No Result
View All Result
ରଥଯାତ୍ରା ପାଇଁ ସିଂହଦ୍ୱାର ସମ୍ମୁଖରେ ଲାଗିଲା ୩ ରଥ
ଆଜ୍ଞାମାଳ ବିଜେ ପରେ ରଥଖଳାରୁ ସିଂହଦ୍ୱାର ଅଣାଗଲା ୩ ରଥ
ନନ୍ଦିଘୋଷ, ଦର୍ପଦଳନ ପରେ ତାଳଧ୍ୱଜ ରଥ ପହଞ୍ଚିଲା
୦୬ ଜୁଲାଇ ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ପୁରୀ :-> ଶ୍ରୀମନ୍ଦିର ସିଂହଦ୍ୱାର ଆଗରେ ଦଣ୍ଡାୟମାନ ହୋଇଛି ସୁସଜ୍ଜିତ ତିନି ରଥ । ରଥ ଉପରେ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ଦର୍ଶନ ସହ ଦଉଡ଼ି ଟାଣି ଜୀବନକୁ କୃତାର୍ଥ କରିବାକୁ ଭକ୍ତପ୍ରାଣ ଉଚ୍ଛନ୍ନ। ବିରଳ ସଂଯୋଗକ୍ରମେ ୫୩ ବର୍ଷ ପରେ ଏଥର ୨ ଦିନ ଧରି ଚାଲିବ ରଥଟଣା ।

ଏଥର ବିରଳ ସଂଯୋଗ କ୍ରମେ ୧୯୭୧ ମସିହା ଭଳି ଗୋଟିଏ ଦିନରେ ନବଯୌବନ, ନେତ୍ରୋତ୍ସବ ସହ ଘୋଷଯାତ୍ରା ପଡୁଛି । ତେଣୁ ଏଥର ସଅଳ ନୀତିକାନ୍ତିକୁ ଗୁରୁତ୍ୱ ଦିଆଯାଇଛି । ମହାପ୍ରଭୁଙ୍କ ପହଣ୍ଡି ଅପରାହ୍ନ ୧ଟା ୧୦ମିନିଟରୁ ଆରମ୍ଭ ହୋଇ ୨ଟା ୩୦ରେ ସରିବ । ଏହାପରେ ୪ ଟାରେ ଛେରାପହଁରା ଓ ଅପରାହ୍ନ ୫ ଟାରେ ରଥ ଟାଣିବାକୁ ନିର୍ଘଣ୍ଟ ହୋଇଛି ନୀତି ।

ଶୃଙ୍ଖଳିତ ରଥଯାତ୍ରା ପାଇଁ ପୁରୀରେ ପୁଲିସ ପ୍ରଶାସନର ଅସମ୍ଭବ ସୁରକ୍ଷା ବ୍ୟବସ୍ଥା। କାରଣ ରାଷ୍ଟ୍ରପତିଙ୍କଠାରୁ ଆରମ୍ଭ କରି ବହୁ ହେଭିୱେଟ ସାମିଲ ହେବେ ଘୋଷଯାତ୍ରାରେ। ସୁରକ୍ଷାକର୍ମୀଙ୍କ ସହ ସିସିଟିଭି ବଳୟରେ ସାରା ଶ୍ରୀକ୍ଷେତ୍ର। ରଥଯାତ୍ରା ପାଇଁ ୧୮୦ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ କରାଯାଇଥିବା ବେଳେ ଭିଡ଼ ନିୟନ୍ତ୍ରଣ ପାଇଁ ବଡ଼ଦାଣ୍ଡକୁ ୬ଟି ଜୋନରେ ବିଭକ୍ତ କରାଯାଇଛି।

ତା’ସହ ଅତ୍ୟାଧୁନିକ ଜ୍ଞାନ କୌଶଳ, ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସର ସହାୟତା ନିଆଯାଇଛି। ୩ ଠାକୁରଙ୍କ ୩ କର୍ଡନ ଦାୟିତ୍ୱରେ ରହିବେ ୩ କମ୍ପାନୀ ରାପିଡ଼ ଆକ୍ସନ ଫୋର୍ସ, ୨ କମ୍ପାନୀ ସିଆରପିଏଫ ଓ ୮ କମ୍ପାନୀ ଏସଓଜି। ସେହିପରି ଆଜି ରାତିରୁ ଲାଗୁ ହେବ ଟ୍ରାଫିକ କଟକଣା। ପ୍ରଥମ ଥର ପାଇଁ ରଥଯାତ୍ରାକୁ ଆସୁଥିବା ଯାନବାହନର ଗଣତି ହେବ।

AI ସହାୟତାରେ ପୁରୀ-ବ୍ରହ୍ମଗିରି, ପୁରୀ-ଭୁବନେଶ୍ୱର ଓ ପୁରୀ-କୋଣାର୍କ ରାସ୍ତାରେ ସ୍ୱତନ୍ତ୍ର ଟ୍ରାଫିକ ପରିଚାଳନା ହେବ। ବ୍ଲାକସ୍ପଟରେ ଡ୍ରୋନର ନିଆଯିବ ସହାୟତା। ବସ୍ ଓ ୨ ଚକିଆ ଯାନଗୁଡିକ ପାଇଁ ମୋଟ୍ ୨୧ଟି ସ୍ଥାନରେ ସ୍ୱତନ୍ତ୍ର ପାର୍କିଂ ବ୍ୟବସ୍ଥା ରହିଛି ।
(ଦେବୀ ପ୍ରସନ୍ନ ଗାଙ୍ଗୁଲି, ଫଟୋ ସାମ୍ବାଦିକ, ପୁରୀ)

No Result
View All Result