“ଷ୍ଟାର୍ଟଅପ୍ଗୁଡ଼ିକୁ କେବଳ ଭେଣ୍ଡର ଭାବେ ନଦେଖି, ସେମାନଙ୍କୁ ନବସୃଜନ ସହଯୋଗୀ ରୂପେ ଆପଣାନ୍ତୁ “: ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ
ଭୁବନେଶ୍ୱର (ଓଡିଶା ତାଜା ନ୍ୟୁଜ ) ନି.ପ୍ର :- ଓଡ଼ିଶାର ଷ୍ଟାର୍ଟଅପ୍ ବ୍ୟବସ୍ଥାକୁ ସୁଦୃଢ଼ କରିବା ଏବଂ ଶିଳ୍ପ ବିକାଶକୁ ତ୍ୱରାନ୍ୱିତ କରିବା ଉଦ୍ଦେଶ୍ୟରେ ଶୁକ୍ରବାର ଦିନ ଭୁବନେଶ୍ୱରରେ ଆସୋଚାମ ପକ୍ଷରୁ “ଓ-ଲିଡ୍ସ ୨୦୨୬ – ଓଡ଼ିଶା: ଦି ଗ୍ଲୋବାଲ ଗ୍ରୋଥ୍ ହବ” କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ଏଥିରେ ସରକାରୀ ପ୍ରତିନିଧି, ଶିଳ୍ପପତି, ଉଦ୍ୟୋଗୀ ଏବଂ ଶିକ୍ଷାନୁଷ୍ଠାନଗୁଡ଼ିକ ଏକାଠି ହୋଇଥିଲେ । ଉଦ୍ଘାଟନୀ ଅଧିବେଶନକୁ ସମ୍ବୋଧିତ କରି ଶିଳ୍ପ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ପୁଞ୍ଜିନିବେଶକୁ ନିଯୁକ୍ତି ଏବଂ ନୂତନ ଉଦ୍ଭାବନରେ ପରିଣତ କରିବା ପାଇଁ ଶିଳ୍ପ, ଶିକ୍ଷାନୁଷ୍ଠାନ, ଷ୍ଟାର୍ଟଅପ୍ ଏବଂ ସରକାରଙ୍କ ମଧ୍ୟରେ ଉତ୍ତମ ସମନ୍ୱୟ ରକ୍ଷା ଉପରେ ଗୁରୁତ୍ୱ ଦେଇଥିଲେ ।

“ଷ୍ଟାର୍ଟଅପ୍ଗୁଡ଼ିକୁ କେବଳ ଭେଣ୍ଡର ଭାବେ ନଦେଖି, ସେମାନଙ୍କୁ ନବସୃଜନର ଏକ ସହଯୋଗୀ ରୂପେ ଆପଣାନ୍ତୁ,” ବୋଲି ସ୍ୱାଇଁ କହିବା ସହ ଶିଳ୍ପ ଜଗତ ନିଜର ବାସ୍ତବ ବ୍ୟବସାୟିକ ସମସ୍ୟାଗୁଡ଼ିକୁ ଚିହ୍ନଟ କରି ତାର ସମାଧାନ ପାଇଁ ଷ୍ଟାର୍ଟଅପ୍ଗୁଡ଼ିକୁ ସାମିଲ କରିବାକୁ ପରାମର୍ଶ ଦେଇଥିଲେ । ସେ ପାଇଲଟ୍ ପ୍ରୋଜେକ୍ଟ, ମାର୍ଗଦର୍ଶନ, ପରୀକ୍ଷଣ ସୁବିଧା ଏବଂ ବଜାର ସୁଯୋଗ ଯୋଗାଇ ଷ୍ଟାର୍ଟଅପ୍ଗୁଡ଼ିକୁ ଇନକ୍ୟୁବେସନ୍ରୁ ବ୍ୟବସାୟୀକରଣ ଆଡ଼କୁ ନେବା ଆବଶ୍ୟକ ବୋଲି କହିଥିଲେ । ସେମିକଣ୍ଡକ୍ଟର, ଉନ୍ନତ ଉତ୍ପାଦନ, ଇଲେକ୍ଟ୍ରୋନିକ୍ସ, ଅଟୋମେସନ ଏବଂ ସବୁଜ ଶକ୍ତି ଭଳି ଉଦୀୟମାନ କ୍ଷେତ୍ରଗୁଡ଼ିକ ପାଇଁ ଯୁବପିଢ଼ିଙ୍କୁ ପ୍ରସ୍ତୁତ କରିବା ନିମନ୍ତେ ପାଠ୍ୟକ୍ରମ ପ୍ରସ୍ତୁତି, ଇଣ୍ଟର୍ଣ୍ଣସିପ୍, ଆପ୍ରେଣ୍ଟିସିପ୍, ଫାକଲଟି ତାଲିମ ସହ କାର୍ଯ୍ୟଦକ୍ଷତା ଯୋଜନାରେ ଶିଳ୍ପ ସଂସ୍ଥାଗୁଡ଼ିକର ଅଧିକ ଅଂଶଗ୍ରହଣ ପାଇଁ ସେ ଆହ୍ୱାନ ଜଣାଇଥିଲେ ।
ଆସୋଚାମ୍ ଓଡ଼ିଶା ରାଜ୍ୟ ଉନ୍ନୟନ ପରିଷଦର ଅଧ୍ୟକ୍ଷ ତଥା ଏମଜିଏମ ଗ୍ରୁପର ସିଏମଡି ଶ୍ରୀଯୁକ୍ତ ପଙ୍କଜ ଲୋଚନ ମହାନ୍ତି କହିଥିଲେ, “ଆମର ଲକ୍ଷ୍ୟ କେବଳ ଓଡ଼ିଶାକୁ ଏକ ଷ୍ଟାର୍ଟଅପ୍-ଅନୁକୂଳ ରାଜ୍ୟ କରିବା ମଧ୍ୟରେ ସୀମିତ ନୁହେଁ; ଆମକୁ ଏପରି ଏକ ବ୍ୟବସ୍ଥା ଗଢ଼ିବାକୁ ହେବ ଯେଉଁଠାରେ ଷ୍ଟାର୍ଟଅପ୍ ଜନ୍ମ ନେବେ, ଉଦ୍ୟୋଗ ବୃଦ୍ଧି ପାଇବ, ଶିଳ୍ପଗୁଡ଼ିକ ନୂତନ ଉଦ୍ଭାବନ କରିବେ ଏବଂ ଓଡ଼ିଶାର ବ୍ୟବସାୟ ବିଶ୍ୱ ସ୍ତରରେ ପ୍ରତିଦ୍ୱନ୍ଦ୍ୱିତା କରିପାରିବ ।” ଓଡ଼ିଶା ସରକାରଙ୍କ ଏମଏସଏମଇ ବିଭାଗର କମିଶନର ତଥା ସଚିବ ଶ୍ରୀମତୀ ରଶ୍ମିତା ପଣ୍ଡା (ଆଇଏଏସ) କହିଥିଲେ ଯେ, ଷ୍ଟାର୍ଟଅପ୍ଗୁଡ଼ିକୁ ବିଶ୍ୱ ସ୍ତରରେ ପହଞ୍ଚାଇବା ପାଇଁ ନୀତି, ଶିକ୍ଷାନୁଷ୍ଠାନ ଏବଂ ଶିଳ୍ପ ମଧ୍ୟରେ ଉତ୍ତମ ସମନ୍ୱୟ ଏକାନ୍ତ ଆବଶ୍ୟକ ।

ସେ ଉଦ୍ୟୋଗୀମାନଙ୍କୁ ସହାୟତା ଯୋଗାଇବା କ୍ଷେତ୍ରରେ ପ୍ରସ୍ତାବିତ ନୂତନ ଷ୍ଟାର୍ଟଅପ୍ ନୀତି, ଇକ୍ୱିଟି ପାଣ୍ଠି ଏବଂ ଶିଳ୍ପ ସହଯୋଗର ଭୂମିକା ଉପରେ ଆଲୋକପାତ କରିଥିଲେ । ଆସୋଚାମ୍ ଓଡ଼ିଶା ରାଜ୍ୟ ଷ୍ଟାର୍ଟଅପ୍ କାଉନସିଲର ଅଧ୍ୟକ୍ଷ ଶ୍ରୀ ଅବନୀଶ ନାୟକ କହିଥିଲେ ଯେ ଉଦ୍ଭାବନ ହିଁ ରାଜ୍ୟର ପରବର୍ତ୍ତୀ ବିକାଶକୁ ଆଗେଇ ନେବ । ସରକାର, ଶିଳ୍ପ ଏବଂ ଶିକ୍ଷାନୁଷ୍ଠାନର ମିଳିତ ଉଦ୍ୟମ ୨୦୩୬ ପୂର୍ବରୁ “ସମୃଦ୍ଧ ଓଡ଼ିଶା” ଗଠନର ଲକ୍ଷ୍ୟ ହାସଲ କରିବାରେ ସାହାଯ୍ୟ କରିବ ବୋଲି ସେ ଆଶା ପ୍ରକଟ କରିଥିଲେ । ଆସୋଚାମ୍ ଓଡ଼ିଶା ରାଜ୍ୟ ଉନ୍ନୟନ ପରିଷଦର ସହ-ଅଧ୍ୟକ୍ଷ ତଥା ଏସଏନଏମ ଗ୍ରୁପର ପରିଚାଳନା ନିର୍ଦ୍ଦେଶକ ଡକ୍ଟର ପ୍ରବୋଧ ମହାନ୍ତି ବାସ୍ତବ ବ୍ୟବସାୟିକ ତଥା ଶିଳ୍ପ ସମସ୍ୟାର ସମାଧାନ କରିବା ପାଇଁ ଷ୍ଟାର୍ଟଅପ୍ଗୁଡ଼ିକର ଭୂମିକା ଗୁରୁତ୍ବପୂର୍ଣ କହିଥିଲେ ।
୨୦୩୬ ସୁଦ୍ଧା ଓଡ଼ିଶାକୁ ୫୦୦ ବିଲିୟନ ଡଲାରର ଅର୍ଥନୀତିରେ ପରିଣତ କରିବାର ଲକ୍ଷ୍ୟକୁ ହାସଲ କରିବାକୁ ହେଲେ ସେ ଆଇଡିଆରୁ ଉତ୍ପାଦ, ଗ୍ରାହକ, ବ୍ୟବସାୟ ବିସ୍ତାର ଏବଂ ବିଶ୍ୱ ବଜାର ଯାଏଁ ଏକ ଦୃଢ଼ ଯାତ୍ରା ପାଇଁ ଆହ୍ୱାନ ଦେଇଥିଲେ । ଆସୋଚାମ୍ ଓଡ଼ିଶା ରାଜ୍ୟ ଶିକ୍ଷା ପରିଷଦର ଅଧ୍ୟକ୍ଷ ତଥା କଳିଙ୍ଗ ଗ୍ରୁପ୍ ଅଫ୍ ଇନଷ୍ଟିଚ୍ୟୁସନ୍ସର ଅଧ୍ୟକ୍ଷ ଡକ୍ଟର ଆଲେକ୍ସଜାଣ୍ଡାର ଦାସ ବିଶ୍ୱସ୍ତରୀୟ ସମସ୍ୟାର ସମାଧାନ ପାଇଁ ଶିଳ୍ପ ଚ୍ୟାଲେଞ୍ଜ, ଉଦ୍ୟୋଗୀ ମାର୍ଗଦର୍ଶନ, ନିବେଶ ଏବଂ ଶିକ୍ଷାଗତ ପ୍ରତିଭାକୁ ଏକତ୍ରିତ କରିବାର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ ।

ଆଇଟି ଏବଂ ଉଦୀୟମାନ ପ୍ରଯୁକ୍ତିବିଦ୍ୟା ପରିଷଦର ସହ-ଅଧ୍ୟକ୍ଷ ତଥା ପ୍ରାଇସୱାଟରହାଉସକୁପର୍ସ (ପିଡବ୍ଲ୍ୟୁସି)ର ପାର୍ଟନର ଶ୍ରୀ ଦେବାଙ୍କୁର ଘୋଷ ଗବେଷଣାକୁ ପ୍ରଭାବଶାଳୀ ଉଦ୍ଭାବନରେ ପରିଣତ କରିବା ପାଇଁ ଶିଳ୍ପ ଏବଂ ଶିକ୍ଷାନୁଷ୍ଠାନ ମଧ୍ୟରେ ଅଧିକ ସହଭାଗିତା ଉପରେ ଜୋର ଦେଇଥିଲେ । ଅକ୍ଟୋବର ୯ ଏବଂ ୧୦ ତାରିଖରେ ଆୟୋଜିତ ଏହି ଦୁଇ ଦିନିଆ ସମ୍ମିଳନୀରେ ଶିଳ୍ପ ଓ ଷ୍ଟାର୍ଟଅପ୍ର ସମ୍ପ୍ରସାରଣ, ଗବେଷଣାର ବ୍ୟବସାୟୀକରଣ ଏବଂ ଶିଳ୍ପ-ଶିକ୍ଷାନୁଷ୍ଠାନ ସହଭାଗିତାକୁ ମଜବୁତ କରିବା ଉପରେ ଧ୍ୟାନ ଦିଆଯାଇଛି । ଆସୋଚାମ୍ର ମହାସଚିବ ଶ୍ରୀ ସୌରଭ ସାନ୍ୟାଲଙ୍କ ଧନ୍ୟବାଦ ଅର୍ପଣ ସହ ପ୍ରଥମ ଦିନର କାର୍ଯ୍ୟକ୍ରମ ସମାପ୍ତ ହୋଇଥିଲା । ଏହି ସମ୍ମିଳନୀ ଶନିବାର ମଧ୍ୟ ଜାରି ରହିବ ।














