୦୫ ଜୁଲାଇ ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଖପ୍ରାଖୋଲ :-> ପ୍ରଥମ ସ୍ତ୍ରୀ ଏବଂ ଦୁଇଟି ସନ୍ତାନ ଥାଉ ଥାଉ ଦ୍ୱିତୀୟ ବିବାହ କରୁଥିଲେ ସ୍ୱାମୀ, ବିବାହ ମଣ୍ଡପକୁ ପ୍ରଥମ ସ୍ତ୍ରୀ ପହଞ୍ଚିଲା ବେଳକୁ ସ୍ୱାମୀ ଫେରାର ହୋଇଯାଇଥିବା କହିଛନ୍ତି ପୀଡ଼ିତା ମହିଳା । ଏଭଳି ଏକ ହାଇ ଭୋଲ୍ଟେଜ ନାଟକୀୟ ଘଟଣା ବୁଧବାର ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକ ଲାଠୋର ଠାରେ ଦେଖିବାକୁ ମିଳିଛି । ସୂଚନା ଅନୁଯାୟୀ ଲାଠୋର ଥାନା ଅନ୍ତର୍ଗତ ସରେଇବାହାଲ ଗ୍ରାମର ମହିଳା ତୁଳସୀ ରଣା ସଦର ଲାଠୋର ର ରଘୁ ରଣା ଉଭୟଙ୍କର ହିନ୍ଦୁ ରୀତିନୀତି ଅନୁସାରେ ୨୦୧୧ ରେ ବିବାହ ଉତ୍ସବ ଅନୁଷ୍ଠିତ ହୋଇଥିଲା । ଦିର୍ଘ ବର୍ଷ ଧରି ଏମାନଙ୍କର ପାରିବାରିକ ସମ୍ପର୍କ ବେଶ୍ ହସ ଖୁସିରେ ଚାଲିଥିଲା । ଉଭୟଙ୍କର ୨ଟି ପୁତ୍ର ସନ୍ତାନ ମଧ୍ୟ ରହିଛନ୍ତି । ବଡ ପୁଅକୁ ୧୨ ବର୍ଷ ହୋଇଥିବା ବେଳେ ସାନ ପୁଅକୁ ୧୦ ବର୍ଷ ।
ତେବେ ବିବାହର କିଛି ବର୍ଷ ପରେ ତାଙ୍କ ସୁଖ ସଂସାରକୁ କାହାରି ନଜର ଲାଗିଯାଇଥିଲା । ଅଭିଯୋଗ ଅନୁଯାୟୀ ସ୍ୱାମୀଙ୍କ ଅତ୍ୟଧିକ ନିଶା ସେବନ ଏବଂ ନିର୍ଯ୍ୟାତନା ହେତୁ ଉଭୟଙ୍କ ମଧ୍ୟରେ ପାରିବାରିକ ବିବାଦ ଲାଗିରହିଥିଲା ବୋଲି ମହିଳା ଜଣକ କହିଛନ୍ତି ସେଥିପାଇଁ ୬ ମାସ ହେଲା ଦୁହେଁ ଅଲଗା ରହୁଥିଲେ । ତେବେ ଏନେଇ ଦୁଇଜଣଙ୍କ ମଧ୍ୟରେ ଛାଡପତ୍ର କୋର୍ଟରେ ବିଚାରାଧୀନ ଥିବା ବେଳେ ରଘୁ ଅନ୍ୟ ଜଣେ ମହିଳାଙ୍କୁ ବିବାହ କରିବାକୁ ଯୋଜନା କରୁଥିବା ଜାଣିବାକୁ ପାଇଥିଲେ ।
ଏହା ଜାଣିବା ପରେ ରଘୁ ରଣାଙ୍କ ପ୍ରଥମ ପତ୍ନୀ ବିବାହ ମଣ୍ଡପରେ ପହଞ୍ଚି ଥିଲେ ପ୍ରଥମ ସ୍ତ୍ରୀ ବିବାହକୁ ପହଞ୍ଚି ଯାଇଥିବା ଜାଣି ସ୍ୱାମୀ ବିବାହ ମଣ୍ଡପରୁ କୁଆଡେ ଫେରାର ହୋଇଯାଇଥିଲେ । ପରେ ମହିଳା ଜଣକ ଲାଠୋର ପୋଲିସ ଷ୍ଟେସନରେ ଏକ ଲିଖିତ ଅଭିଯୋଗ କରିଛନ୍ତି। ଏନେଇ ଲାଠୋର ଥାନା କେସ ନଂ ୧୫୪/୨୦୨୪ ରେ ଏକ ମାମଲା ଋଜୁ କରି ଘଟଣାର ଅଧିକ ତଦନ୍ତ କରୁଥିବା ଲାଠୋର ଥାନାଧିକାରୀ ରାକେଶ ବେହେରା ପ୍ରକାଶ କରିଛନ୍ତି । ଏହି ଘଟଣାରେ ମହିଳା ଜଣକ କହିଛନ୍ତି “ମୁଁ ଫେବୃଆରୀ ୨୮/ ୨୦୧୧ ରେ ରଘୁ ରଣାଙ୍କୁ ବିବାହ କରିଥିଲି। ଆମର ଛାଡପତ୍ର ମାମଲା ବିଚାରାଧୀନ ଥିବାବେଳେ ସେ ଦ୍ୱିତୀୟ ଥର ବିବାହ କରୁଥିଲେ । ତେବେ ଛାଡପତ୍ର ପରେ ସେ ବିବାହ କରିପାରିବେ କିନ୍ତୁ ମୋତେ ନ୍ୟାୟାଳୟ ତରଫରୁ ଉଚିତ ନ୍ୟାୟ ମିଳୁ ବୋଲି ପୀଡ଼ିତା ମହିଳା ଗୁହାରୀ କରିଛନ୍ତି ।