ଓଡିଶା ଉଠା ଜଳସେଚନ ନିଗମ ଅଧ୍ୟକ୍ଷଙ୍କର ରାଉରକେଲା ଡିଭିଜନ ଗସ୍ତ
୩ ଫେବୃଆରୀ ୨୦୨୪ (ଓଡିଶା ତାଜା ନ୍ୟୁଜ ) ଭୁବନେଶ୍ୱର :-> ଓଡିଶା ଉଠା ଜଳସେଚନ ନିଗମ ଅଧ୍ୟକ୍ଷ ଶ୍ରୀ ଅମରେଶ ପତ୍ରୀ ତାଙ୍କର ୨ ଦିନିଆ ପଶ୍ଚିମ ଓଡିଶା ଗସ୍ତର ୨ୟ ଦିନରେ ଗତକାଲି ଶନିବାର ରାଉରକେଲା ଡିଭିଜନ କାର୍ଯ୍ୟାଳୟ ପରିଦର୍ଶନ କରି ସେ କାର୍ଯ୍ୟାଳୟରେ ବିଭାଗୀୟ ଯନ୍ତ୍ରୀମାନଙ୍କ ସହିତ ଏକ ସମୀକ୍ଷା ବୈଠକରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ପ୍ରକଳ୍ପ ସମ୍ପର୍କରେ ଆଲୋଚନା କରିଥିଲେ ।

ଏହି ଗସ୍ତ ପରିପ୍ରେକ୍ଷୀରେ ସେ ରାଉରକେଲା ଡିଭିଜନ ଅନ୍ତର୍ଗତ ନୂଆ ଗାଁ ବ୍ଲକରେ ପ୍ରମୁଖ କାର୍ଯ୍ୟ ଯୋଜନାରେ ପୁନରୁଦ୍ଧାର ହୋଇଥିବା ବର୍ଲେତ୍ତା କମ୍ୟୁନିଟି ଏଲ୍ଆଇପିର କାର୍ଯ୍ୟକାରିତା ବୁଲି ଦେଖିଥିଲେ । ମୋଟ ୨୫ ରୁ ୩୦ ଏକର ସେଚ ସାମର୍ଥ୍ୟ ସୃଷ୍ଟି ହୋଇଥିବା ଏହି ଉଠା ଜଳସେଚନ ପ୍ରକଳ୍ପ ଦ୍ୱାରା ଚାଷୀମାନେ ଖୁସିରେ ସେମାନଙ୍କର ଜମିରେ ଆଳୁ, ଲଙ୍କା, ପିଆଜ ଆଦି କରି ଲାଭବାନ ହେଉଛନ୍ତି ।

ସେହିପରି ଶ୍ରୀ ପତ୍ରୀ ନୂଆ ଗାଁ ବ୍ଲକର ଡୋଲଙ୍ଗସରା ଗ୍ରାମୀଣ ଭିତ୍ତିଭୂମି ପ୍ରକଳ୍ପ ଅନ୍ତର୍ଗତ ଆର୍.ଏଲ୍ ପ୍ରକଳ୍ପ ପରିଦର୍ଶନ କରିଥିଲେ । ୨୦ ହେକ୍ଟର ସେଚାଂଚଳରେ ଜଳ ସେଚନ ସୁବିଧା ହୋଇପାରିଥିବା ଏହି ପ୍ରକଳ୍ପରୁ ଚାଷୀମାନେ କିପରି ଉପକୃତ ହେଉଛନ୍ତି, ସେ ସମ୍ପର୍କରେ କୃଷକମାନଙ୍କୁ ପଚାରି ବୁଝିଥିଲେ ।

ଏହିସବୁ ପ୍ରକଳ୍ପ ଦ୍ୱାରା ଉପକୃତ ହେଉଥିବାଉଭୟ ପୁରୁଷ ଓ ମହିଳା କୃଷକମାନଙ୍କ ସହିତ ସେ ଆଲୋଚନା କରିଥିଲେ । ବିଶେଷ କରି ପ୍ରକଳ୍ପ ଅନ୍ତର୍ଗତ ସେଚାଂଚଳରେ ମହିଳା କୃଷକମାନଙ୍କର ଅଧିକ ଭାଗିଦାରିତା ରହୁଥିବାରୁ ଶ୍ରୀ ପତ୍ରୀ ଏଥିନେଇ ସନ୍ତୋଷ ପ୍ରକାଶ କରିବା ସହିତ ସେମାନଙ୍କୁ ଉତ୍ସାହିତ କରିଥିଲେ ।ଉଠା ଜଳସେଚନ ପ୍ରକଳ୍ପ ଦ୍ୱାରା ଚାଷୀମାନଙ୍କୁ ଜଳ ସେଚନ ସୁବିଧା କରିପାରିଥିବାରୁ ବିଶେଷ କରି ମହିଳା କୃଷକମାନେ ଖୁସି ବ୍ୟକ୍ତ କରିବା ସହିତ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଏଥିପାଇଁ କୃତଜ୍ଞତା ଓ ଧନ୍ୟବାଦ ଜଣାଇଛନ୍ତି ।

ଏହି ପରିଦର୍ଶନ ସମୟରେ ଅଧିକ୍ଷଣ ଓଏଲ୍ଆଇସି ଅଧିକ୍ଷଣ ଯନ୍ତ୍ରୀ ଶ୍ରୀ ସୂର୍ଯ୍ୟ ନାରାୟଣ ତ୍ରିପାଠୀ, ନିର୍ବାହୀ ଯନ୍ତ୍ରୀ ଶ୍ରୀ ମନୋରଞ୍ଜନ ନାଏକ, ସହକାରୀ ଯନ୍ତ୍ରୀ ତିରୁପତି ନନ୍ଦ , ମିଲନ୍ ଟପ୍ପୋ, ତାରିଣୀ ବେହେରା ଓ ସେଲେଷ୍ଟ୍ରିୟାନ୍ ସୋରେନ୍, କନିଷ୍ଠ ଯନ୍ତ୍ରୀ ସ୍ୱରୂପ ପରିଡା,ଶୁଭମ୍ ପାଲ ଓ ପଲ୍ଲବୀ ଆଚାର୍ଯ୍ୟ ପ୍ରମୁଖ ଉପସ୍ଥିତ ଥିଲେ । ପ୍ରକାଶ ଥାଉକି, ଓଏଲଆଇସି ଅଧ୍ୟକ୍ଷ ଶ୍ରୀ ପତ୍ରୀ ତାଙ୍କର ଏହି ଦୁଇ ଦିନିଆ ପଶ୍ଟିମ ଓଡିଶା ଗସ୍ତ ପରିପ୍ରେକ୍ଷୀରେ ଶୁକ୍ରବାର ସମ୍ବଲପୁର ଡିଭିଜନ ଗସ୍ତ କରି ସମୀକ୍ଷା ବୈଠକ କରିବା ସହିତ କ୍ଷେତ୍ର ପରିଦର୍ଶନ କରିଥିଲେ ।













