୨ ଏପ୍ରିଲ, ୨୦୨୪ ( ଓଡିଶା ତାଜା ନ୍ୟୁଜ ) ବେଗୁନିଆ :-> ବେଗୁନିଆ ସଦରମହକୁମାସ୍ଥିତ ନୂଆସାହି ଶ୍ରୀ ଜଗନ୍ନାଥ ମନ୍ଦିର ସଂଲଗ୍ନ ଆମ୍ରକାନନ ପରିସରରେ ସ୍ଥାନୀୟ “ଆଦର୍ଶ କ୍ଲବ” ପକ୍ଷରୁ ଉତ୍କଳ ଦିବସ ପାଳିତ ହୋଇଯାଇଛି। ପ୍ରାରମ୍ଭରେ ଶ୍ରାବ୍ୟ ଉପକରଣ ମାଧ୍ୟମରେ ” ବନ୍ଦେ ଉତ୍କଳ ଜନନୀ ” ସଙ୍ଗୀତ ଗାନ କରାଯାଇଥିଲା । କ୍ଲବର ସଭାପତି ସୂର୍ଯ୍ୟକାନ୍ତ ମହାପାତ୍ର କାର୍ଯ୍ୟକ୍ରମରେ ପୌରୋହିତ୍ୟ କରିଥିଲେ । ଉତ୍ସବକୁ ପ୍ରଫେସର ରବୀନ୍ଦ୍ର ନାଥ ପାଣିଗ୍ରାହୀ ସଂଯୋଜନା କରିବା ସହ ସ୍ୱାଗତ ଭାଷଣ ଦେଇଥିଲେ ।
ଶିକ୍ଷକ ଲକ୍ଷ୍ମୀଧର ମହାପାତ୍ର ମଙ୍ଗଳା ଚରଣ ପାଠ କରିଥିଲେ । ପ୍ରଥମେ ଓଡିଶାର ବରପୁତ୍ରମାନଙ୍କ ଫୋଟୋଚିତ୍ରରେ ମାଲ୍ୟାର୍ପଣ କରାଯିବା ପରେ ଛାତ୍ରଛାତ୍ରୀମାନେ ପ୍ରଫେସର ପାଣିଗ୍ରାହୀଙ୍କ ରଚନା ଓ ସଂଯୋଜନାରେ ଆବାହନୀ ସଙ୍ଗୀତ ଗାନ କରିଥିଲେ। ଏଥିରେ ବିଶିଷ୍ଟ ବାଗ୍ମୀ ଓ ସଂସ୍କୃତି ବିଶେଷଜ୍ଞ ବୈଷ୍ଣବ ଚରଣ ମହାନ୍ତି ମୁଖ୍ୟ ଅତିଥି , ସୁସାହିତ୍ୟିକ ତଥା ପ୍ରାକ୍ତନ ପ୍ରଶାସନିକ ଅଧିକାରୀ ଦେବପ୍ରସାଦ ଦାଶ ମୁଖ୍ୟ ବକ୍ତା ଓ ରସାୟନବିଜ୍ଞାନୀ ଡ. ହରିପ୍ରସାଦ ଦାସ ସମ୍ମାନିତ ଅତିଥି ରୂପେ ଯୋଗ ଦେଇ ମାତୃଭୁମି ଓ ମାତୃଭାଷାର ସୁରକ୍ଷା ପ୍ରତି ନାଗରିକର କର୍ତ୍ତବ୍ୟ ବୋଲି କହିଥିଲେ ।
ଉତ୍କଳ ଦିବସ ରାଜ୍ୟର ବରପୁତ୍ରମାନଙ୍କୁ କୃତଜ୍ଞତା ଜଣାଇବା ପାଇଁ ଏକ ମହାର୍ଘ ସୁଯୋଗ ସୃଷ୍ଟି କରିଥାଏ ବୋଲି ମତ ବ୍ୟକ୍ତ କରିଥାଏ। ଏହି ଅବସରରେ ଅନୁଷ୍ଠାନ ପକ୍ଷରୁ ଅତିଥି ମାନଙ୍କୁ ଉପଢୌକନ ଓ ଉତ୍ତରୀୟ ସହ ସମ୍ବର୍ଦ୍ଧିତ କରାଯାଇଥିଲା । ଶେଷରେ ଗାୟକ ପ୍ରଦୀପ କିଶୋର ତ୍ରିପାଠୀ ଉଦଯାପନୀ ସଙ୍ଗୀତ ପରିବେଷଣ କରିଥିବା ବେଳେ ସମ୍ପାଦକ ରାମଚନ୍ଦ୍ର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ଏଥିରେ ଶିକ୍ଷୟିତ୍ରୀ ପ୍ରତିମା ପ୍ରଧାନ , ସମାଜସେବୀ ପ୍ରଶାନ୍ତ ବାରିକ, ସୁରେନ୍ଦ୍ର ପାଲଟାସିଂହ,ସଭ୍ୟ ଲକ୍ଷ୍ମୀକାନ୍ତ ମହାପାତ୍ର,ମୀର ମେହେଫୁଜ ଅଲ୍ଲୀ ଓ ଭ୍ରମର ଦାସ ପ୍ରମୁଖ ସଭା ପରିଚାଳନାରେ ସହଯୋଗ କରିଥିଲେ।














