୨୩ ଜୁନ୍,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ହିଞ୍ଜିଳିକାଟୁ :-> ହିଞ୍ଜିଳିକାଟୁ ସହରକୁ ଦୈନିକ ଆବଶ୍ୟକ ଅନୁଯାୟୀ ନିୟମିତ ଭାବେ ପାନୀୟ ଜଳ ଯୋଗାଣ ହେଉନ ଥିବାବେଳେ ଏବେ ୩ଦିନ ହେଲା ପାନୀୟ ଜଳ ଯୋଗାଣ ପ୍ରାୟତଃ ସମ୍ପୂର୍ଣ୍ଣ ବନ୍ଦ ହୋଇଛି। ଫଳରେ ପାନୀୟ ଜଳ ଯୋଗାଣ ଅଭାବରୁ ସହରବାସୀ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହାର ସମାଧାନ ବଦଳରେ ଜନସ୍ବାସ୍ଥ୍ୟ ବିଭାଗ ବେଫିକର ଥିବା ଦେଖିବାକୁ ମିଳୁଛି। ପ୍ରକାଶ ଯେ, ହିଞ୍ଜିଳିକାଟୁ ସହରର ୫ ନଂ ୱାର୍ଡ ଯଥା ପାଟଣା ସାହି, ବନମାଳୀ ନଗର, ଭଗବାନ ସାବତ ମାର୍ଗ, ତାରାତାରିଣୀ ରୋଡ ଏବଂ ଜଗବନ୍ଧୁମିଶ୍ର ମାର୍ଗ ବାସିନ୍ଦାଙ୍କ ଜରୁରୀ ମେଣ୍ଟାଇବା ପାଇଁ ପ୍ରତିଦିନ ଆବଶ୍ୟକ ରହିଥିବା ପାନୀୟ ଜଳ ଯୋଗାଣ ବନ୍ଦ ରହିଥିବା ବେଳେ ପାଇପ ଵିଛା କାମ ଆଳ ଦେଖାଇ ଗତ ୩ଦିନ ହେବ ପାନୀୟ ଜଳ ଯୋଗାଣ ଵନ୍ଦ ହୋଇଛି ।
ପୁଣି ଦିନକୁ ୨ ଘଣ୍ଟା ପାନୀୟ ଜଳ ଯୋଗାଣ ପାଇଁ ବ୍ୟବସ୍ଥା ରହିଥିବା ବେଳେ ବାସ୍ତବରେ କିନ୍ତୁ ଏକ ମାସରୁ ଉର୍ଦ୍ଧ୍ଵ ଦିନ ଧରି ଦୈନିକ ମାତ୍ର ୧୫ ମିନିଟ ପାଇଁ ପାନୀୟ ଜଳ ଯୋଗାଣ କରି ବନ୍ଦ କରି ଦିଆଯାଉଛି। ଏପରି ଅବସ୍ଥାରେ ଗତ ଶୁକ୍ରବାର ଠାରୁ ସହରକୁ ଜଳଯୋଗାଣ ବ୍ୟବସ୍ଥା ସମ୍ପୂର୍ଣ୍ଣ ଠପ୍ ହୋଇଯାଇଛି। ଏଥିଯୋଗୁ ସହରବାସୀଙ୍କ ମଧ୍ୟରେ ପ୍ରବଳ ଅସନ୍ତୋଷ ଦେଖାଦେଇଛି। ବିଭାଗୀୟ ଅଧିକାରୀଙ୍କ ଅବହେଳା ହେତୁ ଏଭଳି ହେଉଥିବା ଜଣାପଡିଛି। ଅନ୍ୟପଟେ ବିଶୁଦ୍ଧୀକରଣ ପାଇଁ ପ୍ରତି ମାସରେ ଲକ୍ଷାଧିକ ଟଙ୍କା ଆସୁଥିବାବେଳେ ସେ ସବୁ ଟଙ୍କା କେଉଁ ବାଟରେ ଖର୍ଚ୍ଚ ହେଉଛି ତାହା ତଦନ୍ତ ସାପେକ୍ଷ ଅଟେ। ଏ ନେଇ ଜନସ୍ବାସ୍ଥ୍ୟ ବିଭାଗର ଯନ୍ତ୍ରୀ ଶ୍ରୀଧର ଦାଶଙ୍କୁ ପଚାରିବାରୁ ସେ କହିଥିଲେ, ସହରବାସୀଙ୍କୁ ବିଶୁଦ୍ଧ ଓ ପର୍ଯ୍ୟାପ୍ତ ପରିମାଣରେ ପାନୀୟ ଜଳ ଯୋଗାଣ ସକାଶେ ପାଇପ ବିଛେଇ କାର୍ଯ୍ୟ ଚାଲିଥିବା ଯୋଗୁଁ ଯୋଗାଣ ବ୍ୟବସ୍ଥା ପ୍ରଭାବିତ ହେଉଛି ଓ ପାଣି ବିଳମ୍ବରେ ଯୋଗାଣ ହେଉଛି ବୋଲି ସେ କହିଛନ୍ତି।
ସୂଚନା ଯୋଗ୍ୟ,ଗତ ୨୦୨୨ମସିହା ଡିସେମ୍ବର ୨୧ ତାରିଖରେ ହିଞ୍ଜିଳି ବିଧାୟକ ତଥା ତତ୍କାଳୀନ ପ୍ରାକ୍ତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିଜ ନିର୍ବାଚନମଣ୍ଡଳୀ ହିଞ୍ଜିଳିକାଟୁରେ ୬୨ କୋଟି ଟଙ୍କା ବ୍ୟୟରେ ପ୍ରସ୍ତାବିତ ବୃହତ ପାନୀୟ ଜଳ ପ୍ରକଳ୍ପ “ସୂଜଳ”ର ଭିଡିଓ କନଫରେନ୍ସ ମାଧ୍ୟମରେ ଶିଳାନ୍ୟାସ କରିଥିଲେ। ଏହି ପ୍ରକଳ୍ପ ମାଧ୍ୟମରେ ଡ୍ରିଙ୍କ ଫ୍ରମ ଟ୍ୟାପ ମିଶନ ଦ୍ବାରା ହିଞ୍ଜିଳିକାଟୁ ପୌରପରିଷଦ ଅନ୍ତର୍ଗତ ୨୧ ଗୋଟି ୱାର୍ଡ଼ରେ ୨୪ଘଣ୍ଟା ଧରି ପାନୀୟ ଜଳଯୋଗାଣ ହୋଇ ପାରିବେ ବୋଲି ଲୋକଙ୍କ ମଧ୍ୟରେ ଆଶା ସଞ୍ଚାର ହୋଇଥିଲା। ଗଞ୍ଜାମ ଜିଲ୍ଲା ରୁଷିକୂଲ୍ୟା ନଦୀରୁ ଏଥିପାଇଁ ଯୋଗାଣ ବ୍ୟବସ୍ଥା କରାଯାଇଥିଲା । ବିଭାଗ ପକ୍ଷରୁ ୫୯ ନଂ ଜାତୀୟ ରାଜପଥ ରାସ୍ତାରୁ ସହରର ବିଭିନ୍ନ ଅଞ୍ଚଳକୁ କିଛିଦିନ ହେବ ପାଣିପାଇପ ବିଛା କାମ ଜାରି ରହିଛି। ପାଇପ ଲାଇନ ବିଛେଇବା କାମ କରୁଥିବା ଠିକା ସଂସ୍ଥାର ମନମୁଖି କାମ ପାଇଁ ହଇରାଣ ହେଉଛନ୍ତି ସାଧାରଣ ଲୋକେ। ପାଣି ପାଇପ ବିଛାଇବା ପାଇଁ ସହରାଞ୍ଚଳରେ ଥିବା କଂକ୍ରିଟ ରାସ୍ତା ଖୋଳାଯାଇ ପାଇପ ବିଛାଯାଉଛି। ନିୟମାନୁଯାୟୀ ସେଗୁଡିକୁ ପୁନଃ କଂକ୍ରିଟ କରିବା କଥା।
କିନ୍ତୁ ନାଳଗୁଡିକୁ ମାଟି ଓ ପଥର ଗୁଣ୍ଡ ଭର୍ତ୍ତି କରି ଛାଡି ଦିଆଯାଉଛି ବୋଲି ଅଭିଯୋଗ କରିଛନ୍ତି ସ୍ଥାନୀୟ ବାସିନ୍ଦା। କିଛିଦିନ ମଧ୍ୟରେ ସେଗୁଡିକ ପୁଣି ଖାଲ ହୋଇଯାଉଛି। ଫଳରେ ବିଭିନ୍ନ ସମୟରେ ସଂପୃକ୍ତ ସ୍ଥାନରେ ଛୋଟବଡ ଦୁର୍ଘଟଣା ଧନ ଜୀବନ ନଷ୍ଟ ହେଉଥିବାର ନଜିର ରହିଛି। କାର୍ଯ୍ୟାଦେଶରେ ଖୋଳାଯାଇଥିବା ସ୍ଥାନକୁ ଠିକ୍ ଭାବରେ ପୋତିବାକୁ ଉଲ୍ଲେଖ ଥିଲେ ମଧ୍ୟ ଏହାକୁ ଖିଲାପ କରିଛି ଠିକା ସଂସ୍ଥା।ନୁଆ କରି ତିଆରି କରାଯାଉଥିବା ଫେବର ରୋଡ ଉପାଡି ପାଇପ ବିଛାଇ ଚାଲିଛି ଜନସ୍ବାସ୍ଥ୍ୟ ବିଭାଗ ।ଫେବର ଈଟା ଗୁଡିକୁ ଖୋଳାଯିବା ସ୍ଥାନରୁ ଉଠାଇ ନିଆଯାଇଛି।ଏହା ବ୍ୟତୀତ ପାଇପ ବିଛାଇବା ସମୟରେ ଠିକା ସଂସ୍ଥାର କର୍ମଚାରୀ ଲୋକମାନଙ୍କ ପୁରୁଣା ପାଣି ସଂଯୋଗକୁ କେତେକ ସ୍ଥାନରେ ବିଚ୍ଛିନ୍ନ କରି ଦେଉଛନ୍ତି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ କର୍ମଚାରୀମାନେ ବିଛାଉଥିବା ପାଇପ ଗୁଡିକୁ ଠିକ୍ ଭାବରେ ସଂଯୋଗ କରୁନଥିବା ହେତୁ କିଛି ସ୍ଥାନରେ ପାଣି ଲିକେଜ୍ ହୋଇ ରାସ୍ତାଘାଟରେ ଭାସୁଛି।
ଏହାଦ୍ବାରା ଅଯଥାରେ ପାଣି ଅପଚୟ ହେବା ସହ ହିତାଧିକାରୀ ଠିକ୍ ରୂପେ ପାଣି ପାଇପାରୁନାହାନ୍ତି। ଏଥିପ୍ରତି ନା ଜନସ୍ବାସ୍ଥ୍ୟ ବିଭାଗ ନା ପୌର ପ୍ରଶାସନ କେହି ଧ୍ୟାନ ଦେଉନାହାନ୍ତି। ଏ ନେଇ ଜନସ୍ବାସ୍ଥ୍ୟ ବିଭାଗ ଯନ୍ତ୍ରୀ ଶ୍ରୀଧର ଦାଶଙ୍କୁ ପଚାରିବାରୁ ସଂଯୋଗ ବିଚ୍ଛିନ୍ନ ହୋଇଥିବା ସମସ୍ତ ପାଇପ ଲାଇନ ଓ କଟା ଯାଇଥିବା ସମସ୍ତ କଂକ୍ରିଟ ଓ ଫେଵର ରାସ୍ତାର ମରାମତି କାର୍ଯ୍ୟ ସମ୍ପୃକ୍ତ ଠିକା ସଂସ୍ଥା କରିବାର ନିୟମ ରହିଛି। ଏଥିରେ କୌଣସି ବ୍ୟତିକ୍ରମ ହୋଇଥିଲେ ସମ୍ପୃକ୍ତ ସଂସ୍ଥା ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ କହିଛନ୍ତି। ସବୁଠାରୁ ଗୁରୁତ୍ବପୂର୍ଣ୍ଣ ଵିଷୟ କେତେକ ସାହିରେ ନୁଆ ପାଇପ ବିଛାଇ ପାଣି ପାଇପ ଘରକୁ ସଂଯୋଗ କରିଥିଲେ ମଧ୍ୟ ଗୋଳିଆ ପାଣି ଆସୁଥିବା ଅଭିଯୋଗ କରିଛନ୍ତି ସାହି ବାସିନ୍ଦା ଓ କେତେକ ଘରକୁ ପାଇପ ସଂଯୋଗ ବିଚ୍ଛିନ୍ନ କରାଯାଇଛି।ଫଳରେ ବଈଁଚ ଵଣିଆ ଗାୟତ୍ରୀ ନଗର ସାହି ବାସିନ୍ଦା ଗୋଳିଆ ପାଣି ଯୋଗାଣ ହେଉଥିବା ଅଭିଯୋଗ କରିଛନ୍ତି।କେତେକ ଘରକୁ ପାଣି ଯୋଗାଣ ଵନ୍ଦ ହୋଇଛି।ଏ ନେଇ ବିଭାଗିୟ ଯନ୍ତ୍ରୀ ଙ୍କୁ ଅବଗତ କରାଇବାରୁ ସେମାନେ ଶୁକ୍ଳ ଦେଇନାହାନ୍ତି ।
ଏଣୁ ପାଇପ ସଂଯୋଗ ବିଚ୍ଛିନ୍ନ କରାଯାଇଛି ବୋଲି ସେ କହିଛନ୍ତି। ଜଳସାଥିଙ୍କ ଠାରୁ ବକେୟା ଟଙ୍କା ପଇଠ କରି ରସିଦ ଦେଖାଇଲେ ଠିକାଦାର ପାଇପ ସଂଯୋଗ କରିବି ବୋଲି ରୋକ ଠୋକ କହୁଛନ୍ତି। ତେବେ ଯଦି ସାଧାରଣ ଗରିବ ଲୋକେ ଶୁଳ୍କ ଦେଇପାରିନଥିଲେ ତେବେ ସେମାନଙ୍କୁ ବିଭାଗ ପକ୍ଷରୁ ଲିଖିତ ନୋଟିସ ଦେଇ ସମୟ ଧାର୍ଯ୍ୟ କରିଵା ନିୟମ ରହିଛି।ଏସବୁ କିଛି ନକରି ପାଇପ ବିଛାଇ ୨୪ଘଣ୍ଟିଆ ପାଇପ ସଂଯୋଗ ଆଳରେ ଲୋକଙ୍କ ଘର କୁ ପାଇପ ସଂଯୋଗ ବିଚ୍ଛିନ୍ନ କରିବା କି ପ୍ରକାର ନ୍ୟାୟ ବୋଲି ସାଧାରଣ ରେ ଆଲୋଚନା ହେଉଛି। ଅନ୍ୟ ପକ୍ଷରେ ଯଦି ପାଇପ ଲାଇନ୍ ସଂଯୋଗ କରାନଯାଏ ଓ ପାଣି ଯୋଗାଣ ନହେଲେ ଆଗାମୀ ଦିନରେ ସ୍ଥାନୀୟ ଅଞ୍ଚଳର ଜନସାଧାରଣ ଓ୍ବାଟୋକ୍ କାର୍ଯ୍ୟାଳୟ ଘେରାଉ କରାଯିବ ବୋଲି ଚେତାବନୀ ଦେଇଛନ୍ତି।