ଓଡିଶା ତାଜା ନ୍ୟୁଜ୍ /ଡକ୍ଟର ଜୀମୂତ ମଙ୍ଗରାଜ (୨୧ ଜୁଲାଇ ମଙ୍ଗଳବାର ) ଭୁବନେଶ୍ୱର :- ପ୍ରିୟବ୍ରତ ପଟ୍ଟନାୟକଙ୍କ ସହିତ ମୋର ଚିହ୍ନା ପରିଚୟ ହୁଏ ଯେତେବେଳେ ସେ ସଦ୍ୟପ୍ରାପ୍ତ ଆଇଏଏସ୍ ଥିଲେ । ଖୋର୍ଦ୍ଧାରେ ସେ ଏସ୍ଡିଓ (ଉପଜିଲ୍ଲାପାଳ) ଭାବେ ନିଯୁକ୍ତି ପାଇଥିଲେ । ଖୋର୍ଦ୍ଧା ପ୍ରାଣନାଥ ମହାବିଦ୍ୟାଳୟରେ ସାଧାରଣ ନିର୍ବାଚନର ଭୋଟ ଗଣତି ହେଲା ବେଳେ ମୁଁ ଜନତା ଦଳ ପକ୍ଷରୁ ଭୋଟ ଗଣତି ଟେବୁଲ୍ର ପ୍ରତିନିଧି ହୋଇଥିଲି । ସେତେବେଳେ ମୁଁ ଛାତ୍ରଥିଲି । ଗଣତି ଚାଲିଥିବା ବେଳେ ମୁଁ ସବୁ ଟେବୁଲ୍ରୁ ଫଳାଫଳ ଆଣି ବାହାରକୁ ଦେଉଥିଲି । ସେତେବେଳେ ରିଟ୍ର୍ଣ୍ଣିଂ ଅଫିସ୍ର ଥିଲେ ପ୍ରିୟବ୍ରତ ପଟ୍ଟନାୟକ । ସେ ମୋର ଏହି କାର୍ଯ୍ୟକୁ ତାଗିଦ୍ କରିବା ସହିତ ଚେତାବନି ଦେଇଥିଲେ । ଏହା ପରେ ମୋର ତାଙ୍କ ସହିତ ଆଉ ସାକ୍ଷତ ହୋଇନଥିଲା । ବାଲେଶ୍ୱରରେ ସେ ଜିଲ୍ଲାପାଳ ହେଲେ । ସେତେବେଳକୁ ମୁଁ ସାମ୍ବାଦିକ ହୋଇସାରିଥିଲି । ଜିଲ୍ଲାପାଳ ଭାବେ ସେ ଲୋକମାନଙ୍କର ଅତିପ୍ରିୟ ଥିଲେ । ମନ୍ତ୍ରୀଙ୍କ କ୍ଷମତାକୁ ସେ ଖାତିରି କରୁନଥିଲେ ।
ତାଙ୍କୁ ନେଇ ରାଜନୀତି ମହଲରେ ମଧ୍ୟ ବେଶ୍ ଚହଳ ସୃଷ୍ଟି ହୋଇଥିଲା । ସେହି ସମୟରେ ମୁଁ ତାଙ୍କର ସାକ୍ଷାତକାରଟିଏ ନେଇଥିଲି । ଏହି ସାକ୍ଷାତକାର ହିଁ ପ୍ରିୟବ୍ରତ ପଟ୍ଟନାୟକ ଓ ମୋ ଭିତରେ ବ୍ୟକ୍ତିଗତ ସମ୍ପର୍କର ସେତୁ ହୋଇଯାଇଥିଲା । କ୍ରମେ ସେ ସଚିବାଳୟ ଆସିଲେ । ବିଜୁ ପଟ୍ଟନାୟକଙ୍କ ସମୟରେ ଯେତେବେଳେ ଭାରତ ବର୍ଷରେ ଆର୍ଥିକ ସଙ୍କଟ ଦେଖାଗଲା ଆଉ ପେଟ୍ରୋଲ, ଡ଼ିଜେଲ୍ର ଦର ବୃଦ୍ଧି ଘଟିଲା ସେତେବେଳେ ବିଜୁ ପଟ୍ଟନାୟକ ସରକାରୀ ଗାଡ଼ି ଚଳାଚଳ ଉପରେ କଟକଣା ଜାରି କଲେ । ନିଜେ ମଧ୍ୟ ରିକ୍ସାରେ ସଚିବାଳୟ ଆସିଲେ । ଏହି ସମୟରେ ପ୍ରିୟବ୍ରତ ପଟ୍ଟନାୟକ ସଚିବାଳୟକୁ ଘୋଡ଼ାରେ ଚଢ଼ି ଆସିବା ସହିତ ଘୋଡ଼ା ପାଇଁ ଏକ ଘୋଡ଼ାଶାଳ କରିବା ନିମନ୍ତେ ସରକାରଙ୍କଠାରୁ ଅନୁମତି ଚାହିଁଲେ । ଯେଉଁ ପତ୍ର ସେ ଲେଖିଥିଲେ ସେଥିରେ ଉଲ୍ଲେଖ ଥିଲା ଯେ, ଘୋଡ଼ାରେ ଆସିଲେ ପେଟ୍ରୋଲ, ଡ଼ିଜେଲ୍ର ଆବଶ୍ୟକତା ନାହିଁ । କେବଳ ଘୋଡ଼ାକୁ ବାନ୍ଧିବା ପାଇଁ ସ୍ଥାନଟିଏ ଦରକାର । ଏମିତି ପ୍ରିୟବ୍ରତ ପଟ୍ଟନାୟକ ଯେଉଁ ଯେଉଁ ବିଭାଗରେ କାର୍ଯ୍ୟ କରିଥିଲେ ସବୁଠି ସେ ଫାଇଲ୍ ମାଧ୍ୟମରେ ଶ୍ରେଷ୍ଠ ପ୍ରସ୍ତାବ ସରକାରଙ୍କୁ ଦେଉଥିଲେ ।
ଥରେ ହାତ ଗଣତି କେତେଜଣ ସାମ୍ବାଦିକଙ୍କୁ ମୋ ମାଧ୍ୟମରେ ପ୍ରିୟବ୍ରତ ପଟ୍ଟନାୟକ ଭୁବନେଶ୍ୱର କ୍ଲବ୍କୁ ରାତ୍ରି ଭୋଜନ ପାଇଁ ନିମନ୍ତ୍ରଣ କରିଥିଲେ । ରାତ୍ରି ଭୋଜନ ଶେଷ ହେବା ପରେ ପ୍ରିୟବ୍ରତ ପଟ୍ଟନାୟକ କହିଲେ- ସାମ୍ବାଦିକମାନେ ସମସ୍ତେ ସ୍ୱାର୍ଥପର । ନିଜେ ଆସି କ୍ଲବ୍ରେ ଭଲ କରି ଖାଇଲେ କିନ୍ତୁ ଘରେ ସ୍ତ୍ରୀ, ପିଲାପିଲି କଣ ଖାଇବେ ସେ କଥା ଚିନ୍ତା କରୁନାହାନ୍ତି । ଏହା କହି ସେ ସବୁ ସାମ୍ବାଦିକଙ୍କ ଘରକୁ ସେମାନଙ୍କ ପରିବାର ପାଇଁ କ୍ଲବ୍ରୁ ଖାଇବା ପଠାଇ ଦେଇଥିଲେ । ଏଥିରୁ ସ୍ପଷ୍ଟ ହୋଇଥିଲା ଯେ, ପ୍ରିୟବ୍ରତ ପଟ୍ଟନାୟକ କିପରି ଅତିଥି ପ୍ରିୟ ଥିଲେ । ସେ ଜଣେ ଚେନ୍ ସ୍କୋକ୍ର ଥିଲେ । ଦିନେ କ୍ଲବ୍ରେ ଆମେ ବସିଥିବା ବେଳେ ସେ କହିଲେ- ତାଙ୍କ ପତ୍ନୀ ସିଗାରେଟ୍ର ଧୂଆଁକୁ ଭଲପାଆନ୍ତି ନାହିଁ । ସେଥିପାଇଁ ସେ ଧୂଆଁ ବାହାରୁ ନଥିବା ସିଗାରେଟ୍ ଟାଣୁଛନ୍ତି । ପ୍ରିୟବ୍ରତ ପଟ୍ଟନାୟକ ଚାକିରିରୁ ଅବସର ଗ୍ରହଣ କଲେ । ମୋର ଜଣେ ବନ୍ଧୁ ଭୁବନେଶ୍ୱର କ୍ଲବ୍ ପ୍ରାଙ୍ଗଣରେ ତାଙ୍କ ଝିଅର ବିବାହ କରିବା ପାଇଁ ଚାହିଁଲେ । ମୁଁ ତାଙ୍କୁ ପ୍ରିୟବ୍ରତ ପଟ୍ଟନାୟକଙ୍କ ପାଖକୁ ନେଇଗଲି । ସେ ବାହାଘର କେମିତି ହେବ, ଭୋଜିରେ ମେନୁ କଣ ହେବ ସେ ସମ୍ପର୍କରେ କ୍ଲବ୍ର ମ୍ୟାନେଜର୍ଙ୍କ ଡ଼ାକି କହିଦେଲେ । ବନ୍ଧୁ ଜଣଙ୍କ ହାତ ଯୋଡ଼ି କହିଲେ- ସାର୍ ମୋ ପାଖରେ ଏତେ ଟଙ୍କା ନାହିଁ । ପ୍ରିୟବ୍ରତ ପଟ୍ଟନାୟକ କହିଲେ- ତମ ଝିଅ କଣ ମୋ ଝିଅ ନୁହେଁ । ଯେତିକି ପାରିବ ଦେବ । ବାକି ତକ ମୁଁ ପୁରଣ କରିଦେବି । କିଛି ମାସ ପୂର୍ବରୁ ମୁଁ ଖବର ପାଇଲି ଯେ, ପ୍ରିୟବ୍ରତ ପଟ୍ଟନାୟକ ଗୁରୁତର ରୋଗରେ ଆକ୍ରାନ୍ତ । ମୁଁ ତାଙ୍କୁ ଫୋନ୍ କଲି । ସେପଟୁ କ୍ଷୀଣ ସେ ସ୍ୱରରେ ହ୍ୟାଲୋ କହିଲେ । ମୁଁ ତାଙ୍କୁ ପଚାରିଲି ଦେହ କେମିତି ଅଛି ।
ସେ ମୋତେ କହିଲେ- ଚାକିରି ଆରମ୍ଭରୁ ମୁଁ ଦେହ ପ୍ରତି ଅତ୍ୟାଚାର କରିଛି । ଆଉ ଦେହ କେମିତି ଭଲ ରହନ୍ତା ? ଭଗବାନଙ୍କ ଶରଣରେ ଅଛି । ଏତିକି କହି ସେ ମୋବାଇଲ୍ ବନ୍ଦ କରିଦେଲେ । ଏହାପରେ ମୋର ଆଉ ତାଙ୍କ ସିହତ କଥାବାର୍ତ୍ତା ହୋଇନାହିଁ । ଖବର ପାଇଲି ସେ ଇହଧାମ ଛାଡ଼ି ଚାଲିଯାଇଛନ୍ତି । ଏମିତି ମୋ ବୟସଠାରୁ ତାଙ୍କ ବୟସ ଅଧିକ ଥିଲା । କିନ୍ତୁ ଆମେ ଦୁଇଜଣ ଘନିଷ୍ଠ ବନ୍ଧୁ ଥିଲୁ । ଜଣେ ଘନିଷ୍ଠ ବନ୍ଧୁଙ୍କୁ ହରାଇବା ଯେ, କେତେ କଷ୍ଟକର ତାହା କେବଳ ଅଙ୍ଗେଲିଭା ଲୋକ ହିଁ ଜାଣିପାରିବ । ମୁଁ କେବଳ ପ୍ରିୟବ୍ରତ ପଟ୍ଟନାୟକଙ୍କ ସମ୍ପର୍କରେ ଏତିକି କହିବି ଯେ, ସେ ଥିଲେ ଜଣେ ଦକ୍ଷ ଓ ଦୃଢ଼ମନା ପ୍ରଶାସକ, ବନ୍ଧୁ ବତ୍ସାଲ୍ୟ ବ୍ୟକ୍ତି, ପରୋପକାରୀ, ଦୟାଳୁ । ପ୍ରିୟବ୍ରତ ପଟ୍ଟନାୟକଙ୍କ ଆତ୍ମାର ସଦ୍ଗତି କାମନା କରିବା ସହିତ ତାଙ୍କ ଆତ୍ମା ଯେଉଁଠି ଥିଲେ ମଧ୍ୟ ଶାନ୍ତିରେ ରହିବ ହିଁ ରହିବ । ଏହାର କାରଣ ହେଲା ସେ ଅନ୍ୟମାନଙ୍କ ପାଇଁ ଭଗବାନଙ୍କ ଦୁତ ଭାବେ କାର୍ଯ୍ୟ କରୁଥିଲେ ।