No Result
View All Result
୧୧ ନଭେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଗଜପତି ଜିଲ୍ଲାର ଆର :-> ଉଦୟଗିରି ବ୍ଲକ ଅନ୍ତର୍ଗତ କେ. ଏମ. ଭାଲିଆସାହି ଉଚ୍ଚ ବିଦ୍ୟାଳୟରେ କୃତୀ ଛାତ୍ରଛାତ୍ରୀଙ୍କୁ ନିଆରା ଢଙ୍ଗରେ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଛନ୍ତି ବିଦ୍ୟାଳୟର ପ୍ରଧାନଶିକ୍ଷକ l ତା :- 04/11/2023 ରିଖରେ ଗଜପତି ଜିଲ୍ଲାର ପାରଳାଖେମୁଣ୍ଡିସ୍ଥିତ ଗାନ୍ଧୀ ସ୍ମୃତି ବିଦ୍ୟାଳୟଠାରେ ଜିଲ୍ଲା ଶିକ୍ଷାଧିକାରୀ ଶ୍ରୀଯୁକ୍ତ ପ୍ରଦୋଷ କୁମାର ନାୟକଙ୍କ ନିର୍ଦ୍ଦେଶକ୍ରମେ ଜିଲ୍ଲାସ୍ତରୀୟ କଳା ଉତ୍ସବ ପାଳିତ ହୋଇଯାଇଥିଲା l

ଉକ୍ତ ଉତ୍ସବରେ ଜିଲ୍ଲାର ବିଭିନ୍ନ ଉଚ୍ଚ ବିଦ୍ୟାଳୟ ଏବଂ ଉଚ୍ଚତର ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ନୃତ୍ୟ, ସଂଗୀତ, ଏକକ ଅଭିନୟ ଓ ଚିତ୍ରକଳା ଆଦି ବିଭିନ୍ନ ବିଭାଗରେ ଭାଗ ନେଇ ନିଜେ ନିଜର କୃତିତ୍ୱ ପ୍ରଦର୍ଶନ କରିଥିଲେ l ଉକ୍ତ ପ୍ରତିଯୋଗିତାରେ କେ.ଏମ.ଭାଲିଆସାହି ଉଚ୍ଚ ବିଦ୍ୟାଳୟରୁ ଆଦିତ୍ୟ ଦଳାଇ ( ଦଶମ ଶ୍ରେଣୀ ) ଶାସ୍ତ୍ରୀୟ ନୃତ୍ୟରେ ଏବଂ ସାନୁ ନାୟକ ( ନବମ ଶ୍ରେଣୀ ) ଏକକ ଅଭିନୟରେ ଅଂଶଗ୍ରହଣ କରିଥିଲେ l ନିଜ ବିଭାଗରେ ଶ୍ରେଷ୍ଠତା ପ୍ରତିପାଦନ ପୂର୍ବକ ଜିଲ୍ଲାସ୍ତରରେ ପ୍ରଥମ ସ୍ଥାନ ଅଧିକାର କରି ଜୋନାଲ ସ୍ତରକୁ ମନୋନୀତ ହୋଇଥିଲେ l

ତା :- 09/11/2023 ରିଖ କୋରାପୁଟଠାରେ ଆୟୋଜିତ ହୋଇଥିବା ଜୋନାଲସ୍ତରୀୟ କଳାଉତ୍ସବ ପ୍ରତିଯୋଗିତାରେ ଜିଲ୍ଲା ପକ୍ଷରୁ ଭାଗ ନେଇ ନିଜର ଦକ୍ଷତା ପ୍ରଦର୍ଶନ କରିଥିଲେ l ଫଳତଃ ଉକ୍ତ ବିଦ୍ୟାଳୟର ଛାତ୍ର ଆଦିତ୍ୟ ଦଳାଇ ଶାସ୍ତ୍ରୀୟ ନୃତ୍ୟରେ ସର୍ବଶ୍ରେଷ୍ଠ ବିବେଚିତ ହୋଇ ରାଜ୍ୟସ୍ତରକୁ ମନୋନୀତ ହୋଇଛନ୍ତି l ଏହା ସହିତ ସାନୁ ନାୟକ ମଧ୍ୟ ଏକକ ଅଭିନୟରେ ଉତ୍ତମ କଳା ପ୍ରଦର୍ଶନ କରି ତୃତୀୟ ସ୍ଥାନ ଅଧିକାର କରି ଗଜପତି ଜିଲ୍ଲା ପାଇଁ ସୁନାମ ଆଣିପାରିଛନ୍ତି l

ଏଥିପାଇଁ ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀଯୁକ୍ତ ରାମଚନ୍ଦ୍ର ଦଳବେହେରା କୃତୀ ଛାତ୍ରଛାତ୍ରୀଙ୍କୁ ପୁଷ୍ପଗୁଚ୍ଛ ପ୍ରଦାନ ସହିତ ନିଜ ହାତରେ ମିଠା ଖୁଆଇ ସମ୍ବର୍ଦ୍ଧନା ଜଣାଇଛନ୍ତି l ନିରନ୍ତର ଚେଷ୍ଟା ସଫଳତାର ଚାବିକାଠି ବୋଲି କହିବା ସହିତ ନୃତ୍ୟଗୁରୁ ଶ୍ରୀଯୁକ୍ତ ବିଭୁତି ଭୂଷଣ ନାୟକ ଏବଂ ମାର୍ଗଦର୍ଶକ ବିଦ୍ୟାଳୟର ସଂସ୍କୃତ ଶିକ୍ଷକ ଶ୍ରୀଯୁକ୍ତ ପ୍ରହ୍ଲାଦ ଶିଅଳଙ୍କୁ ମଧ୍ୟ ଅଶେଷ ଧନ୍ୟବାଦ ଜ୍ଞାପନ କରିଛନ୍ତି l ଉକ୍ତ ସଫଳତା ପାଇଁ ଜିଲ୍ଲା ତରଫରୁ ପ୍ରତିନିଧିତ୍ୱ କରୁଥିବା ସନ୍ତୋଷ ସାହୁ ଏବଂ କ୍ରୀଡା ନିରୀକ୍ଷକ ଶ୍ରୀଯୁକ୍ତ ସୁରେଶ କୁମାର ପାତ୍ରଙ୍କର ସହଯୋଗ ସହିତ ବିଦ୍ୟାଳୟର ସମସ୍ତ ଶିକ୍ଷକଙ୍କର ସହାନୁଭୂତି ରହିଛି ବୋଲି ପ୍ରକାଶ କରିଛନ୍ତି l

No Result
View All Result