୩୦ ଜାନୁଆରୀ ୨୦୨୪ (ଓଡିଶା ତାଜା ନ୍ୟୁଜ) ବେଗୁନିଆ :- ବେଗୁନିଆ ଗାନ୍ଧୀ ସ୍ମୃତି ସଂସଦ ଆନୁକୂଲ୍ୟରେ ସ୍ଥାନୀୟ ଥାନା ସମ୍ମୁଖସ୍ଥ ଗାନ୍ଧୀ ସ୍ମୃତି ସ୍ଥଳରେ ” ସହିଦ ଦିବସ ” ପାଳିତ ହୋଇଯାଇଛି । ମଙ୍ଗଳବାର ସକାଳେ ବାପୁଜୀଙ୍କ ୭୬ ତମ ମହାପ୍ରୟାଣ ଦିବସ ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ସଂସଦର ସଭାପତି ଡ. ହରିପ୍ରସାଦ ଦାସ ପୌରୋହିତ୍ୟ କରିଥିଲେ । ଶ୍ରୀ ଜଗନ୍ନାଥ ଚେତନା ପରିଷଦର ସଦସ୍ୟମାନେ ସଂକୀର୍ତ୍ତନ ଓ ରାମଧୁନ ସହ ସ୍ମୃତିସ୍ଥଳ ପରିକ୍ରମା କରିଥିଲେ। ପରେ ଗାୟକ ବସନ୍ତ କୁମାର ଦାସଙ୍କ ମଙ୍ଗଳା ଚରଣ ପାଠ ସହ ଗାନ୍ଧିଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା ।
କାର୍ଯ୍ୟକ୍ରମ ଆବାହକ ପ୍ରଫେସର ରବୀନ୍ଦ୍ର ନାଥ ପାଣିଗ୍ରାହୀ ସ୍ୱାଗତ ଭାଷଣ ଦେବାସହ ବାପୁଙ୍କ ଉଦ୍ଦେଶ୍ୟରେ ସ୍ୱରଚିତ ଶ୍ରଦ୍ଧାଞ୍ଜଳି ସଙ୍ଗୀତ ଗାନ କରିଥିଲେ।ଏଥିରେ ସ୍ଥାନୀୟ ତହସିଲଦାର ତାପସ କୁମାର ବିଶି ମୁଖ୍ୟ ଅତିଥି ଓ ଡାକ୍ତର ଅମରେନ୍ଦ୍ର ନାଥ ମହାପାତ୍ର ମୁଖ୍ୟ ବକ୍ତା ରୂପେ ଯୋଗଦେଇ ଗାନ୍ଧୀ ଚେତନା ଯୁଗେ ଯୁଗେ ମାନବ ସମାଜକୁ ଉଦବୁଦ୍ଧ କରିବ ବୋଲି ମତ ବ୍ୟକ୍ତ କରିଥିଲେ । ସଭାରେ ଶିକ୍ଷାବିତ ଭାଗିରଥି ପରିଡା, ଦୀନବନ୍ଧୁ ଦାଶ , ପ୍ରଶାନ୍ତ ବାରିକ, ବ୍ରଜବନ୍ଧୁ ପଣ୍ଡା,ଶ୍ରୀବତ୍ସ ପାଣିଗ୍ରାହୀ, , ରାଜକିଶୋର ସାହୁ ଓ ସବିତା ରାୟ ପ୍ରମୁଖ ଉପସ୍ଥିତ ଥିଲେ। ଶେଷରେ ଗାୟିକା ମାନସୀ ଦାସ ବାପୁଙ୍କ ପ୍ରିୟ ଭଜନ ” ବୈଷ୍ଣବ ଜନତୋ ” ଗାନ କରିଥିବା ବେଳେ ଶିକ୍ଷୟିତ୍ରୀ ପ୍ରତିମା ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ।














