୪ ଏପ୍ରିଲ, ୨୦୨୪ ( ଓଡିଶା ତାଜା ନ୍ୟୁଜ ) କଟକ :-> ଗୁରୁବାର ବାଙ୍କୀ ମହାନଦୀରେ ଡ଼ଙ୍ଗା ଓଲଟି ପଡ଼ିବାରୁ ୪ ଜଣ ସାଙ୍ଗ ପାଣିରେ ବୁଡ଼ି ଯାଇଥିଲେ । ସ୍ଥାନୀୟ ଲୋକମାନେ ତିନି ଜଣଙ୍କୁ ଉଦ୍ଧାର କରିଥିଲା ବେଳେ ଜଣେ ନିଖୋଜ ଅଛି । ନିଖୋଜ ଯୁବକ ଜଣଙ୍କ ହେଲେ ଢେଙ୍କାନାଳ ଜିଲ୍ଲା ସପ୍ତଶଯ୍ୟା ପଞ୍ଚାୟତର ସପ୍ତଶଯ୍ୟାପଡା ଗ୍ରାମର ନିରଞ୍ଜନ ନାୟକଙ୍କ ପୁଅ ରଜତ ନାୟକ ବୋଲି ଜଣାପଡିଛି l

ବାଙ୍କୀ ରତାଗଡ ଗୋବିନ୍ଦପୁର ଗ୍ରାମ ପଞ୍ଚାୟତର ସହାଙ୍ଗ ଗୋପାଳପୁର ନଦୀ ତୁଠରେ ଏହି ଘଟଣା ଘଟିଥିଲା । ସ୍ଥାନୀୟ ଲୋକମାନଙ୍କ ଦ୍ବାରା ବୁଡ଼ିଯାଉଥିବା ତିନି ଜଣଙ୍କୁ ଉଦ୍ଧାର କରାଯାଇଥିଲା । ଉଦ୍ଧାର ଯୁବକଙ୍କ ମଧ୍ୟରୁ ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ପ୍ରଥମେ ଆଠଗଡ଼ ଡାକ୍ତରଖାନାକୁ ପଠାଯାଇଥିଲା। ପରେ କଟକ ବଡ଼ ଡ଼ାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି ।

ଅନ୍ୟ ନିଖୋଜ ଯୁବକକୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି l ଏହି ଯୁବକମାନେ ଗାଧେଇବାକୁ ଆସି ମହାନଦୀର ଡ଼ଙ୍ଗାରେ ବୁଲୁଥିଲେ । ଡ଼ଙ୍ଗାଟି ଓଲଟି ପଡିବାରୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା । ନିଖୋଜ ଯୁବକକୁ ଉଦ୍ଧାର କରିବା ପାଇଁ ଅଗ୍ନିଶମ କର୍ମଚାରୀ ମାନେ ଘଟଣା ଘଟିଥିବା ସ୍ଥାନରେ ଖୋଜାଖୋଜି କରିଥିଲେ ମଧ୍ୟ ନିଖୋଜ ଯୁବକୁ ପାଇନଥିଲେ l
















