୧୨ ଡିସେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) କଳାହାଣ୍ଡି :- ଆସନ୍ତା ସାଧାରଣ ନିର୍ବାଚନ – ୨୦୨୪ ଉପଲକ୍ଷେ ଜିଲ୍ଲାରେ କିଭଳି ଏକ ସୁସ୍ଥ ଓ ଉପଯୁକ୍ତ ପରିବେଶରେ ଶାନ୍ତିଶୃଙ୍ଖଳା ସହ ଭୋଟ ଦାନ କାର୍ଯ୍ୟ ସମାପନ ହେବ ଏବଂ ଏଥିପାଇଁ ନିର୍ବାଚନ ପୂର୍ବରୁ ସଂବେଦନଶୀଳ / ଅସୁରକ୍ଷିତ ଭୋଟଗ୍ରହଣ ଅଞ୍ଚଳ / ଗ୍ରାମ ଚିହ୍ନଟ ପାଇଁ କଳାହାଣ୍ଡି ଜିଲ୍ଲାର ସମସ୍ତ ନିଯୁକ୍ତ ସେକ୍ଟର ଅଧିକାରୀ ଏବଂ ପୋଲିସ ସେକ୍ଟର ଅଧିକାରୀଙ୍କୁ ନେଇ ଏକ ପ୍ରଶିକ୍ଷଣ ଶିବିର ଟାଉନ ହଲ ଠାରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳ ପି. ଅନ୍ବେଶା ରେଡ୍ଡୀଙ୍କ ଅଧ୍ୟକ୍ଷତାରେ ଏହି ତାଲିମ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଥିଲା । ତାଲିମ ପ୍ରଶିକ୍ଷଣରେ ପ୍ରଶିକ୍ଷଣ ଅଧିକାରୀ ଭାବେ ଆରକ୍ଷୀ ଅଧିକ୍ଷକ ଅଭିଲାଷ ଜି , ଅତିରିକ୍ତ ଜିଲ୍ଲାପାଳ ତନ୍ମୟ କୁମାର ଦରୱାନ ,
ଉପଜିଲ୍ଲାପାଳ ଭବାନୀପାଟଣା ଡଃ ବିଶ୍ଵଜିତ ଦାସ , ଉପଜିଲ୍ଲାପାଳ ଧର୍ମଗଡ ବିରଞ୍ଚି ନାରାୟଣ ଦରୱାନ , ପି.ଡି ଡୁଡା ମୁନୀନ୍ଦ୍ର ହୁନାଙ୍ଗା ପ୍ରମୁଖ ଯୋଗ ଦେଇଥିଲେ । ଅତିରିକ୍ତ ଜିଲ୍ଲାପାଳ ତନ୍ମୟ କୁମାର ଦର୍ୱାନ ସମସ୍ତଙ୍କୁ ସ୍ବାଗତ କରିଥିଲେ ଏବଂ ଉପ ଜିଲ୍ଲାପାଳ ଡ ଦାସ ପ୍ରଶିକ୍ଷଣର ଉଦ୍ଦେଶ୍ୟ, ବିଭିନ୍ନ ଫର୍ମପୂରଣ,ନିର୍ଦ୍ଦେଶାବଳୀକୁ ଉପସ୍ଥାପନ କରିଥିଲେ। ଜିଲ୍ଲାପାଳ ନିଜ ବକ୍ତବ୍ୟରେ ମୁକ୍ତ ଓ ନିରପେକ୍ଷ ଭୋଟ ଦାନ ପାଇଁ ଭୋଟର ମାନେ ଯେଭଳି କୌଣସି ଭୟ , ଅର୍ଥ ପ୍ରଲୋଭନ , ବାହୁବଳ , ନିଶାର ପ୍ରଭାବରେ ନ ପଡନ୍ତୁ ଏବଂ ସେଥିପାଇଁ ସେକ୍ଟର ଅଧିକାରୀ ମାନେ ବାରମ୍ବାର ଗସ୍ତ ପୂର୍ବକ ସଂବେଦନଶୀଳ / ଅସୁରକ୍ଷିତ ଭୋଟଗ୍ରହଣ ଅଞ୍ଚଳ , ଗ୍ରାମ ,
ବସ୍ତିକୁ ଚିହ୍ନଟ କରି ନିର୍ଦ୍ଦିଷ୍ଟ ଫର୍ମ ପୂରଣ କରି ରିପୋର୍ଟ ଦାଖଲ କରିବେ ତା ପ୍ରତି ଦାୟିତ୍ଵବାନ ରହି ନିର୍ବାଚନ ସମ୍ବନ୍ଧୀୟ କାର୍ଯ୍ୟକୁ ସତର୍କତାର ସହ ପାଳନ କରିବାକୁ କହିଥିଲେ । ସେଭଳି ଏସ.ପି ନିଜ ବକ୍ତବ୍ୟରେ ପ୍ରଥମଥର ପାଇଁ ପୋଲିସ ସେକ୍ଟର ଅଧିକାରୀଙ୍କୁ ନିର୍ବାଚନ ଆୟୁକ୍ତଙ୍କ ନିର୍ଦ୍ଦେଶ କ୍ରମେ ଏହି ସଂବେଦନଶୀଳ / ଅସୁରକ୍ଷିତ ଭୋଟଗ୍ରହଣ ଅଞ୍ଚଳକୁ ଚିହ୍ନଟ ପାଇଁ ନିୟୋଜିତ କରାଯାଇଛି ବୋଲି କହିଥିଲେ । ଅଧିକାରୀମାନେ ଭୟର ବାତାବରଣ , ମଦ ଓ ଅର୍ଥର ପ୍ରୟୋଜନ , ଦୁର୍ବୁର୍ତ୍ତମାନଙ୍କ ପ୍ରଭାବ , ଭୋଟଦାନରୁ ବିରତ ରହିବାପାଇଁ ଧମକ , ଅପ୍ରୀତିକର ଘଟଣାର ସମ୍ଭାବ୍ୟ ସୂଚନା ସଂଗ୍ରହ କରିବାପାଇଁ ପ୍ରଶାସନ ସେକ୍ଟର ଅଧିକାରୀଙ୍କ ସହ ସମନ୍ଵୟ ରକ୍ଷା କରି ରିପୋର୍ଟ ଦାଖଲ କରିବାକୁ କହିଥିଲେ । ୫ଟି ନିର୍ବାଚନମଣ୍ଡଳୀରୁ ମୋଟ ୩୮୯ ଜଣ ପୋଲିସ ସେକ୍ଟର ଅଧିକାରୀ ଏବଂ ପ୍ରଶାସନ ନିଯୁକ୍ତ ସେକ୍ଟର ଅଧିକାରୀ ଏହି ପ୍ରଶିକ୍ଷଣ ଶିବିରରେ ଯୋଗ ଦେଇଥିଲେ । ବୈଠକରେ ଡେପୁଟି କଲେକ୍ଟର (ନିର୍ବାଚନ )ରମେଶ ପଣ୍ଡା, ଡି ଆଇ ପି ଆର୍ ଓ ମନୋଜ ବେହେରା ଉପସ୍ଥିତ ଥିଲେ।