୯ ଜାନୁଆରୀ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ହିଞ୍ଜିଳିକାଟୁ :-> ଆସନ୍ତା ୧୭ ତାରିଖରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଭବ୍ୟ ଲୋକାର୍ପଣ ଉତ୍ସବ ଅନୁଷ୍ଠିତ ହେବ । କୋଟି କୋଟି ଓଡିଆଙ୍କ ମଉଡମଣି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଏହି ଭବ୍ୟ ଉତ୍ସବରେ ଯେପରି ପ୍ରତିଟି ଓଡିଆ ଯୋଡି ହୋଇ ଦିବ୍ୟ ଅନୁଭବର ସାନିଧ୍ୟ ଲାଭ କରିପାରିବେ ସେଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଅଭିନବ ପ୍ରୟାସ ଆରମ୍ଭ କରାଯାଇଛି । ଜୟ ଜଗନ୍ନାଥ ଅର୍ପଣ ରଥ ମାଧ୍ୟମରେ ପୁରପଲ୍ଲୀରୁ ସଦର ସମସ୍ତ ଅଞ୍ଚଳ ପରିକ୍ରମା କରି ପ୍ରଭୁ ଜଗନ୍ନାଥଙ୍କୁ ସମର୍ପଣ ଉଦ୍ଦେଶ୍ୟରେ ପ୍ରତି ଘରୁ ଅରୁଆ ଚାଉଳ ଓ ଗୁଆ ସଂଗ୍ରହ କରାଯାଉଛି ।

ଏହି ପରିପ୍ରେକ୍ଷୀରେ ମଙ୍ଗଳବାର ହିଞ୍ଜିଳିକାଟୁ ପୌରାଞ୍ଚଳରେ ଏହି ଅର୍ପଣ ରଥର ପରିକ୍ରମା ଯାତ୍ରା ବିଧିବଦ୍ଧ ଭାବେ ଆରମ୍ଭ ହୋଇଛି । ହିଞ୍ଜିଳିକାଟୁ ପୌରାଞ୍ଚର ବିଭିନ୍ନ ମନ୍ଦିରରୁ ଆଜ୍ଞାମାଳ ଆସିବା ପରେ ସ୍ଥାନୀୟ ପୌର କାର୍ଯ୍ୟାଳୟ ପରିସରରେ କର୍ମକାଣ୍ଡ ପୁରୋହିତ ଶଙ୍କର୍ଷଣ ପାଠୀଙ୍କ ତତ୍ତ୍ୱାବଧାନରେ ପୁରୋହିତ ମାନେ ପୂଜାର୍ଚ୍ଚନା କରିବା ପରେ ୨ଟି ଅର୍ପଣ ରଥର ଶୁଭାରମ୍ଭ କରାଯାଇଥିଲା । ପୌର କାର୍ଯ୍ୟ ନିର୍ବାହୀ ଅଧିକାରୀ ଜୁବୁଲି ଚରଣ ବେହେରାଙ୍କ ସଂଯୋଜନାରେ ଆୟୋଜିତ କାର୍ଯ୍ୟକ୍ରମରେ ପୌରାଧ୍ୟକ୍ଷ ସୁବାଷ ଚନ୍ଦ୍ର ପୋଲେଇ, ଉପାଧ୍ୟକ୍ଷା ସୁଚିତ୍ରା ପଣ୍ଡା,

ରାଜ୍ୟ ବିଜେଡି ସାଧାରଣ ସମ୍ପାଦକ ଦେବାନନ୍ଦ ମହାପାତ୍ର ଓ ଗ୍ରୀଟ ଅଧ୍ୟକ୍ଷ ପବିତ୍ର ମୋହନ ପାଣିଗ୍ରାହୀଙ୍କ ସମେତ କାଉନସିଲର ବସନ୍ତ କୁମାର ବେହେରା ଓ ଅନ୍ୟାନ୍ୟ କାଉନସିଲର ଯୋଗ ଦେଇଥିଲେ । ପ୍ରଥମ ଦିବସରେ ୨ଟି ରଥ ସ୍ଥାନୀୟ ପୌରାଞ୍ଚଳର ୧,.୧୨ ଓ ୧୯ ନଂ ୱାର୍ଡ ପରିଭ୍ରମଣ କରି ପ୍ରତ୍ୟେକଙ୍କ ଘରୁ ଗୁଆ ଓ ଅକ୍ଷତ ସଂଗ୍ରହ କରିଥିଲେ । ବୁଧବାର ୩,. ୫,୬ ଓ ୧୦ନଂ ୱାର୍ଡ, ଗୁରୁବାର .୮,୧୪ଓ ୧୫, ଶୁକ୍ରବାର ୧୬,୨୦ ଓ ୨୧, ଶନିବାର ୧୧,୧. ୧୭ ଓ ୧୮ ନଂ ୱାର୍ଡ ପରିଭ୍ରମଣ କରିବ ବୋଲି ପୌର କନିଷ୍ଠ ଯନ୍ତ୍ରୀ ମାନସ ରଞ୍ଜନ ଦାଶ ଓ ଦିଲ୍ଲିପ କୁମାର ମିଶ୍ରଙ୍କ ସୂତ୍ରରୁ ସୂଚନା ମିଳିଛି ।

ଆୟୋଜିତ କାର୍ଯ୍ୟକ୍ରମରେ ପୌର ଯନ୍ତ୍ରୀ ମୁକେଶ କୁମାର ପ୍ରଧାନ,କନିଷ୍ଠ ଯନ୍ତ୍ରୀ ସୁନୀଲ କୁମାର ନାହାକ,ସୌମ୍ୟ ରଞ୍ଜନ ଗ୍ରହାଚାର୍ଯ୍ୟ,ମାନସ ରଞ୍ଜନ ଦିଗାଲ, ଏ ମୋହନ ରାଓ ଆଚାରି, ସ୍ନେହଲତା ମିଶ୍ର, ରାମକୃଷ୍ଣ ଦାସ, ଲକ୍ଷ୍ମୀ ଗୌଡ଼, ଉର୍ମିଳା ନାୟକ ଓ ବୁଦ୍ଧିଜୀବିଙ୍କ ସମେତ ବହୁ ଶ୍ରଦ୍ଧାଳୁ ଯୋଗ ଦେଇଥିଲେ । ଅନୁରୂପ ଭାବେ ହିଞ୍ଜିଳିକାଟୁ ପଞ୍ଚାୟତ ସମିତି କାର୍ଯ୍ୟାଳୟ ପକ୍ଷରୁ ଗତ ୬ ତାରିଖ ଠାରୁ ଆରମ୍ଭ ହୋଇଥିବା ୩ଟି ଜଗନ୍ନାଥ ଅର୍ପଣ ରଥ ମଙ୍ଗଳବାର ସ୍ଥାନୀୟ ବ୍ଳକର ବଡଖଣ୍ଡି, ସମରଝୋଳ, ଗୋପିନାଥପୁର ଓ ରଙ୍ଗଣିପଲ୍ଲୀ ଗ୍ରାମ ପଞ୍ଚାୟତ ପରିଭ୍ରମଣ କରି ଶ୍ରଦ୍ଧାଳୁଙ୍କ ଠାରୁ ଗୁଆ ଓ ଅକ୍ଷତ ସଂଗ୍ରହ କରିଥିଲେ । ବିଡିଓ ସୁବ୍ରତ କୁମାର ଜେନାଙ୍କ ତତ୍ତ୍ୱାବଧାନରେ ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ସଭ୍ୟ, ସରପଞ୍ଚ,ସମିତିସଭ୍ୟ, ୱାର୍ଡ ସଭ୍ୟ ଓ ପଞ୍ଚାୟତି ନିର୍ବାହୀ ଅଧିକାରୀ ମାନେ ଉପସ୍ଥିତ ଥିଲେ ।














