No Result
View All Result
୧୩ ଜୁଲାଇ ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବାରିପଦା :-> ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର ୨୭ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ଆୟୋଜିତ ଏକ ସମାରୋହର କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ ଅଧ୍ୟକ୍ଷତା କରିଥିଲେ । ଓଡ଼ିଶା ସରକାରଙ୍କ ଗୃହ ନିର୍ମାଣ ଓ ନଗର ଉନ୍ନୟନ ତଥା ସାର୍ବଜନୀନ ଉଦ୍ୟୋଗ ବିଭାଗର କ୍ୟାବିନେଟ୍ ମନ୍ତ୍ରୀ ମାନ୍ୟବର ଡାକ୍ତର କୃଷ୍ଣଚନ୍ଦ୍ର ମହାପାତ୍ର ମୁଖ୍ୟ ଅତିଥି ଭାବେ, ମୟୂରଭଞ୍ଜ ସାଂସଦ ଶ୍ରୀଯୁକ୍ତ ନବଚରଣ ମାଝୀ, ବାରିପଦା ବିଧାୟକ ଶ୍ରୀଯୁକ୍ତ ପ୍ରକାଶ ସୋରେନ୍ ଓ ସାରସକଣା ବିଧାୟକ ଶ୍ରୀଯୁକ୍ତ ଭାଦବ ହାଁସଦା ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ ।
କୁଳପତି ପ୍ରଫେସର ତ୍ରିପାଠୀ ନିଜ ବକ୍ତବ୍ୟରେ ଜାତୀୟ ଶିକ୍ଷାନୀତି ୨୦୨୦କୁ ଆପଣେଇବା ସହ ପାରମ୍ପାରିକ ଜ୍ଞାନ କୌଶଳର ସୁରକ୍ଷା, ନୃତ୍ୟ, ସଙ୍ଗୀତ, ଯୋଗ, କଳା ଓ ବିଜ୍ଞାନ ଦିଗରେ ଅନୁସନ୍ଧାନ ନିମନ୍ତେ ବିଶ୍ୱବିଦ୍ୟାଳୟ ବଦ୍ଧପରିକର ବୋଲି କହିବା ସହ ଶିମିଳିପାଳକୁ ନେଇ ଏକ ଉତ୍କର୍ଷ କେନ୍ଦ୍ର, ଜନଜାତି ଅଧ୍ୟୟନ କେନ୍ଦ୍ର, ଓଡ଼ିଆ ଅସ୍ମିତାର ପୁନରୁଦ୍ଧାର ପାଇଁ ଲୁଇପାଙ୍କ ନାମରେ ଏକ ଓଡ଼ିଆ ଚେୟାର ପ୍ରତିଷ୍ଠା, ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓଙ୍କ ନାମରେ ସୂଚନା ପ୍ରଯୁକ୍ତିବିଦ୍ୟା ଚେୟାର ପାଇଁ ପ୍ରସ୍ତାବ ଉପସ୍ଥାପନ କରିଥିଲେ । ମୁଖ୍ୟ ଅତିଥି ଡାକ୍ତର କୃଷ୍ଣଚନ୍ଦ୍ର ମହାପାତ୍ର ମୟୂରଭଞ୍ଜ ଏକ ପଛୁଆ ଜିଲ୍ଲା ନୁହେଁ ବରଂ ପଣ୍ଡିତ ରଘୁନାଥ ମୁର୍ମୁ, ଲୁଇପା, ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ ବିଭିନ୍ନ ବିଶିଷ୍ଟବ୍ୟକ୍ତିଙ୍କ ନାମରେ ଆଜି ସମଗ୍ର ବିଶ୍ୱର ଦୃଷ୍ଟି ଆକର୍ଷଣ କରିଛି ବୋଲି ମତପ୍ରକାଶ କରିଥିଲେ ।
ବିଶ୍ୱବିଦ୍ୟାଳୟକୁ ଏକ ମଣିଷ ତିଆରି କାରଖାନା ରୂପେ ଅଭିହିତ କରି ଆଗାମୀ ଦିନରେ ଶିମିଳିପାଳ ଓ ଓଡ଼ିଆ ଗବେଷଣାରେ ବ୍ରତୀ ହେବାକୁ ନିବେଦନ କରିଥିଲେ । ସରକାରଙ୍କ ତରଫରୁ ବିଶ୍ୱବିଦ୍ୟାଳୟକୁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦିଆଯିବ ବୋଲି ସେ ପ୍ରତିଶୃତି ଦେଇଥିଲେ । କାର୍ଯ୍ୟକ୍ରମ ପ୍ରାରମ୍ଭରେ ଅତିଥିଗଣ ପୂଣ୍ୟଶ୍ଲୋକ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ । ପରେ କ୍ୟାମ୍ପସରେ ବୃକ୍ଷରୋପଣ କରିଥିଲେ । ବିଶ୍ୱବିଦ୍ୟାଳୟ ସମ୍ମେଳନ କକ୍ଷରେ ଆୟୋଜିତ ଏକ ସଭାରେ ପ୍ରଥମେ ବିଶ୍ୱବିଦ୍ୟାଳୟ ସଙ୍ଗୀତ ଗାନ କରାଯାଇଥିଲା । ମୟୂରଭଞ୍ଜ ଜିଲ୍ଲାର ତିନିଜଣ ବିଶିଷ୍ଟ ବ୍ୟକ୍ତିତ୍ୱଙ୍କୁ ବିଭିନ୍ନ କ୍ଷେତ୍ରରେ ଅବଦାନ ପାଇଁ ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠା ଦିବସରେ “ଭୁମି ଗୌରବ” ସମ୍ମାନରେ ସମ୍ମାନିତ କରାଯାଇଥିଲା ।
ସେମାନେ ହେଲେ ମହାରାଜା ପୂର୍ଣ୍ଣଚନ୍ଦ୍ର ସ୍ୱୟଂଶାସିତ ମହାବିଦ୍ୟାଳୟର ଅବସରପ୍ରାପ୍ତ ପ୍ରାଧ୍ୟାପିକା ଓଡ଼ିଆ ଭାଷାର ସୁନାମଧନ୍ୟ ଲେଖିକା ଡ. କବିତା ବାରିକ, ବିଶିଷ୍ଟ କ୍ରୀଡ଼ାବିତ୍ ଓ ସୁଦକ୍ଷ ସିନେ ଅଭିନେତା ଶ୍ରୀ ଅସିତ ବରଣ ପତି ଓ କାର୍ଯ୍ୟଦକ୍ଷ ପ୍ରଶାସକ ଓ ପ୍ରବୀଣ ଶିକ୍ଷାବିତ୍ ଡ. ରଜନୀକାନ୍ତ ବିଶ୍ୱାଳ, ଶେଷରେ ଛାତ୍ରଛାତ୍ରୀଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ଏହି ସମାରୋହରେ ମୟୂରଭଞ୍ଜର ବିଶିଷ୍ଟ ବ୍ୟକ୍ତିଗଣ, ବିଶ୍ୱବିଦ୍ୟାଳୟର ସମସ୍ତ ଅଧ୍ୟାପକ ଅଧ୍ୟାପିକା, କର୍ମଚାରୀବୃନ୍ଦ, ବିଶ୍ୱବିଦ୍ୟାଳୟର ବର୍ତ୍ତମାନର ଓ ପୁରାତନ ଛାତ୍ରଛାତ୍ରୀ, ନିମନ୍ତ୍ରିତ ଅତିଥି ଗଣ, ଗଣମାଧ୍ୟମ ପ୍ରତିନିଧିଗଣ ଯୋଗଦେଇଥିଲେ l
No Result
View All Result