No Result
View All Result
୨୯ ଏପ୍ରିଲ, ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ପୁରୀ :-> ସୋମବାର ପ୍ରଥମ ଦିନ ୬ଜଣ ପ୍ରାର୍ଥୀ ନାମାଙ୍କନପତ୍ର ଦାଖଲ କରିଛନ୍ତି । ପୁରୀ ଲୋକସଭା ପାଇଁ ବିଜେପି ପ୍ରାର୍ଥୀ ଡାକ୍ତର ସମ୍ବିତ ପାତ୍ର ଜିଲ୍ଲାପାଳଙ୍କ କାର୍ଯ୍ଯାଳୟରେ ନାମାଙ୍କନପତ୍ର ଦାଖଲ କରିଛନ୍ତି । ସେ ଉତରା ଛକଠାରୁ ଶୋଭାଯାତ୍ରା ବାହାର କରି ପିପିଲି ସାକ୍ଷୀଗୋପାଳ ଦେଇ ପୁରୀ ଗୁଣ୍ଡିଚା ନିକଟରେ ପହଞ୍ଚି ଥିଲେ । ତାଙ୍କ ସହିତ ପିପିଲିର ବିଧାୟକ ପ୍ରାର୍ଥୀ ଆର୍ଶିତ ପଟ୍ଟନାୟକ ବ୍ରହ୍ମଗିରିର ବିଜେପି ପ୍ରାର୍ଥୀନୀ ଉପାସନା ମହାପାତ୍ର ଓ ସମର୍ଥକଙ୍କ ସହ ସାମିଲ ହୋଇ ଥିଲେ ।
ସତ୍ଯବାଦୀ ନିର୍ବାଚନ ମଣ୍ଡଳୀ ପାଇଁ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ)ଙ୍କ ନିକଟରେ ବିଜେଡି ପ୍ରାର୍ଥୀ ସଞ୍ଜୟ କୁମାର ଦାସବର୍ମା ସାକ୍ଷୀଗୋପାଳରୁ ଶୋଭାଯାତ୍ରା ବାହାର କରି ଜିଲ୍ଲାପାଳଙ୍କ କାର୍ଯ୍ଯାଳୟ ନିକଟରେ ପହଞ୍ଚି ଥିଲେ । ଉପଜିଲ୍ଲାପାଳଙ୍କ କାର୍ଯ୍ଯାଳୟରେ ପୁରୀ ବିଧାନସଭା ପାଇଁ ବିଜେଡି ପ୍ରାର୍ଥୀ ସୁନୀଲ ମହାନ୍ତି ଓ ସ୍ବାଧୀନ ପ୍ରାର୍ଥୀ ହରେକୃଷ୍ଣ ସିଂହାରୀ ପ୍ରାର୍ଥୀପତ୍ର ଦାଖଲ କରିଥିଲେ ।
ସୁନୀଲଙ୍କ ବିରାଟ ଶୋଭାଯାତ୍ରା ବଗଲା ଧର୍ମଶାଳା ଠାରୁ ବାହାରି ସିଂହଦ୍ଵାର ଦୋଳମଣ୍ଡପ ସାହି ଦେଇ ଉପଜିଲ୍ଲାପାଳଙ୍କ କାର୍ଯ୍ଯାଳୟ ନିକଟରେ ପହଞ୍ଚିଥିଲା । ଏହି ଶୋଭାଯାତ୍ରାରେ ପୁରୀ ସହର ଓ ସଦରର ହଜାର ହଜାର ଯୁବ ଛାତ୍ର ମହିଳାମାନେ ଯୋଗ ଦେଇଥିଲେ । ସୁନୀଲଙ୍କ ସହ ରାଜ୍ୟସଭା ସାଂସଦ ଶୁଭାଶିଷ ଖୁଣ୍ଟିଆ ସାମିଲ ହୋଇଥିଲେ । ଡେପୁଟି ସବ କଲେକ୍ଟରଙ୍କ ନିକଟରେ ବିଜେପି ପ୍ରାର୍ଥୀ ଆର୍ଶିତ ପଟ୍ଟନାୟକ ନାମାଙ୍କନପତ୍ର ଦାଖଲ କରିଥିଲେ ।
ସେହିପରି ପିପିଲିର ସ୍ବାଧୀନ ପ୍ରାର୍ଥୀ ଭାବେ ସମ୍ବିତ ପଟ୍ଟନାୟକ ନାମାଙ୍କନପତ୍ର ଦାଖଲ କରିଥିଲେ । ଆଜି ପ୍ରଥମ ଦିନରେ ଜଣେ ଲୋକସଭା ପ୍ରାର୍ଥୀଙ୍କ ସମେତ ୫ଜଣ ବିଧାନସଭା ପ୍ରାର୍ଥୀ ନାମାଙ୍କନପତ୍ର ଦାଖଲ କରିଥିଲେ । ଶାନ୍ତି ଶୃଙ୍ଖଳା ପାଇଁ ବ୍ଯାରିକେଡ ଓ ପୋଲିସ ବ୍ଯବସ୍ଥା କରାଯାଇଥିଲା । ପ୍ରାର୍ଥୀଙ୍କ ସହ ୪ଜଣଙ୍କୁ ନାମାଙ୍କନପତ୍ର ଦାଖଲ ପାଇଁ ପ୍ରବେଶ ଅନୁମତି ଦିଆଯାଇଥିଲା । ପ୍ରଥମ ପ୍ରାର୍ଥୀପତ୍ର ଦାଖଲ ଦିନ ସମର୍ଥକଙ୍କ ଉତ୍ସାହ ଦେଖିବାକୁ ମିଳିଥିଲା ।
No Result
View All Result