ଓଡିଶା ତାଜା ନ୍ୟୁଜ୍ (୨୮ ଜୁଲାଇ ମଙ୍ଗଳବାର ) ଭୁବନେଶ୍ୱର :- ଏହି ଦୁର୍ଗ ମେହରାନଗଢ଼ ଦୁର୍ଗ ଭାବେ ପରିଚିତ । ରାଜସ୍ତାନ ଯୋଧପୁର ସହରର ଠିକ ମଝିରେ ଏହି ଦୁର୍ଗ ଅବସ୍ଥିତ । ଏହି ଦୁର୍ଗ ପାଖାପାଖି ୧୨୫ ମିଟର ଉଚ୍ଚତାରେ ନିର୍ମାଣ ହୋଇଛି । ପଞ୍ଚଦଶ ଶତାବ୍ଦୀରେ ରାଓ ଯୋଧା ମେହରାନଗାଢ଼ ଦୁର୍ଗର ଭିତ୍ତି ପ୍ରସ୍ତର ସ୍ଥାପନା କରିଥିଲେ । ଦୁର୍ଗର ନିର୍ମାଣ କାର୍ଯ୍ୟ ମହାରାଜ ଯଶବନ୍ତ ସିଂହ ଶେଷ କରିଥିଲେ ।
ଏହି ଦୁର୍ଗ ଭାରତର ପ୍ରାଚୀନ ଏବଂ ବିଶାଳ ଦୁର୍ଗ ମଧ୍ୟରୁ ଗୋଟିଏ । ଏହାକୁ ଭାରତର ସମୃଦ୍ଧଶାଳୀ ଇତିହାସର ପ୍ରତୀକ ବୋଲି କୁହାଯାଏ । ମେହରାନଗଢ଼ ଦୁର୍ଗରେ ୮ଟି ଦ୍ୱାର ରହିଛି । ଦୁର୍ଗକୁ ଉଚ୍ଚ ଉଚ୍ଚ ପାଚେରୀ ଘେରି ରହିଛି । ଦୁର୍ଗର ୭ ଟି ଦ୍ୱାର ରହିଛି କିନ୍ତୁ ଅଷ୍ଟମ ଦ୍ୱାର ରହସ୍ୟ ମଧ୍ୟରେ ରହିଛି । ଏହି ଅଷ୍ଟମ ଦ୍ୱାରକୁ ରହସ୍ୟମୟୀ ଦ୍ୱାର ବୋଲି କୁହାଯାଏ । ହାତୀ ଆକ୍ରମଣରୁ ବଞ୍ଚିବା ପାଇଁ ଦୁର୍ଗର ପ୍ରଥମ ଦ୍ୱାରରେ କଣ୍ଟା ପୋତା ଯାଇଛି ।
ମେହରାନଗଢ଼ ଦୁର୍ଗ ଭିତରେ ଅନେକ ଭବ୍ୟ ମହଲ, କାରୁକାର୍ଯ୍ୟପୁର୍ଣ କବାଟ ଏବଂ ଝରକା ରହିଛି । ଏଥିରେ ମୋତି ମହଲ, ଫୁଲ ମହଲ, କାଚ ମହଲ, ସିଲେହ ଖାନା, ଦୌଲତ ଖାନା ସ୍ୱତନ୍ତ୍ର । ଦୁର୍ଗ ନିକଟରେ ମା’ ଚାମୁଣ୍ଡାଙ୍କ ମନ୍ଦିର ରହିଛି । ମା’ଙ୍କ ମନ୍ଦିର ୧୪୬୦ ଖ୍ରୀଷ୍ଟାବ୍ଦରେ ରାଓ ଯୋଧା ନିର୍ମାଣ କରିଥିଲେ । ନବରାତ୍ରି ସମୟରେ ଏଠାରେ ବିଶେଷ ପୂଜାର୍ଚ୍ଚନା ହୋଇଥାଏ ।
ମେହରାନଗଢ଼ ଦୁର୍ଗ ନିର୍ମାଣର ମଧ୍ୟ ଏକ କାହାଣୀ ରହିଛି । ରାଓ ଯୋଧା ଯେତେବେଳେ ଯୋଧପୁରର ୧୫ତମ ଶାସକ ହୋଇଥିଲେ ତାର ବର୍ଷେ ପରେ ସେ ଭାବିଲେ ମଣ୍ଡୋର ଦୁର୍ଗ ତାଙ୍କ ପାଇଁ ସୁରକ୍ଷିତ ନୁହେଁ । ସେଥିପାଇଁ ନିଜର ତତ୍କାଳୀନ ଦୁର୍ଗରୁ ଗୋଟିଏ କିମି ଦୂର ପାହାଡ ଉପରେ ଏକ ଦୁର୍ଗ ନିର୍ମାଣ କରିବା ପାଇଁ ଯୋଜନା କଲେ । ସେହି ପାହାଡ ‘ଭୋର ଚିଡ଼ିଆଟୋଙ୍କ’ ନାମରେ ଜଣାଶୁଣା । ଏହି ପାହାଡରେ ବହୁତ ସଂଖ୍ୟକ ପକ୍ଷୀ ରହୁଥିଲେ ବୋଲି ଏହାକୁ ଭୋର ଚିଡ଼ିଆଟୋଙ୍କ କୁହାଯାଉଥିଲା ।
ତେବେ ଦୁର୍ଗଟି ଅଭିଶପ୍ତ ବୋଲି ମଧ୍ୟ ବିଶ୍ୱାସ ରହିଛି । ଦୁର୍ଗ ନିର୍ମାଣ ପୂର୍ବରୁ ଏଠାରେ ଜଣେ ସାଧୁ ପକ୍ଷୀଙ୍କୁ ଖାଇବାକୁ ଦେଉଥିଲେ । ସାଧୁ ଜଣକ ଚିଡିଆୱାଲେ ବାବା ନାମରେ ପରିଚିତ ଥିଲେ । ତେବେ ଦୁର୍ଗ ନିର୍ମାଣ ସମୟରେ ସାଧୁଙ୍କୁ ପାହାଡ ଉପରକୁ ଆସିବାକୁ ବାରଣ କରାଯାଇଥିଲା । ଏଥିରେ ସାଧୁ କ୍ରୋଧିତ ହୋଇ ରାଜାଙ୍କୁ ଅଭିଶାପ ଦେଇଥିଲେ । ସାଧୁ ଅଭିଶାପ ଦେଇଥିଲେ ଯେ ପାହାଡ ଉପରେ ଯଦି ମହାରାଜା ତାଙ୍କର ସ୍ୱପ୍ନର ପ୍ରାସାଦ ସ୍ଥାପନ କରନ୍ତି ତେବେ ବାରମ୍ବାର ମରୁଡ଼ି ଦ୍ୱାରା ତାଙ୍କ ରାଜ୍ୟ ପ୍ରଭାବିତ ହେବ ।