍ରାଥମିକତା ଦେବେ ବୋଲି ଉଲ୍ଲେଖ କରିଛନ୍ତି। ସେ ନିର୍ବାଚିତ ହେଲେ ମହାବିଦ୍ୟାଳୟରେ ରହିଥିବା ବିଭିନ୍ନ ସମସ୍ୟାର ସମାଧାନ, ଶିକ୍ଷାଦାନ ବ୍ୟବସ୍ଥାରେ ଉନ୍ନତି, ଛାତ୍ରଛାତ୍ରୀଙ୍କ ପାଠପଢ଼ା ପାଇଁ ଅଧିକ ଅନୁକୂଳ ପରିବେଶ ସୃଷ୍ଟି , ପାଠାଗାର ଉନ୍ନତି କରଣ ବ୍ୟବସ୍ଥା ଏବଂ କ୍ରୀଡ଼ାର ବିକାଶ ପାଇଁ ଆବଶ୍ୟକ ଖେଳ ସାମଗ୍ରୀ ଯୋଗାଇଦେବା ଦିଗରେ ପଦକ୍ଷେପ ନେବାକୁ ପ୍ରତିଶ୍ରୁତି ଦେଇଛନ୍ତି ।

ଏଥିସହ ମହାବିଦ୍ୟାଳୟ ପରିସରରେ ୱାଇଫାଇ ସଂଯୋଗ ସୁବିଧା ଉପଲବ୍ଧ କରାଇବା ଉପରେ ମଧ୍ୟ ସେ ଗୁରୁତ୍ୱ ଦେଇଛନ୍ତି। ବର୍ତ୍ତମାନର ଶିକ୍ଷା ବ୍ୟବସ୍ଥାରେ ପାଠପଢ଼ା ସହିତ ଅତିରିକ୍ତ ପାଠ୍ୟକ୍ରମ, କ୍ରୀଡ଼ା, ସାଂସ୍କୃତିକ କାର୍ଯ୍ୟକ୍ରମ ଓ ଆଧୁନିକ ଜ୍ଞାନକୌଶଳର ବ୍ୟବହାର ଛାତ୍ରଛାତ୍ରୀଙ୍କ ସାମଗ୍ରିକ ବିକାଶ ପାଇଁ ଅତ୍ୟନ୍ତ ଆବଶ୍ୟକ । ତେଣୁ ଏସବୁ କ୍ଷେତ୍ରରେ ଉନ୍ନତି ଆଣିବା ସହ ଛାତ୍ରଛାତ୍ରୀଙ୍କ ନ୍ୟାଯ୍ୟ ଦାବି ଓ ସମସ୍ୟାଗୁଡ଼ିକୁ ମହାବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ନିକଟରେ ଉପସ୍ଥାପନ କରିବା ଜଣେ ଛାତ୍ର ପ୍ରତିନିଧିଙ୍କ ଗୁରୁଦାୟିତ୍ୱ ବୋଲି ମତ ପ୍ରକାଶ ପାଇଛି।ଅନ୍ୟପକ୍ଷରେ ଛାତ୍ର ସଂସଦ ନିର୍ବାଚନକୁ ଶାନ୍ତିପୂର୍ଣ୍ଣ,

ଶୃଙ୍ଖଳିତ ଓ ସୌହାର୍ଦ୍ଦ୍ୟପୂର୍ଣ୍ଣ ପରିବେଶରେ ସମ୍ପନ୍ନ କରିବା ସହ ପରସ୍ପର ମଧ୍ୟରେ ସହଯୋଗ ଓ ଭାଇଚାରା ବଜାୟ ରଖିବାକୁ ଗୁରୁତ୍ୱ ଦିଆଯାଉଛି। ନିର୍ବାଚନୀ ପ୍ରତିଦ୍ୱନ୍ଦ୍ୱିତା ଯେପରି ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅସହିଷ୍ଣୁତା ସୃଷ୍ଟି ନକରେ, ସେଥିପ୍ରତି ସମସ୍ତେ ସଚେତନ ରହିବା ଆବଶ୍ୟ । ଆସନ୍ତା ୧୫ ତାରିଖରେ ହେବାକୁ ଥିବା ଏହି ନିର୍ବାଚନରେ ପରମାନନ୍ଦ ମହାବିଦ୍ୟାଳୟର ଛାତ୍ରଛାତ୍ରୀ କାହାକୁ ନିଜର ପ୍ରତିନିଧି ଭାବେ ବାଛିବେ, ତାହା ଫଳାଫଳ ଘୋଷଣା ପରେ ସ୍ପଷ୍ଟ ହେବ। ତେବେ ଛାତ୍ରଛାତ୍ରୀଙ୍କ ଆସ୍ଥା ଜିତିବା ସହ ମହାବିଦ୍ୟାଳୟର ଉନ୍ନତି ପାଇଁ କାର୍ଯ୍ୟ କରିବା ନିର୍ବାଚିତ ପ୍ରତିନିଧିଙ୍କ ପାଇଁ ମୁଖ୍ୟ ଆହ୍ୱାନ ହେବ l

No Result
View All Result