୧୯ ଏପ୍ରିଲ, ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବୋଲଗଡ :-> ପୂର୍ବତଟ ରେଳମଣ୍ଡଳ ଅନ୍ତର୍ଗତ ଖୋର୍ଦ୍ଧାରୋଡ -ବଲାଙ୍ଗିର ରେଳପଥରେ ଅବସ୍ଥିତ ବୋଲଗଡ ରେଳଷ୍ଟେସନଠାରେ. ରେଳ ଯାତ୍ରୀମାନଙ୍କ ପାଇଁ ପାନୀୟ ଜଳର ଘୋର ଅଭାବ ଦେଖାଦେଇଛି । ରେଳଯାତ୍ରୀ ଓ କର୍ମଚାରୀମାନଙ୍କ ଜଳ ଆବଶ୍ୟକତା ପୂରଣ ପାଇଁ ଏଠାରେ ଥିବା ଏକମାତ୍ର ଗଭୀର ନଳକୂପଟିରୁ ଏବେ ମଇଳାଗୁଣ୍ଡ ଯୁକ୍ତ ପାଣି ବାହାରୁ ଥିବା ବେଳେ ଏହା ଲୁହାଳିଆ ଗନ୍ଧଊଛି ! ଯାହାକି ରେଳଯାତ୍ରୀମାନଙ୍କ ପାଇଁ ପାନୀୟ ଉପଯୋଗୀ ହେଉନାହିଁ । ଏହି ନଳକୂପଟି ମଧ୍ୟ ଅଧିକାଂଶ ସମୟ ଖରାପ ହୋଇ ମରାମତି ପରେ ପୁନଃ ଚାଲୁ ରହିଛି । ଏହି ଷ୍ଟେସନଟି ପୁର୍ବରୁ ବୋଲଗଡ ଟାଉନ ପାସେଞ୍ଜର୍ ହଲ୍ଟ ଥିବାବେଳେ ଗତ ବର୍ଷ ଜୁନ ୩୦ ତାରିଖରେ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ସ୍ଥାନୀୟ ଜନସାଧାରଣଙ୍କ ଦାବୀକୁ ଗ୍ରହଣ କରି ଏଠାରେ ପହଞ୍ଚି ବୋଲଗଡ ଷ୍ଟେସନ ମାନ୍ୟତା ପ୍ରଦାନ କରିଥିଲାବେଳେ ସେବେଠାରୁ ଏହି ରେଳ ଷ୍ଟେସନରେ ଏକ୍ସପ୍ରେସ ଟ୍ରେନ ରହଣି ଆରମ୍ଭ ହୋଇଥିଲା ।
ତେବେ ଏହି ଷ୍ଟେସନର ଉନ୍ନତିକରଣରେ ଅହେତୁକ ବିଳମ୍ବ ପରିଲକ୍ଷିତ ହେବା ସହ ଆଗରୁ ଥିବା ସମସ୍ତ ସୁବିଧା ସବୁ ଅବ୍ୟବସ୍ଥିତ ହୋଇପଡିଛି । ଏହି ରେଳ ଷ୍ଟେସନ ଦେଇ ପ୍ରତ୍ୟହ ଦଶପଲ୍ଲା-ଭୁବନେଶ୍ୱର-ଦଶପଲ୍ଲା ପସେଞ୍ଜର,ଭଦ୍ରକ-ଦଶପଲ୍ଲା-ଭଦ୍ରକ ପସେଞ୍ଜର, ଦଶପଲ୍ଲା-ପୁରୀ-ଦଶପଲ୍ଲା ପସେଞ୍ଜର ଓ ଦଶପଲ୍ଲା- ଭୁବନେଶ୍ୱର-ଦଶପଲ୍ଲା ଏକ୍ସପ୍ରେସ ଏପରି ଚାରି ଗୋଟି ଟ୍ରେନ ଆଠ ଥର ରହଣି କରୁଥିବା ବେଳେ ଏହି ରେଳ ଷ୍ଟେସନରୁ ଶହଶହ ଯାତ୍ରୀ ଦୈନିକ ପୁରୀ,କଟକ,ଭୁବନେଶ୍ବର,ଭଦ୍ରକ,ଖୋର୍ଦ୍ଧା,ନୟାଗଡ଼, ଦଶପଲ୍ଲା ଆଦି ଅଂଚଳକୁ ଯାତାୟାତ ପାଇଁ ନିର୍ଭର କରୁଛନ୍ତି । ତେବେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ କାରଣରୁ ରେଳଯାତ୍ରୀମାନେ ମୌଳିକ ସୁବିଧା ସହିତ ଆବଶ୍ୟକତା ପାନୀୟ ଜଳର ଅଭାବ ନେଇ ଦୁର୍ଦ୍ଧଶା ଭୋଗୁଛନ୍ତି । ରେଳ ଷ୍ଟେସନ କର୍ମଚାରୀମାନେ ନିଜ ବ୍ୟବହାର ପାଇଁ ନିକଟସ୍ଥ ବୋଲଗଡ଼ ବ୍ଲକ କାର୍ଯ୍ୟାଳୟରୁ ପାନୀୟଜଳ ସଂଗ୍ରହକରି ଆଣୁଛନ୍ତି ।