୩୦ ଜାନୁଆରୀ ୨୦୨୪ (ଓଡିଶା ତାଜା ନ୍ୟୁଜ) ଭୁବନେଶ୍ୱର :-> ରାଜ୍ୟ ଉଚ୍ଚଶିକ୍ଷା , ସମବାୟ , ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ଶତାୟୁ ସ୍ୱାଧୀନତା ସଂଗ୍ରାମୀ ସ୍ୱର୍ଗତ ନିଳମଣି ସାମଲଙ୍କୁ ତାଙ୍କର ଶେଷ ସମ୍ମାନ ଜଣାଇଛନ୍ତି । ମନ୍ତ୍ରୀ ଶ୍ରୀ ନାୟକ କଟକ ସ୍ୱରାଜ ଆଶ୍ରମରେ ସ୍ୱର୍ଗତ ସାମଲଙ୍କ ମର ଶରୀରରେ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ତାଙ୍କର ଶେଷ ସମ୍ମାନ ଜଣାଇଛନ୍ତି । ଏହି ଅବସରରେ ମନ୍ତ୍ରୀ ଶ୍ରୀ ନାୟକ କହିଛନ୍ତି ଯେ ଆମ ସମସ୍ତଙ୍କ ପାଇଁ ସେ ପ୍ରେରଣାର ଉତ୍ସ ଥିଲେ ।

ସ୍ୱାଧୀନତା ସଂଗ୍ରାମରେ ତାଙ୍କର ତ୍ୟାଗ ଓ ବଳିଦାନ ସଂପର୍କରେ ଆମେ ସମସ୍ତେ ଅବଗତ । ଜୀବନର ଶେଷ ମୁହୁର୍ତ ପର୍ଯ୍ୟନ୍ତ ସେ ବିଭିନ୍ନ ପ୍ରକାର ସାମଜିକ କାର୍ଯ୍ୟକ୍ରମରେ ବ୍ରତୀ ଥିଲେ । କିଭଳି ଭାବରେ କଷ୍ଟଲବ୍ଧ ସ୍ୱାଧୀନତାକୁ ଯୁବପୀଢି ନିଜେ ବୁଝିବେ ଏବଂ ଅନ୍ୟମାନଙ୍କୁ ବୁଝାଇବେ ସେ ସଂପର୍କରେ ସଭା ସମିତି ସବୁ କାର୍ଯ୍ୟକ୍ରମରେ ଯୋଗ ଦେଉଥିଲେ । ଆମେ ସବୁ ଯିଏ ତାଙ୍କ ସହିତ ମିଶିଥିଲୁ ଜଣେ ମୁରବିଙ୍କୁ ହରାଇଲୁ ଓ ଦିଗ୍ଦର୍ଶନକୁ ମଧ୍ୟ ହରାଇଲୁ ବୋଲି ମନ୍ତ୍ରୀ ଶ୍ରୀ ନାୟକ କହିଛନ୍ତି ।














