ଭୁବନେଶ୍ୱରରେ ଓସ୍ମେ ପକ୍ଷରୁ ୪୧ତମ ପ୍ରତିଷ୍ଠା ଦିବସ ଓ ବାର୍ଷିକ ସମ୍ମିଳନୀ ୨୦୨୬ ପାଳିତ ସମ୍ମିଳନୀରେ ଓଡ଼ିଶାର ବୃଦ୍ଧିପାଉଥିବା ଏମ୍ଏସ୍ଏମ୍ଇ, ଉତ୍ପାଦନ ଓ ଷ୍ଟାର୍ଟଅପ୍ ପରିସଂସ୍ଥା ଉପରେ ଗୁରୁତ୍ୱାରୋପ
ଭୁବନେଶ୍ୱର (ଓଡ଼ିଶା ତାଜା ନ୍ୟୁଜ) (ନିପ୍ର) :- ଓଡ଼ିଶା ଆସେମ୍ବଲି ଅଫ୍ ସ୍ମଲ୍ ଆଣ୍ଡ୍ ମିଡିୟମ୍ ଏଣ୍ଟରପ୍ରାଇଜେସ୍ (ଓସ୍ମେ) ଭୁବନେଶ୍ୱରଠାରେ ନିଜର ୪୧ତମ ପ୍ରତିଷ୍ଠା ଦିବସ ଓ ବାର୍ଷିକ ସମ୍ମିଳନୀ ୨୦୨୬ ପାଳନ କରିଛି। ଏହି ଅବସରରେ ସରକାରୀ ପ୍ରତିନିଧି, ଶିଳ୍ପ ନେତୃବୃନ୍ଦ, ଉଦ୍ୟୋଗୀ ଏବଂ ଏମ୍ଏସ୍ଏମ୍ଇ ଓ ଷ୍ଟାର୍ଟଅପ୍ କ୍ଷେତ୍ରର ପ୍ରମୁଖ ସଂପୃକ୍ତ ବ୍ୟକ୍ତିବିଶେଷ ଏକତ୍ରିତ ହୋଇଥିଲେ । ଓଡ଼ିଶାର ମାନ୍ୟବର ରାଜ୍ୟପାଳ ଡକ୍ଟର ହରି ବାବୁ କମ୍ଭମପତି ମୁଖ୍ୟ ଅତିଥି ଭାବେ ଏହି ଉତ୍ସବରେ ଯୋଗ ଦେଇଥିଲେ ।

ଏହି କାର୍ଯ୍ୟକ୍ରମରେ ମାନ୍ୟବର ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀ; ମାନ୍ୟବର ଶିଳ୍ପ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ରାଜ୍ୟ ମନ୍ତ୍ରୀ ଶ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ; ଏବଂ ଓଡ଼ିଶା ସରକାରଙ୍କ ଶିଳ୍ପ, ଗୃହ ଓ ସୂଚନା ଏବଂ ଲୋକସମ୍ପର୍କ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ, ଆଇଏଏସ ଶ୍ରୀ ହେମନ୍ତ ଶର୍ମା, ଓଡ଼ିଶା ସରକାରଙ୍କ ସୂକ୍ଷ୍ମ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗର କମିଶନର-ତଥା-ସଚିବ ରଶ୍ମିତା ପଣ୍ଡା, ନ୍ୟାସନାଲ୍
ଆଲୁମିନିୟମ୍ କମ୍ପାନୀ ଲିମିଟେଡ୍ (ନାଲକୋ)ର ଅଧ୍ୟକ୍ଷ-ତଥା-ପରିଚାଳନା ନିର୍ଦ୍ଦେଶକ,

ଶ୍ରୀ ବ୍ରିଜେନ୍ଦ୍ର ପ୍ରତାପ ସିଂହ, ଏବଂ ଓସ୍ମେର ଅଧ୍ୟକ୍ଷ ଗୌରୀ ଶଙ୍କର ଦାଶଙ୍କ ସମେତ ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ। ଏହି ସମ୍ମିଳନୀରେ ଓସ୍ମେ ସ୍ମାରକୀ ୨୦୨୬ ଉନ୍ମୋଚିତ ହୋଇଥିଲା ଏବଂ ଓଡ଼ିଶାର ଏମଏସଏମଇ କ୍ଷେତ୍ରକୁ ଅବଦାନ ପାଇଁ ଉଦ୍ୟୋଗୀ ଓ ଉଦ୍ୟୋଗଗୁଡ଼ିକୁ ଓସ୍ମେ ପୁରସ୍କାର ୨୦୨୬ ପ୍ରଦାନ କରାଯାଇଥିଲା। ଶ୍ରେଷ୍ଠ ମାଧ୍ୟମ ଉଦ୍ୟୋଗ, ଶ୍ରେଷ୍ଠ କ୍ଷୁଦ୍ର ଉଦ୍ୟୋଗ, ଶ୍ରେଷ୍ଠ ଅତିକ୍ଷୁଦ୍ର ଉଦ୍ୟୋଗ, ଶ୍ରେଷ୍ଠ ମହିଳା ଉଦ୍ୟୋଗୀ, ଶ୍ରେଷ୍ଠ ସେବା ଉଦ୍ୟୋଗ,

ଶ୍ରେଷ୍ଠ ପ୍ରତିଶ୍ରୁତିବଦ୍ଧ ଯୁବ ଉଦ୍ୟୋଗୀ ଏବଂ ଶ୍ରେଷ୍ଠ ମଦର ପ୍ଲାଣ୍ଟ ସମେତ ଅନ୍ୟାନ୍ୟ ବିଭିନ୍ନ ବର୍ଗରେ ପୁରସ୍କାର ପ୍ରଦାନ କରାଯାଇଥିଲା। ଓଡ଼ିଶାର ପ୍ୟାକେଜିଂ ଶିଳ୍ପରେ ଅଗ୍ରଣୀ ଅବଦାନ ପାଇଁ କଟକ ଟଙ୍ଗୀସ୍ଥିତ ସୁଭଶ୍ରୀ ପ୍ୟାକର୍ସ ପ୍ରାଇଭେଟ୍ ଲିମିଟେଡ୍ର ପରିଚାଳନା ନିର୍ଦ୍ଦେଶକ ଶ୍ରୀ କାହ୍ନୁ ଚରଣ ନାୟକଙ୍କୁ ‘ସତ୍ୟ ସ୍ୱାଇଁ ସ୍ମାରକୀ ଆଜୀବନ ସାଧନା ସମ୍ମାନ’ପ୍ରଦାନ କରାଯାଇଥିଲା। ଶ୍ରୀ ନାୟକ ୧୯୮୭ ମସିହାରେ ଓଡ଼ିଶାର ପ୍ରଥମ ଏକ୍ସପାଣ୍ଡେଡ୍ ପଲିଷ୍ଟାଇରିନ୍ ଉତ୍ପାଦନ କାରଖାନା ପ୍ରତିଷ୍ଠା କରିଥିଲେ ଏବଂ ରାଜ୍ୟରେ ନିଯୁକ୍ତି ସୃଷ୍ଟି କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଅବଦାନ ଦେଇଥିଲେ।

ଏହି କାର୍ଯ୍ୟକ୍ରମର ଅନ୍ୟତମ ମୁଖ୍ୟ ଆକର୍ଷଣ ଥିଲା ‘ମାନୁଫାକ୍ଚରିଂ ଇନୋଭେସନ୍ ଏବଂ ଷ୍ଟାର୍ଟଅପ୍ ପାଇଁ ଓଡ଼ିଶାର ଉଦ୍ଭାସିତ ବ୍ୟବସ୍ଥାର ଉପଯୋଗ – ଦୃଷ୍ଟିପାତ ୨୦୩୬ ‘ଶୀର୍ଷକ ଆଲୋଚନାଚକ୍ର । ଓଡ଼ିଶାରେ ଉତ୍ପାଦନ ଭିତ୍ତିକ ଉଦ୍ଭାବନ, ଉଦ୍ୟୋଗିତା ଏବଂ ଷ୍ଟାର୍ଟଅପ୍ ବିକାଶର ସୁଯୋଗ ବିଷୟରେ ଆଲୋଚନା କରିବା ପାଇଁ ଏହି ଅଧିବେଶନରେ ବିଶେଷଜ୍ଞ ଏବଂ ଶିଳ୍ପ ନେତୃବୃନ୍ଦ ଏକତ୍ରିତ ହୋଇଥିଲେ । ଏହି ଅବସରରେ ବକ୍ତବ୍ୟ ରଖି ମାନ୍ୟବର ଓଡ଼ିଶା ରାଜ୍ୟପାଳ ଡକ୍ଟର ହରି ବାବୁ କମ୍ଭମପତି କହିଥିଲେ,

‘ଏମଏସଏମଇଗୁଡ଼ିକ ଓଡ଼ିଶାର ଅର୍ଥନୈତିକ ବିକାଶର ମେରୁଦଣ୍ଡ ଏବଂ ନିଯୁକ୍ତି ସୃଷ୍ଟି, ଉଦ୍ୟମିତା ପ୍ରୋତ୍ସାହନ ଓ ସ୍ଥାନୀୟ ଶିଳ୍ପକୁ ସୁଦୃଢ଼ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥାନ୍ତି। ରାଜ୍ୟସାରା ଏମଏସଏମଇଗୁଡ଼ିକର ଅବଦାନକୁ ସହଯୋଗ ଓ ସ୍ୱୀକୃତି ଦେବା ପାଇଁ ଓସ୍ମେର ନିରନ୍ତର ପ୍ରଚେଷ୍ଟାକୁ ମୁଁ ପ୍ରଶଂସା କରୁଛି। ଓଡ଼ିଶା ଏକ ଶକ୍ତିଶାଳୀ ଓ ଅଧିକ ଆତ୍ମନିର୍ଭରଶୀଳ ଅର୍ଥବ୍ୟବସ୍ଥା ଆଡ଼କୁ ଅଗ୍ରସର ହେଉଥିବା ବେଳେ ନବୋନ୍ମେଷ, ସହଯୋଗିତା ଏବଂ ସ୍ଥାୟୀ ଶିଳ୍ପ ବିକାଶକୁ ପ୍ରୋତ୍ସାହିତ କରିବା ପାଇଁ ଏପରି ମଞ୍ଚଗୁଡ଼ିକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ।

ଏହି ଅବସରରେ ଆହୁରି ମତ ପ୍ରକାଶ କରି ରାଜ୍ୟପାଳ ଡକ୍ଟର ହରି ବାବୁ କମ୍ଭମପତି କହିଥିଲେ ଯେ, ଓଡ଼ିଶାର ଏମଏସଏମଇ ପରିବେଶ ପାଇଁ ଋଣ ପ୍ରାପ୍ତିକୁ ସରଳ କରିବା ନିମନ୍ତେ ବ୍ୟାଙ୍କିଂ କ୍ଷେତ୍ର ସିବିଲ ସ୍କୋର ସମ୍ବନ୍ଧୀୟ ଆବଶ୍ୟକତାରେ ଥିବା ବାଧାଗୁଡ଼ିକୁ ଦୂର କରିବା ଉଚିତ। ଏହାଦ୍ୱାରା ଏମଏସଏମଇ ଗୁଡ଼ିକୁ ସହଜରେ ଋଣ ପ୍ରବାହ ସୁନିଶ୍ଚିତ ହେବା ସହ ସେମାନଙ୍କର ବିକାଶକୁ ତ୍ୱରାନ୍ୱିତ କରାଯାଇପାରିବ। ମାନ୍ୟବର ଶିଳ୍ପମନ୍ତ୍ରୀ ଶ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ କହିଛନ୍ତି ଯେ ଓସମେ ଏମ୍ଏସ୍ଏମ୍ଇଗୁଡ଼ିକର ପ୍ରୋତ୍ସାହନ ଓ ସହଯୋଗ କ୍ଷେତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ସେତୁ ଭାବେ କାର୍ଯ୍ୟ କରୁଛି ।

ଓଡ଼ିଶାର ଏମ୍ଏସ୍ଏମ୍ଇ ପରିବେଶକୁ ସୁଦୃଢ଼ କରିବା ଦିଗରେ ଏହାର ପ୍ରୟାସକୁ ସେ ପ୍ରଶଂସା କରିଛନ୍ତି। ସେ କହିଛନ୍ତି ଯେ ‘ଭିଜନ୍ ଓଡ଼ିଶା ୨୦୩୬’ ଅଧୀନରେ ରାଜ୍ୟର ଶିଳ୍ପଗତ ଲକ୍ଷ୍ୟ ହାସଲ କରିବାରେ ଓସମେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେବ। ଏଥିସହିତ ନବସୃଜନ କେବଳ ପରୀକ୍ଷାଗାର ମଧ୍ୟରେ ସୀମିତ ନରହି ପ୍ରତ୍ୟେକ କ୍ଷେତ୍ରରେ ପହଞ୍ଚିବା ଆବଶ୍ୟକ ବୋଲି ସେ ଗୁରୁତ୍ୱାରୋପ କରିଛନ୍ତି । ଓସ୍ମେର ଅଧ୍ୟକ୍ଷ ଗୌରୀ ଶଙ୍କର ଦାଶ କହିଥିଲେ, ‘ଓଡ଼ିଶାର ଏମଏସଏମଇ କ୍ଷେତ୍ରରେ ନିଯୁକ୍ତି,
ନବସୃଜନ ଏବଂ ସମାବେଶୀ ଅର୍ଥନୈତିକ ପ୍ରଗତିକୁ ଆଗେଇ ନେବାର ଅପାର ସମ୍ଭାବନା ରହିଛି। ଏହି ସମ୍ମିଳନୀ ଶିଳ୍ପ ଏବଂ ସରକାରୀ ଭାଗୀଦାରମାନଙ୍କୁ ଏକାଠି କରିବା ସହ ରାଜ୍ୟର ଉଦ୍ୟୋଗୀ ଓ ଶିଳ୍ପାନୁଷ୍ଠାନଗୁଡ଼ିକ ପାଇଁ ଆବଶ୍ୟକୀୟ ବାତାବରଣକୁ ସୁଦୃଢ଼ କରିବାରେ ଏକ ଗୁରୁତ୍ୱପୂର୍ଣ୍ଣ ମଞ୍ଚ ପ୍ରଦାନ କରିଛି ।’ ଓସ୍ମେର ମହାସଚିବ ସାତ୍ତ୍ଵିକ ସ୍ବାଇଁ କହିଛନ୍ତି, ‘ ୪୧ତମ ବାର୍ଷିକ ସମ୍ମିଳନୀ ଓଡ଼ିଶାର ଉଦ୍ୟୋଗୀମାନଙ୍କ ଅବଦାନକୁ ସ୍ୱୀକୃତି ଦେବା ସହ ଉତ୍ପାଦନ,

ଷ୍ଟାର୍ଟଅପ୍ ଏବଂ ଏମଏସଏମଇର ଭବିଷ୍ୟତ ଆଡ଼କୁ ଦୃଷ୍ଟିପାତ କରିବାର ଏକ ସୁଯୋଗ ଥିଲା। ଏହି ଆଲୋଚନା ସମଗ୍ର ଓଡ଼ିଶାର ଉଦ୍ୟୋଗଗୁଡ଼ିକ ପାଇଁ ନୂତନ ସୁଯୋଗ ସୃଷ୍ଟି କରିବାରେ ସହଯୋଗର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲା । ‘ଓଡ଼ିଶାରେ ଏମଏସଏମଇଗୁଡ଼ିକୁ ସଶକ୍ତ କରିବା ଏବଂ ଏକ ମଜବୁତ ଓ ଅଧିକ ସୁଦୃଢ଼ ଶିଳ୍ପ ବାତାବରଣ ଗଢ଼ିତୋଳିବା ପାଇଁ ନୂତନ ସଂକଳ୍ପ ସହ ଏହି ସମ୍ମିଳନୀ ଉଦ୍ଯାପିତ ହୋଇଥିଲା ।














