1. ରାଜ୍ୟ ମହିଳା ଓ ଶିଶୁ ପ୍ରତିଷ୍ଠାନରେ ‘ଏକ ପେଡ ମା କେ ନାମ’ ର ଶୁଭାରମ୍ଭ
2. ବ୍ୟାଡମିଣ୍ଟନ୍, ଭଲିବଲ କୋର୍ଟ ଓ ଯୋଗ କେନ୍ଦ୍ର ଉଦ୍ଘାଟିତ
3. ସମାଜସେବୀଙ୍କୁ ଆଗକୁ ଆସି କାର୍ଯ୍ୟ କରିବାକୁ ଦେଲେ ଆହ୍ୱାନ
୦୩ ଜୁଲାଇ ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର :-> ଆଜି ମାନ୍ୟବର ଉପମୁଖ୍ୟମନ୍ତ୍ରୀ ମହିଳା ଓ ଶିଶୁ ବିକାଶ, ମିଶନ ଶକ୍ତି ଓ ପର୍ଯ୍ୟଟନ ଶ୍ରୀମତୀ ପ୍ରଭାତୀ ପରିଡା ଭୁବନେଶ୍ୱରସ୍ଥିତ ମହିଳା ଓ ଶିଶୁ ବିକାଶ ବିଭାଗ ଅନ୍ତର୍ଗତ ରାଜ୍ୟ ମହିଳା ଶିଶୁ ପ୍ରତିଷ୍ଠାନ ପରିଦର୍ଶନରେ ଯାଇଥିଲେ । ଏହି ଅବସରରେ ଶ୍ରୀମତୀ ପରିଡା ରାଜ୍ୟ ମହିଳା ଓ ଶିଶୁ ପ୍ରତିଷ୍ଠାନରେ ଜାମୁ ଓ ଅଁଳା ଚାରା ରୋପଣ କରି ମହିଳା ଶିଶୁ ବିକାଶ ବିଭାଗ ଆନୁକୂଲ୍ୟରେ ‘ଏକ ପେଡ ମା କେ ନାମ’ର ଶୁଭାରମ୍ଭ କରିଛନ୍ତି । ସେ କହିଛନ୍ତି ଯେ ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ୱାନରେ ଦୂରଦର୍ଶୀ ଯୋଜନା ‘ଏକ ପେଡ ମା କେ ନାମ’ ସାରା ଦେଶରେ ଲୋକପ୍ରିୟ ହୋଇଛି ।
ଆସନ୍ତା ୫୦ ବର୍ଷର ଭବିଷ୍ୟତ ଦୃଷ୍ଟିରେ ରଖି ନିଜ ନିଜ ମା’ଙ୍କ ଉଦ୍ଦେଶ୍ୟରେ ବୃକ୍ଷ ରୋପଣ କରିବାକୁ ଶ୍ରୀମତୀ ପରିଡା ମତପ୍ରକାଶ କରିଛନ୍ତି । ବରଗଛର ଉପକାରିତାକୁ ଆଲୋକପାତ କରି ଶ୍ରୀମତୀ ପରିଡା ସେ୍ୱଚ୍ଛାସେବୀ ସଂଗଠନମାନଙ୍କୁ ଅଧିକରୁ ଅଧିକ ବରଗଛ ଲଗେଇବା ପାଇଁ ପରାମର୍ଶ ଦେଇଛନ୍ତି । ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡା ପ୍ରତିଷ୍ଠାନ ପରିସରରେ ବ୍ୟାଡମିଣ୍ଟନ୍ ଓ ଭଲିବଲ କୋର୍ଟ ତଥା ଯୋଗ କେନ୍ଦ୍ର ଉଦଘାଟନ କରିଛନ୍ତି । ଏପରି ପଦକ୍ଷେପ, ପ୍ରତିଷ୍ଠାନରେ ତାଲିମ ନେଉଥିବା ଆଇସିଡିଏସ କାର୍ଯ୍ୟକର୍ତ୍ତା,
ସୁପରଭାଇଜର ତଥା ଅଙ୍ଗନବାଡି କର୍ମୀମାନଙ୍କର ଦକ୍ଷତା ବିକାଶରେ ସାହାଯ୍ୟ କରିବ ବୋଲି ସେ ଆଶା ପ୍ରକଟ କରିଛନ୍ତି । ପରେ ଉପମୁଖ୍ୟମନ୍ତ୍ରୀ ସେଠାରେ ଆୟୋଜିତ ଅଣସରକାରୀ ସଂଗଠନ ପରାମର୍ଶଦାତା ମଣ୍ଡଳୀ ବୈଠକରେ ଅଧକ୍ଷତା କରି ରାଜ୍ୟ ସମାଜ କଲ୍ୟାଣ ବୋର୍ଡର ପୁନରୁଦ୍ଧାର ହେବ ବୋଲି ପ୍ରକାଶ କରିଛନ୍ତି । ସେ କହିଛନ୍ତି ଯେ ରାଜ୍ୟର ବିକାଶରେ ସମାଜ କଲ୍ୟାଣ ବୋର୍ଡର ଭୂମିକା ଅତ୍ୟନ୍ତ ଗୁରୁତ ପ୍ୱ ୂର୍ଣ୍ଣ ରହିଆସିଛି । ସରକାର ଓ ସେ୍ୱଚ୍ଛାସେବୀ ସଂଗଠନର ସହଭାଗିତାରେ ହିଁ ସମାଜ କଲ୍ୟାଣ ବୋର୍ଡକୁ ସୁଦୃଢ ଭାବରେ ପରିଚାଳିତ କରି ହେବ ।
ବୋର୍ଡର ପୁନରୁଦ୍ଧାର ପାଇଁ ଶ୍ରୀମତୀ ପରିଡା ଅଣସରକାରୀ ସଂଗଠନ ତଥା ସେ୍ୱଚ୍ଛାସେବୀ ସଂଗଠନଗୁଡିକର ପ୍ରସ୍ତାବ ଆହ୍ୱାନ କରିଛନ୍ତି । ଏହି ଅବସରରେ ମହିଳା ଓ ଶିଶୁ ବିକାଶ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଶୁଭା ଶର୍ମା ଏହି ମର୍ମରେ ବିଭିନ୍ନ ଜିଲ୍ଲାରୁ ଆସିଥିବା ସଂଗଠନ ପ୍ରତିନିଧିମାନଙ୍କ ଠାରୁ ମିଳିଥିବା ମତାମତ ଓ ପ୍ରସ୍ତାବ ଆଲୋଚନା କରିଥିଲେ । ସମାଜ କଲ୍ୟାଣ ବୋର୍ଡର ପୁନରୁଦ୍ଧାର ପ୍ରସଙ୍ଗ ନେଇ ଏକ କମିଟି ଦ୍ୱାରା ନିଷ୍ପତ୍ତି ନିଆଯିବ ବୋଲି ଶ୍ରୀମତୀ ଶର୍ମା କହିଥିଲେ । କାର୍ଯ୍ୟକ୍ରମରେ ଆଇସିଡିଏସ ଓ ସମାଜ କଲ୍ୟାଣ ବୋର୍ଡର ନିର୍ଦ୍ଦେଶକ ଶ୍ରୀମତୀ ମୋନିଶା ବାନାର୍ଜୀ, ବିଭାଗର ବରିଷ୍ଠ ଅଧିକାରୀ ଏବଂ ସେ୍ୱଚ୍ଛାସେବୀ ସଂଗଠନର ପ୍ରତିନିଧିମାନେ ଉପସ୍ଥିତ ଥିଲେ ।