No Result
View All Result
୧୩ ଜୁନ୍,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) କଳାହାଣ୍ଡି :-> ସ୍ଥାନୀୟ ଜିଲ୍ଲାପାଳଙ୍କ ସଦଭାବନା ଗୃହରେ ଜିଲ୍ଲାପାଳ ପି ଅନ୍ୱେଷା ରେଡ୍ଡୀଙ୍କ ଅଧ୍ୟକ୍ଷତା ରେ ଜିଲ୍ଲା ସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ ପ୍ରସ୍ତୁତି କମିଟି ସମ୍ବନ୍ଧୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ କଳାହାଣ୍ଡି ସାଂସଦ ଶ୍ରୀମତୀ ମାଳବିକା ଦେବୀ ,ଭବାନୀପାଟଣା ବିଧାୟକ ସାଗରଚରଣ ଦାସ,ଧର୍ମଗଡ ଉପ ଜିଲ୍ଲାପାଳ ଧିମନ ଚକମାଙ୍କ ସମେତ ଜିଲ୍ଲା ସ୍ତରୀୟ ବିଭାଗୀୟ ଅଧିକାରୀ,ତହସିଲଦାର,ବି ଡି ଓ ଉପସ୍ଥିତ ଥିଲେ ।ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ତନ୍ମୟ କୁମାର ଦରୱାନ ସମସ୍ତଙ୍କୁ ସ୍ବାଗତ କରି ଏଜେଣ୍ଡା ଅନୁଯାୟୀ ସଭାକୁ ପରିଚାଳନା କରିଥିଲେ । ବୈଠକରେ ଜିଲ୍ଲାରେ ସମ୍ଭାବ୍ୟ ବାତ୍ୟା,ବନ୍ୟା କିମ୍ବା ଅତ୍ୟଧିକ ବର୍ଷା ହୁଏ ତେବେ ତାହାର ସଠିକ୍ ମୁକାବିଲା କିପରି କରାଯାଇପାରିବ ସେ ବିଷୟକୁ ନେଇ ବିଭିନ୍ନ ବିଭାଗୀୟ ଅଧିକାରୀଙ୍କ ଭୂମିକା କିପରି ସଠିକ୍ ରୂପେ ରୂପାୟନ ହୋଇପାରିବ ତା ଉପରେ ଆଲୋଚନା କରାଗଲା ।
ବିଧାୟକ ଭବାନୀପାଟଣା ସାଗର ଚରଣ ଦାସ ନିଜ ବକ୍ତବ୍ୟରେ କଳାହାଣ୍ଡି ଜିଲ୍ଲାରେ ବନ୍ୟା, ବର୍ଷା ପୂର୍ବରୁ ନଦୀବନ୍ଧ ତଥା ସହରାଞ୍ଚଳ ନାଳ ମରାମତି,ଜଳ ଅବରୋଧ ସ୍ଥାନ ଚିହ୍ନଟ , ବନ୍ୟାପ୍ଲାବିତ ଅଞ୍ଚଳରେ ଆବଶ୍ୟକ ଔଷଧ , ସାପ କାମୁଡା ଇଞ୍ଜେକସନ ଓ ଖାଦ୍ୟ ମହଜୁଦ ଉପରେ ପ୍ରଶାସନ ପଦକ୍ଷେପ ନେବାକୁ କହିଥିଲେ । ସାଂସଦ ମାଳବିକା ଦେବୀ ବନ୍ୟା ପରବର୍ତ୍ତୀ ସମୟରେ ହଇଜା,ଡେଙ୍ଗୁ, ମ୍ୟାଲେରିଆ ନିରାକରଣ ପାଇଁ ପ୍ରତିଷେଧକ,ବିପର୍ଯ୍ୟୟ ପୂର୍ବ ପ୍ରସ୍ତୁତି,ବିପର୍ଯ୍ୟୟ ସମୟ ଓ ବିପର୍ଯ୍ୟୟ ପରବର୍ତ୍ତୀ କାଳରେ ସଂପୃକ୍ତ ଅଧିକାରୀଙ୍କ ଦାୟିତ୍ୱ ଓ ତ୍ୱରିତ ପଦକ୍ଷେପ ଉପରେ ପ୍ରଶାସନ ଗୁରୁତ୍ଵ ଦେବାକୁ ଅନୁରୋଧ କରିଥିଲେ ।
ବିପର୍ଯ୍ୟୟ ସମୟରେ ଯେମିତି ଲୋକଙ୍କୁ ସୁରକ୍ଷିତ ଉଦ୍ଧାର, ଆଶ୍ରୟସ୍ଥଳୀରେ ରହିବା ବ୍ୟବସ୍ଥା, ଯୋଗାଯୋଗ ବ୍ୟବସ୍ଥା,ଖାଦ୍ୟ,ପାନୀୟ,ଶିଶୁ ଖାଦ୍ୟ,ଔଷଧ,ଆଲୋକର ବ୍ୟବସ୍ଥା, ନିୟନ୍ତ୍ରଣ କେନ୍ଦ୍ର ସ୍ଥାପନ,ମହିଳା ,ଶିଶୁ ,ଭିନ୍ନକ୍ଷମ ଓ ବୃଦ୍ଧଙ୍କ ପାଇଁ ଉଚିତ ବ୍ୟବସ୍ଥା ଉପରେ ଆଲୋଚନା ହୋଇଥିଲା । ଜିଲ୍ଲାପାଳ ପ୍ରାକୃତିକ ବିପର୍ଯୟ ମୁକାବିଲା ଦିଗରେ ସମସ୍ତ ବିଭାଗୀୟ ଅଧିକାରୀ ନିଜ ଦାୟିତ୍ୱ ସହ ଆଗୁଆ ପଦକ୍ଷେପ ସହ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦେଇଥିଲେ । ବନ୍ୟା ପରିସ୍ଥିତିରେ ଉଦ୍ଧାର ଓ ଥଇଥାନ କରିବା ନିମନ୍ତେ ଅସ୍ଥାୟୀ ଆଶ୍ରୟସ୍ଥଳୀ ପ୍ରସ୍ତୁତ , ଶୁଖା ରନ୍ଧା ଖାଦ୍ୟ ବ୍ୟବସ୍ଥା,ଔଷଧ ମହଜୁଦ,ନଦୀ ବନ୍ଧ ଓ ଘାଇ ମରାମତି,ସହରାଞ୍ଚଳରେ ନାଳ ସଫେଇ ଓ ମରାମତି, ପାଇପ୍ ଦ୍ବାରା ବିଶୁଦ୍ଧ ଓ ବିଶୋଧିତ ଜଳ ଯୋଗାଣ,
ନଳକୂପ ବିଶୋଧନ, ସମସ୍ତ ସ୍ବାସ୍ଥ୍ୟ କେନ୍ଦ୍ରରେ ଆବଶ୍ୟକ ଔଷଧ , ହେଲୋଜିନ ବାଟିକା, ଓ ଆର୍ ଏସ, ବ୍ଲିଚିଂ, ସାପ କାମୁଡା ଇଞ୍ଜେକସନ ଉପଲବ୍ଧ, ପ୍ରାଣୀସମ୍ପଦର ସୁରକ୍ଷା ନିମନ୍ତେ ଟୀକା ଏବଂ ଔଷଧ ସହ ପଦକ୍ଷେପ,ଦୁର୍ଗମ ଅଞ୍ଚଳରେ ଅତ୍ୟାବଶ୍ୟକ ସାମଗ୍ରୀ , ଜିଲ୍ଲା ଓ ବ୍ଲକ ସ୍ତରରେ ନିୟନ୍ତ୍ରଣ କକ୍ଷ ସ୍ଥାପନ, ବୃଷ୍ଟିପାତ ସମ୍ବର୍ଦ୍ଧିତ ତଥ୍ୟ ପ୍ରଦାନ, ସାର ଓ କୀଟନାଶକ ମହଜୁଦ, ବିପର୍ଯ୍ୟୟ ସମୟରେ ରାସ୍ତା ଅବରୋଧକୁ ହଟାଇବା ସମ୍ବର୍ଦ୍ଧିତ ସଂପୃକ୍ତ ସମସ୍ତ ବିଭାଗୀୟ ଅଧିକାରୀଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଥିଲେ । ବିପର୍ଯ୍ୟୟ ସମୟରେ ପ୍ରଶାସନ ଦ୍ଵାରା ସ୍ଥାପିତ ଜିଲ୍ଲା ନିୟନ୍ତ୍ରଣ କକ୍ଷର ଫୋନ୍ ନମ୍ୱର ୦୬୬୭୦ ୨୩୦୪୫୫କୁ ଯୋଗାଯୋଗ କରିବାକୁ ସମସ୍ତଙ୍କୁ ଅନୁରୋଧ କରାଯାଇଥିଲା ।
No Result
View All Result