ଅଭିନେତା ମନୋଜ ମିଶ୍ର କଂଗ୍ରେସରେ ମିଶିବା ପରେ ବଲାଙ୍ଗୀର ଲୋକସଭା ଆସନରୁ ନିଜ ଭାଗ୍ୟ ପରଖିବେ ବୋଲି ଚର୍ଚ୍ଚା ହେଉଛି ।
9 ମାର୍ଚ୍ଚ,୨୦୨୪ (ଓଡିଶା ତାଜ଼ା ନ୍ୟୁଜ) ବଲାଙ୍ଗୀର :-> ବଲାଙ୍ଗୀର ଲୋକସଭା ଆସନକୁ ନେଇ ଆରମ୍ଭ ହୋଇଛି ଅଙ୍କକଷା । ତେବେ, ପ୍ରାର୍ଥିତ୍ୱକୁ ନେଇ ସବୁଦଳରେ ଦ୍ୱନ୍ଦ୍ୱ ରହିଥିବା କୁହାଯାଉଛି । ବିଜେଡିରେ ଟିକେଟ୍ ଦାବିଦାର୍ ଅଛନ୍ତି ପୂର୍ବତନ ସାଂସଦ କଳିକେଶ ସିଂହଦେଓ । ଗତ ନିର୍ବାଚନରେ ସେ ବିଜେପି ପ୍ରାର୍ଥୀ ସଙ୍ଗୀତା ସିଂହଦେଓଙ୍କଠାରୁ ପରାଜିତ ହେବାପରେ ସ୍ୱାଭାବିକ ଭାବେ ଦଳୀୟ ଟିକେଟ୍ ନେଇ ଆଶାବାଦୀ ରହିଛନ୍ତି । ଏଥିପାଇଁ ୨୦୧୯ ମସିହା ପରଠାରୁ ତାଙ୍କୁ ବିଭିନ୍ନ କାର୍ଯ୍ୟକ୍ରମର ଯୋଗ ଦେଉଥିବା ଏବଂ ଭିତରେଭିତରେ ସେ ମଧ୍ୟ ପ୍ରଚାରକୁ ତ୍ୱରାନ୍ୱିତ କରୁଥିବା ଦେଖିବାକୁ ମିଳୁଛି ।
ତେବେ, ଦଳ ହଟଚମଟ କଲାଭଳି ଯଦି କିଛି ନିଷ୍ପତ୍ତି ନିଅନ୍ତି, ତେବେ କଳିକେଶଙ୍କ ସାଂସଦ ପ୍ରାର୍ଥିତ୍ୱକୁ ନେଇ ହୁଏତ କିଛି ଭିନ୍ନ ନିଷ୍ପତ୍ତି ନିଆଯାଇପାରେ । ରାଜନୈତିକ ସମୀକ୍ଷକଙ୍କ ମତରେ, ଯଦି ସେହିଭଳି ହୁଏ କଳିକେଶଙ୍କୁ ବଲାଙ୍ଗୀର ବିଧାନସଭା ଆସନ ପାଇଁ ପ୍ରତିଦ୍ୱନ୍ଦ୍ୱିତା କରିପାରିବା ସମ୍ଭାବନା ରହିଛି । ଅନ୍ୟପକ୍ଷରେ, ବିଜେପି ପାଇଁ ସଂଗୀତା ସିଂହଦେଓ ଏକମାତ୍ର ଚେହେରା ଏବଂ ଟିକେଟ୍ ଦୌଡରେ ବିକଳ୍ପ ବୋଲି ସମର୍ଥକମାନେ କହୁଛନ୍ତି । ତେବେ, ଦେଶର ଅନ୍ୟ ରାଜ୍ୟରେ ହୋଇଥିବା ବିଧାନସଭା ନିର୍ବାଚନରେ ସାଂସଦମାନଙ୍କୁ ପ୍ରାର୍ଥୀକରି ଦଳ ଏକ ନୂଆ ରଣନୀତି ଆପଣାଇଥିଲା । ଯଦି ଦଳପକ୍ଷରୁ ସେହିଭଳି ନିଷ୍ପତ୍ତି ନିଆଯାଏ ଏବଂ ଓଡିଶାରେ ସମାନ ସୂତ୍ର ପ୍ରୟୋଗ କରାଯାଏ, ସଙ୍ଗୀତା ବିଧାନସଭାରେ ପ୍ରତିଦ୍ୱନ୍ଦ୍ୱିତା କରିବା ନେଇ ମଧ୍ୟ ସମ୍ଭାବନା ରହିଛି ।
ଏ ପ୍ରସଙ୍ଗରେ ରାଜନୈତିକ ସମୀକ୍ଷକଙ୍କ ମତ ହେଉଛି ସଂଗୀତାଙ୍କ ବିକଳ୍ପ ଭାବେ ନୂଆ ମୁହଁ ବାହାରିବା ଭଳି ମନେହେଉନାହିଁ । କଂଗ୍ରେସ ପାଇଁ ଏହି ଦ୍ୱନ୍ଦ୍ୱ ଆହୁରି ଜଟିଳ । ଅଭିନେତା ମନୋଜ ମିଶ୍ର କଂଗ୍ରେସରେ ମିଶିବା ପରେ ବଲାଙ୍ଗୀର ଲୋକସଭା ଆସନରୁ ନିଜ ଭାଗ୍ୟ ପରଖିବେ ବୋଲି ଚର୍ଚ୍ଚା ହେଉଛି । କିନ୍ତୁ ମନୋଜଙ୍କୁ ତରବରିଆ ଭାବେ ଟିକେଟ୍ ଦେବା ଦଳ ପାଇଁ ବି ବଡ ଝଟ୍କା ହୋଇପାରେ ବୋଲି କିଛି ସମୀକ୍ଷକ କହୁଛନ୍ତି । କାରଣ କଂଗ୍ରେସ ଶିବିରରେ ଟିକଟ୍ ଦୌଡରେ ବହୁ ପୁରୁଣା ନେତା ଅଛନ୍ତି । ପୁରୁଣାଙ୍କୁ ଅଣଦେଖା କରି ନବାଗତଙ୍କୁ ଟିକଟ୍ ଧରାଇବା ଦଳ ପାଇଁ ବଡ ଚାଲେଞ୍ଜ ହେବ । ଏଭଳି ସ୍ଥିତିରେ ଦଳ ଭିତରେ ଫାଟ ଆହୁରି ଲମ୍ବିବା ଆଶଙ୍କା ରହିବ ।