୨୦ ଜୁନ୍,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ପୁରୀ :-> ସକାଳ ଘ.୮.୦୦ ଟିକା ସମୟରେ ତିନି ରଥର ନିର୍ମାଣକାରୀ ସେବକ ମାନେ ରଥ ଖଳା ଠାରେ ଉପସ୍ଥିତ ପୂର୍ବକ ଉପସ୍ଥାନ ଦେଇ ମୁଖ୍ୟ ମହାରଣାଙ୍କ ନିର୍ଦ୍ଦେଶ ପ୍ରକାରେ ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିଲେ।
ରଥ ନିର୍ମାଣ ଅଗ୍ରଗତି
(ଗତକାଲି ସୁଦ୍ଧା ତିନି ରଥରେ ପୋଲ ଗୟଳ ଏବଂ ଛନ୍ଦା ଗୟଳ ମୋଡା ଶେଷ ହୋଇଥିଲା…)
ଆଜି ତିନି ରଥର ମୋଟ ୪୪ ଗୋଟି ଯୋକା ଫିଟିଙ୍ଗ ଶେଷ

ଆଜି ତିନି ରଥର ଯୋକା ଫିଟିଙ୍ଗ ପାଇଁ, ଗତକାଲି ଭୋଇ ସେବକ ମାନେ ମୋଟ ୪୪ ଗୋଟି ଯୋକା କୁ ତିନି ରଥ ରେ ଡେରି ଥିଲେ, ଆଜି ତିନି ରଥର ମହାରଣା ସେବକ ମାନେ ଯୋକା ଗୁଡିକରେ କାପ ଖୋଦେଇ ଶେଷ କରି ତାଳଧ୍ଵଜ ରଥର ୧୬ ଟି, ଦର୍ପଦଳନ ରଥ ର ୧୨ ଟି ଏବଂ ନନ୍ଦିଘୋଷ ରଥରେ ୧୬ ଗୋଟି ଯୋକା ଫିଟିଙ୍ଗ କରାଯିବା ପରେ ଓଝା ସେବକଙ୍କ ଦ୍ଵାରା କଣ୍ଟା ବସିବା ଶେଷ ହୋଇଛି ।

(ଏହି ଯୋକା ଗୁଡ଼ିକ ରଥର ଚତୁରପାର୍ଶ୍ୱ କୋଣ ମାନଙ୍କରେ ଫିଟିଙ୍ଗ ହୋଇଅଛି। ଏହି ଯୋକା ରଥର ଅଖ, କୁଡୁକା,ବିରାଡ଼ି ଏବଂ ଗୟଳ କୁ ବାନ୍ଧି ରଖିବା ପାଇଁ ଯୋକା ଗୁଡିକରେ ମାପ ପ୍ରକାରେ କାପ ଖୋଦେଇ ପରେ କଣ୍ଟା ବିନ୍ଧ କରାଯାଇ ବିନ୍ଧରେ କଣ୍ଟା ବାଡିଆ ଯାଇ ସେଟିଂ କରାଯାଇଛି)

ତିନିରଥର ଦ୍ୱିତୀୟ ଭୂଇଁ ପ୍ରେମ ନିର୍ମାଣ ଆରମ୍ଭ
ଆଜି ତିନି ରଥ ମହାରଣା ସେବକ ଏବଂ ଭୋଇ ସେବକ ମାନଙ୍କ ସହଯୋଗରେ ତିନି ରଥର ଦ୍ୱିତୀୟ ଭୂଇଁ ଫ୍ରେମ ସେଟିଂ ଆରମ୍ଭ ହୋଇଛି. (ଏହି ଦ୍ୱିତୀୟ ଭୂଇଁ, ୧୬ ଫୁଟର ୪ ଗୋଟି ଭୂଇଁ ଚଉତା କୁ ବର୍ଗାକାର ଭାବେ ପ୍ରତ୍ୟେକ ବାହୁ ସଂଯୋଗ ହୋଇ ତାର ଉଭୟ ପାର୍ଶ୍ୱରେ ୧୨ ଫୁଟର ଦୁଇଟି ଓରା ପକା ଯାଇଅଛି .

ଆସନ୍ତାକାଲି ଉକ୍ତ ଓରାରେ ଚାରୋଟି ଲେଖାଏଁ ଖମ୍ବି ସଂଯୋଗ ହୋଇ ଏହାର ଚାରି ପାର୍ଶ୍ବରେ ଚାରିଟି ଲେଖାଏଁ ୧୬ ଗୋଟି ଛିଆଣ, ଭୂଇଁ ଖମ୍ବି ସଂଯୋଗ ହବା ପରେ ଭୂଇଁ ଶେଣି ଉପରେ ମାଛ ପାତିଆ ଓ ସିଆଣ ସଂଯୋଗ ହୋଇ ପରୀକ୍ଷା ମୂଳକ ଭାବେ ନିର୍ମାଣ ଶେଷ ପରେ ଭୂଇଁ ର ପ୍ରତ୍ୟେକ ଅଂଶ ନମ୍ୱରିଙ୍ଗ ହୋଇ ଖୋଲାଯିବ।

*ଏଥିସହ ଆଜିସୁଦ୍ଧା ତିନି ରଥର ୫ଗୋଟି ଲେଖାଏଁ ୨୦ ଫୁଟିଆ ଜଗତପୃଷ୍ଠ ସେଣି ଚଉପଟ କାର୍ଯ୍ୟ ଶେଷ ହୋଇଛି।
*ରୂପକାର ସେବକ ମାନେ ତିନି ରଥର ଦୁଆର ବେଢ଼ା ପାଇଁ ୨୪ ଗୋଟି ନାଟଗୋଡ ରେ ରାହୁ ରୂପ ଖୋଦେଇ ଜାରୀ ରଖିଛନ୍ତି।
*ଆଜି ଚିତ୍ରକାର ସେବକ ମାନେ ତିନି ରଥର ପାର୍ଶ୍ଵ ଦେବ ଦେବୀ ମୂର୍ତ୍ତି, ସକ୍ଷୀ, ଓଲଟ ଶୁଆ ଏବଂ ଦେବ ଦେବୀ ଆସ୍ଥାନ ପ୍ରେମ ଗୁଡ଼ିକୁ ସଫା କରି ସାଇତି ଛନ୍ତି । ଆସନ୍ତାକାଲି ଠାରୁ ସେଥିରେ ଚିତ୍ର କାର ସେ ସେବକ ମାନେ ରଙ୍ଗ ଚିତ୍ର ଆରମ୍ଭ କରିବେ।
*ଦୋଳ ବେଦୀ ଅସ୍ଥାୟୀ କୁଅମାର ଶାଳରେ ଓଝା ସେବକ ମାନେ ତିନି ଭୂଇଁ ପାଇଁ ବିଡିଆ କଣ୍ଟା ନିର୍ମାଣ ଶେଷ କରି ତିନି ରଥର ପୋଟଳ ପାଇଁ ପୋଟଳ ନଦା କଣ୍ଟା ନିର୍ମାଣ ଜାରୀ ରଖିଛନ୍ତି।

ତା୨୦.୬.୨୦୨୪,ଗୁରୁବାର ରଥଖଳା:ରଥ ନିର୍ମାଣ କାର୍ଯ୍ୟ ୪୧ ତମ ଦିବସ ରଥ ନିର୍ମାଣକାରୀଙ୍କ ଉପସ୍ଥାନ *ତିନି ରଥ ମହାରଣା ସେବକ – ୭୭ *ତିନି ରଥ ଭୋଇ ସେବକ – ୭୭ *ତିନି ରଥ କରତୀ ସେବକ – ୪ *ତିନି ରଥ କମାର ସେବକ – ୧୭ *ତିନି ରଥ ରୂପକାର ସେବକ – ୨୧ *ତିନି ରଥ ଚିତ୍ରକାର ସେବକ – ୫ *ତୁମ୍ବ ବିନ୍ଧ କାରୀଗର – ୨ *ପାହି ମହାରଣା – ୨ *ରଥଖଳା ସହାୟକ(ପାଣିବାଲା) ୧ ମୋଟ – ୨୦୬ ଜଣ

(ଦେବୀ ପ୍ରସନ୍ନ ଗାଙ୍ଗୁଲି, ଫଟୋ ସାମ୍ବାଦିକ, ପୁରୀ)














