No Result
View All Result
ମହାପ୍ରଭୁ ଙ୍କର ମହାନ ଲୀଳା
୧୭ ଜୁଲାଇ ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଆମେରିକା :-> ଆଜିଠୁ ଠିକ ୪୮ବର୍ଷ ତଳର କଥା । ନିଉୟର୍କ ନଗରୀରେ ଶ୍ରୀ ଜଗନ୍ନାଥଙ୍କର ରଥଯାତ୍ରା ଆୟୋଜନ ବିଫଳ ହେବାକୁ ଯାଉଥିବା ବେଳେ ଡୋନାଲଡ ଟ୍ରମ୍ପ ଏହାକୁ ସମ୍ଭବ କରାଇଥିଲେ। ବର୍ତ୍ତମାନ ଏହି ଋଣକୁ ଶୁଝିବାର ପାଳି ବଡ଼ ଠାକୁରଙ୍କର ପଡିଲା । ସାରା ପୃଥିବୀରେ ଶ୍ରୀ ଜଗନ୍ନାଥଙ୍କର ରଥଯାତ୍ରା ଉତ୍ସବ ପାଳନ କରାଯାଉଥିବା ବେଳେ ଟ୍ରମ୍ପଙ୍କୁ ହତ୍ୟା କରିବା ପାଇଁ ଆତତାୟୀ ପକ୍ଷରୁ ହୋଇଥିବା ମରଣାତ୍ମକ ଆକ୍ରମଣରୁ ତାଙ୍କୁ ବିଶ୍ୱବ୍ରହ୍ମାଣ୍ଡର ଅଧୀଶ୍ଵର ରକ୍ଷା କଲେ।ପ୍ରକୃତରେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଏବଂ ବର୍ତ୍ତମାନର ରାଷ୍ଟ୍ରପତି ପ୍ରାର୍ଥୀ ଟ୍ରମ୍ପଙ୍କ ଉପରେ କାଳିଆ ସାଆଁନ୍ତଙ୍କର ଅଶେଷ ଆଶୀର୍ବାଦ ରହିଥିବା, ଏହି ଘଟଣାରୁ ପ୍ରମାଣିତ ହୋଇଯାଇଛି। ୧୯୭୬ ମସିହାର ଏହି ଜୁଲାଇ ମାସର ଘଟଣା। ଇସ୍କନ ତରଫରୁ ସେହି ବର୍ଷ ଏହାର ଜନ୍ମର ଦଶମ ବାର୍ଷିକୀ ବନା ଯାଉଥାଏ ।ସଂସ୍ଥାର ନିଉୟର୍କ ଶାଖା ତରଫରୁ ସେଠାରେ ପ୍ରଥମଥର ପାଇଁ ଶ୍ରୀ ଜଗନ୍ନାଥଙ୍କର ବିଶାଳକାୟ ରଥଯାତ୍ରା ଆୟୋଜନ କରାଯାଇ ଏହି ଜନ୍ମ ଜୟନ୍ତୀକୁ ମହା ସମାରୋହରେ ପାଳନ କରାଯିବାକୁ ସିଦ୍ଧାନ୍ତ କରାଯାଇଥିଲା। ବୀମା ଆଦି ସାଧାରଣ ସମସ୍ୟାକୁ ଛାଡି ଦେଲେ ଆୟୋଜକ ମାନଙ୍କ ସାମ୍ନାରେ ଦୁଇଟି ବୃହତ ଅସୁବିଧା ରହିଥିଲା l
ପ୍ରଥମଟି ହେଲା ରଥ ନିର୍ମାଣ ଏବଂ ଦ୍ୱିତୀୟରେ ପଞ୍ଚମ ଆଭେନିୟୁ ଠାରେ ଶୋଭାଯାତ୍ରା କରିବା ପାଇଁ ସ୍ୱୀକୃତି ଲାଭ କରିବା।ରଥଯାତ୍ରାର ଆରମ୍ଭ ସ୍ଥଳରେ ରଥ ନିର୍ମାଣ କରିବା ସକାଶେ ଇସ୍କନର ସଙ୍ଗଠକ ମାନେ ଏକ ଖୋଲା ଜାଗାର ଆବଶ୍ୟକତା କରୁଥିଲେ। ଏଥିପାଇଁ ପେନସିଲଭାନୀୟାର ବିସ୍ତୃତ ରେଳବାଇ ୟାର୍ଡ, ପ୍ରକୃତ ସ୍ଥଳ ହେବ ବୋଲି ବିଶେଷଜ୍ଞ ମାନେ ମତ ଦେଇଥିଲେ। ସେହି ଅନୁଯାୟୀ ଆୟୋଜକ ମାନେ ସେଠାରେ ଜାଗା ଥିବା ପ୍ରାୟ ୧୨ଜଣ ରୁ ଉର୍ଦ୍ଧ୍ବ ଜମିଦାରଙ୍କୁ ରଥ ନିର୍ମାଣ ପାଇଁ ସ୍ଥାନ ଉପଲବ୍ଧ କରିବାକୁ ବ୍ୟକ୍ତିଗତ ଭାବେ ଅନୁରୋଧ କରିଥିଲେ। ମାତ୍ର ସେମାନଙ୍କ ମଧ୍ୟରୁ କେହିବି ଏଥି ପ୍ରତି କର୍ଣ୍ଣପ୍ରାତ କରିନଥିଲେ।ସମସ୍ତେ ନିଜ ନିଜର ଜମି ବିକ୍ରୀ କରିବା ପାଇଁ ଯାଉଥିବାର ବାହାନା ବନାଇ ଇସ୍କନ କର୍ମୀ ମାନଙ୍କଠାରୁ ମୁହଁ ଫେରାଇ ନେଇଥିଲେ। ଚାରିପଟରୁ ଅସହଯୋଗ ଓ ନାକାରାତ୍ମକ ଇଙ୍ଗିତ ମିଳିବା ଯୋଗୁଁ ଆୟୋଜକମାନେ ଏକ ପ୍ରକାର ହତାଶା ଓ ନିରାଶା ରେ ଡୁବି ଯାଇଥିଲେ। ସେମାନଙ୍କର ରଥଯାତ୍ରା କରିବାର ସ୍ବପ୍ନ ଧୂଳିସାତ ହେବାକୁ ବସିଥିଲା। ଏହି ସମୟରେ ସେମାନଙ୍କୁ ଖବର ମିଳିଲା ଯେ ଡୋନାଲଡ ଟ୍ରମ୍ପ ପୁରୁଣା ରେଳବାଇ ୟାର୍ଡକୁ ମାତ୍ର କିଛି ଦିନ ତଳେ କିଣିଛନ୍ତି।
ସେତେବେଳେର ୩୦ବର୍ଷ ବୟସ୍କ ଟ୍ରମ୍ପ ଆମେରିକାର ଉଦୀୟମାନ ଜମିଜମା ବ୍ୟବସାୟୀ ମାନଙ୍କ ମଧ୍ୟରେ ଅଗ୍ରଣୀ ଥିଲେ। ଯେତେବେଳେ ଅନ୍ୟ ବଡ଼ବଡିଆ ମାନେ ମନା କରି ସାରିଛନ୍ତି , ସେତେବେଳେ ଟ୍ରମ୍ପ ବା କାହିଁକି ସେମାନଙ୍କୁ ସାହାଯ୍ୟ କରିବେ, ଏଭଳି ପ୍ରଶ୍ନ ସମସ୍ତଙ୍କ ମନରେ ଉଙ୍କି ମାରୁଥିଲା।ତେବେବି ଏକ ଶେଷ ଚେଷ୍ଟା କରିବା ପାଇଁ ଆୟୋଜକ ମାନେ ଟ୍ରମ୍ପଙ୍କ କାର୍ଯ୍ୟାଳୟରେ ଯାଇ ପହଞ୍ଚିଥିଲେ।ସାଙ୍ଗରେ ସେମାନେ ତାଙ୍କୁ ଭେଟି ଦେବା ପାଇଁ ଏକ ଖୁବ ବଡ଼ ପାତ୍ରରେ ମହାପ୍ରସାଦ ଏବଂ ଜାଗା ପାଇଁ ଦରଖାସ୍ତ ନେଇଥିଲେ।ପ୍ରଥମ ଦେଖାରେ ଟ୍ରମ୍ପଙ୍କର ସଚିବ ଏଭଳି କାର୍ଯ୍ୟ ପାଇଁ ଟ୍ରମ୍ପ ଆଦୌ ରାଜି ହେବେ ନାହିଁ ବୋଲି କହିଥିଲେ। ଟିକେ ଅଧିକ ମନାମନି କରିବା ପରେ,”ଆପଣମାନେ କହୁଛନ୍ତି, ମୁଁ ତାଙ୍କୁ ସୁପାରିଶ କରିଦେବି। କିନ୍ତୁ ଉତ୍ତରରେ ନିଶ୍ଚିତ ଭାବେ ଏକ ବଡ଼ ନା ମିଳିବ ବୋଲି ମୁଁ ଜାଣିଛି।” ଏହା ଟ୍ରମ୍ପଙ୍କର ସଚିବଙ୍କର ଉତ୍ତର ଥିଲା।ଏହା ଶୁଣିବା ପରେ ଇସ୍କନ କର୍ମୀମାନେ ହଠାତ ପ୍ରତିକ୍ରିୟା ରେ କହିଥିଲେ ଯେ, ମହାପ୍ରଭୁଙ୍କ ଉପରେ ଆମର ଅଗାଧ ବିଶ୍ୱାସ ରହିଛି, ଯାହା ତାଙ୍କର ଇଚ୍ଛା ତାହା ହିଁ ହେବ । ଏହାପରେ ସେମାନେ ଟ୍ରମ୍ପଙ୍କର ଦଫ୍ତର ରୁ ପଳାଇ ଆସିଥିଲେ। ଠିକ ତିନି ଦିନ ବିତିଗଲା ପରେ ଟ୍ରମ୍ପଙ୍କର ସଚିବଙ୍କର ଫୋନ ଆସିଲା। ସେ କହିଲେ ଯେ “ମୁଁ ଜାଣି ନାହିଁ କଣ ହେଲା ।
ଟ୍ରମ୍ପ ଆପଣ ମାନଙ୍କର ଚିଠି ପଢିଲେ ଓ ଆପଣ ଯେଉଁ ଖାଦ୍ୟ ଦେଇଥିଲେ ସେଥିରୁ ଟିକେ ଚାଖିଲେ। ଏହାପରେ ତାଙ୍କ ମୁହଁରୁ ବାହାରିଥିଲା ଯେ,ଏପରି ମହତକାର୍ଯ୍ୟ ପାଇଁ କାହିଁକି ଜାଗା ଯୋଗାଇ ନ ଦେବା ??? ରଥ ନିର୍ମାଣ ପାଇଁ ତାଙ୍କର ଖୋଲା ଜାଗାକୁ ନିଃଶୁଳ୍କ ବ୍ୟବହାର କରିବା ପାଇଁ ଟ୍ରମ୍ପ ମଞ୍ଜୁରୀ ଦେଇ କାଗଜରେ ଦସ୍ତଖତ କରିସାରିଛନ୍ତି। ଆପଣମାନେ ଆସି ଦସ୍ତାବିଜକୁ ନେଇ କାମ ଆରମ୍ଭ କରନ୍ତୁ” ବୋଲି ଟ୍ରମ୍ପ ଙ୍କର ସଚିବ କହିଲେ।ଏହା ମହାପ୍ରଭୁଙ୍କର ଚମତ୍କାର ନୁହେଁ ତ ଆଉ କଣ !!!!! ପ୍ରଥମ ପ୍ରତିବନ୍ଧକକୁ ଅତିକ୍ରମ କରିବା ପରେ ଆୟୋଜକ ମାନଙ୍କର ମନୋବଳ ବହୁଗୁଣରେ ବଢି ଯାଇଥିଲା। ଦ୍ୱିତୀୟ ସଙ୍କଟଟି ଥିଲା, ପଞ୍ଚମ ଆଭେନିୟୁରେ ଶୋଭା ଯାତ୍ରା ପାଇଁ ମଞ୍ଜୁରୀ ପ୍ରାପ୍ତି କରିବା।ଏହି କାର୍ଯ୍ୟ ତୁଲାଇବା ପାଇଁ ଇସ୍କନ ତରଫରୁ ତୋଷନ କୃଷ୍ଣ ଦାସ ଙ୍କୁ ଦାୟିତ୍ୱ ଦିଆଯାଇଥିଲା। ସେ ପୁଲିସ କର୍ତ୍ତୃପକ୍ଷଙ୍କ ନିକଟରେ ରଥଯାତ୍ରା ପାଇଁ ଅନୁମତି ପ୍ରଦାନ କରିବା ଉଦେଶ୍ୟରେ ଲିଖିତ ଭାବେ ଦରଖାସ୍ତ ଦାଖଲ କରି ସାରିଥିଲେ। ପ୍ରଥମେ ଅଧିକାରୀ ମାନେ ହଁ କହିଥିଲେ ମଧ୍ୟ ପରେ ଅନୁମତି ଦେବାକୁ ମନା କରି ଦେଇଥିଲେ। କାରଣ ପଞ୍ଚମ ଆଭେନିୟୁରେ କୌଣସି ନୂଆ ଶୋଭାଯାତ୍ରାକୁ ବାରଣ କରାଯାଇ ୧୯୬୨ ମସିହାଠାରୁ ଏଠାକାର ମେୟରଙ୍କର ଏକ ନିର୍ଦ୍ଦେଶନାମା ବଳବତ୍ତର ରହିଥିଲା।ଅନନ୍ୟୋପାୟ ହୋଇ ମହାପ୍ରଭୁଙ୍କୁ ସ୍ମରଣ କରି ତୋଷନ ମାନହଟ୍ଟନର ପୋଲିସ ମୁଖ୍ୟଙ୍କୁ ଯାଇ ଦେଖା କରିଥିଲେ।
ପୋଲିସ ମୁଖ୍ୟ ତୋଷନଙ୍କର ଦରଖାସ୍ତ କୁ ଟିକି ନିଖି ଭାବେ ପଢ଼ି ଏବଂ ସେ କରିଥିବା ନିବେଦନକୁ ତନ୍ନ ତନ୍ନ କରି ପରୀକ୍ଷା ନିରୀକ୍ଷା କରିବା ପରେ ମୁଖରେ ଏକ ସ୍ମିତ ହାସ୍ୟ ଦେଇ ଶେଷକୁ ଅନୁମତି ପତ୍ରରେ ଦସ୍ତଖତ କରିଥିଲେ। ହଠାତ ତାଙ୍କ ପାଟିରୁ ବାହାରି ପଡିଥିଲା ଯେ, “ମୁଁ ଏଭଳି କେଉଁଥି ପାଇଁ କରୁଛି ତାହା ମୁଁ ନିଜେ ଜାଣିନି”।ଅନ୍ୟାନ୍ୟ କର୍ପୋରେଟ ମାଲିକମାନଙ୍କ ପରି ଟ୍ରମ୍ପ ମଧ୍ୟ ସେମାନଙ୍କର ପ୍ରସ୍ତାବକୁ ଖାରଜ କରି ପାରି ଥାଆନ୍ତେ ।କିନ୍ତୁ ସେ ସେପରି କରି ନଥିଲେ।ପ୍ରଥମେ ଟ୍ରମ୍ପ ଏବଂ ତାପରେ ପୋଲିସ ମୂଖ୍ୟଙ୍କର ରଥଯାତ୍ରାକୁ ସାହାଯ୍ୟ କରିବା ପାଇଁ ଏଭଳି ଅଦ୍ଭୂତପୂର୍ବ ନିଷ୍ପତ୍ତି ପଛରେ ରହିଥିବା ଅଦୃଶ୍ୟ ଶକ୍ତିଙ୍କର ପ୍ରବର୍ତ୍ତାରଣା,ବାହାର ଦୁନିଆ ପାଇଁ ଏବେବି ରହସ୍ୟାବୃତ୍ତ ହୋଇ ରହିଛି। ସ୍ୱଭାବିକ ଭାବେ ଶ୍ରଦ୍ଧାଳୁ ମାନେ ଏହାକୁ ମହାପ୍ରଭୁଙ୍କ ଚମତ୍କାରୀତା ର ଆଖ୍ୟା ଦେଉଛନ୍ତି। ଇସ୍କନର କୋଲକାତା ଶାଖାର ଉପ-ସଭାପତି ତଥା ମୁଖପାତ୍ର ରାଧାରମଣ ଦାସ ମହାପ୍ରଭୁଙ୍କ କୃପାରୁ ଟ୍ରମ୍ପ ନିଶ୍ଚିତ ମୃତ୍ୟୁ ମୁଖରୁ ବର୍ତ୍ତି ଯାଇଛନ୍ତି ବୋଲି ସାମାଜିକ ଗଣ ମାଧ୍ୟମ ଏକ୍ସରେ ଉଲ୍ଲେଖ କରିଛନ୍ତି। ଆମେରିକାର ବାସୀନ୍ଦା ମ୍ୟାଟ ୱାଲେସ,ଐଶ୍ୱରୀକ ଶକ୍ତି ଟ୍ରମ୍ପକୁ ବଞ୍ଚାଇଲା ବୋଲି ଲେଖିଛନ୍ତି। ଟ୍ରମ୍ପ ନିଜେ ମଧ୍ୟ ତାଙ୍କର ପୁନର୍ଜନ୍ମ ଲାଭ, ଦୈଵଶକ୍ତିର ହସ୍ତକ୍ଷେପ ଯୋଗୁଁ ସମ୍ଭବପର ହେଲା ବୋଲି ସ୍ବୀକାର କରିଛନ୍ତି।ଗୁଳି ଆସିବା ସମୟରେ ସେ ସାମାନ୍ୟତମ ମୁଣ୍ଡ ହଲାଇ ନଥିଲେ ତାଙ୍କର ମୃତ୍ୟୁ ଶିରୋଧାର୍ଯ୍ୟ ଥିଲା ବୋଲି ସମସ୍ତେ ଜାଣିଛନ୍ତି। ବଡ଼ ଠାକୁର ଙ୍କର ବଡ଼ କାରନାମା ଫଳରେ ଗୁଳିଟି କେବଳ ତାଙ୍କର କାନର ଉପର ଭାଗକୁ ସ୍ପର୍ଶ କରି ଚାଲିଯାଇଥିଲା। ଏହାହିଁ ଥିଲା ମହାପ୍ରଭୁଙ୍କର ମହାନ ଲୀଳା ।
No Result
View All Result