ଓଡିଶା କୃଷକ ସଭା ତରଫରୁ ନୟାଗଡ଼ ଜିଲ୍ଲା ସମ୍ପାଦକ ହରିଶ୍ଚନ୍ଦ୍ର ମିଶ୍ର ଙ୍କ ନେତୃତ୍ବ ରେ ଦସ ଦିନ ଧରି ଏକ କୃଷକ ଯାଠା ଜିଲ୍ଲା ପରିକ୍ରମା କରୁଛି ।
କେନ୍ଦ୍ର ଓ ରାଜ୍ୟ ସରକାରଙ୍କ କୃଷି ମାରଣ ନୀତି କୁ ଲୋକ ଲୋଚନ କୁ ଆଣିବା ଓ ଜନ ଅସନ୍ତୋଷ କୁ ପାଥେୟ କରି ଗଣ ଆନ୍ଦୋଳନ ଗଢ଼ି ତୋଳିବା ପାଇଁ ଏହି ଯାଠା ଆଗେଇ ଚାଲିଛି ।
ରଣପୁର ବ୍ଲକ୍ ରୁ ଏହା ଆରମ୍ଭ ହୋଇ ସମସ୍ତ ଆଠ ଟି ବ୍ଲକ୍ କୁ ପରିକ୍ରମା କରୁଛି ।

୧୦ ନଭେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ନୟାଗଡ଼ ଜିଲ୍ଲା/ରଣପୁର :-> ସ୍ଵାଧୀନତା ୭୬ବର୍ଷ ପରେ ଆମ ଦେଶରେ ଚାଷୀ ଆତ୍ମହତ୍ୟା ପ୍ରାୟ ୪ଲକ୍ଷ ରେ ପହଞ୍ଚିଲାଣି । ଦରବୃଦ୍ଧି ଆକାଶଛୁଆଁ , ବେରୋଜଗାର ବଢ଼ିଛି , ନିଯୁକ୍ତି ନାହିଁ । କୃଷି ଓ କୃଷକର ଯଦି ବିକାଶ ନହୁଏ, କୃଷି ଉପରେ ନିର୍ଭର କରୁଥିବା ଦେଶର ୬୫% ଭାଗ ଜନସାଧାରଣଙ୍କର ଜୀବନ ଜୀବିକା ନର୍ବାହ କରିବାର ଅନ୍ୟ କୌଣସି ବିକଳ୍ପ ନାହିଁ । କୃଷିଜିବି ଓ କିଣିଖିଆ ଲୋକଙ୍କର କ୍ରୟଶକ୍ତି ବଢ଼ିଲେ ବଜାର ଚଳଚଞ୍ଚଳ ହେବ । ଶିଳ୍ପର ଉନ୍ନତି ହେବ । ବନ୍ଦଥିବା କଳକାରଖାନା ଖୋଲିବା ସହିତ ନୂଆ ନୂଆ କାରଖାନା ଗଢିଉଠିବ।

ବେକାର ଯୁବକ କାମ ପାଇବା ସହିତ ଦେଶର ସାମଗ୍ରିକ ବିକାଶ ସମ୍ଭବ । କିନ୍ତୁ କର୍ପୋରେଟ ପ୍ରେମୀ କେନ୍ଦ୍ର ରାଜ୍ୟ ସରକାରମାନେ ଏହି କାର୍ଯ୍ୟ କରିବାର ଇଚ୍ଛାଶକ୍ତି ଘୋର ଅଭାବ ଘଟିଛି । ବର୍ତ୍ତମାନ ଚାଷୀ ବହୁଦିଗରୁ କ୍ଷତି ସହୁଛି । ଚାଷୋପକରଣ ସାମଗ୍ରୀ – ବିହନ, ସାର, ଔଷଧ, ବିଦ୍ୟୁତ୍ ଟିକସ, ଡିଜେଲ୍ ଦର ବଢ଼ିଛି । ଚାଷରେ ବ୍ୟବହୃତ ହେଉଥିବା ଟ୍ରାକ୍ଟର ଓ ବିଭିନ୍ନ ପ୍ରକାର ମେସିନ୍ ସଂଖ୍ୟା ବଢ଼ିଛି, ଭଡ଼ା ବଢ଼ିଛି । ବନ୍ୟା, ବାତ୍ୟା, ମରୁଡି ଭଳି ପ୍ରାକୃତିକ ବିପର୍ଯ୍ୟୟ ସହିତ ହାତୀ, ବାରହା, ମାଙ୍କଡ଼, ଷଣ୍ଢ ଆଦି ପଶୁଙ୍କ ଉପଦ୍ରବ ବଢ଼ିଛି ।

ବିଭିନ୍ନ ସମୟରେ ଚକଡା଼ ପୋକଠାରୁ ଆରମ୍ଭକରି ଅନେକପ୍ରକାର ରୋଗପୋକ ଲାଗି ଫସଲ ନଷ୍ଟ ହେଉଛି । ଫସଲବୀମା ଯୋଜନାରେ କୃଷକ କ୍ଷତିପୂରଣ ପାଇବା ପରିବର୍ତ୍ତେ ବୀମା କମ୍ପାନୀମାନେ ଲାଭବାନ ହେଉଛନ୍ତି । ଭୁସଂସ୍କାର , ଜଳସେଚନ ଫାଇଲରେ ସରକାର ଡୋର ବନ୍ଧିଦେଇଛନ୍ତି । ଏମ୍.ଏସ୍. ସ୍ବାମୀନାଥନ୍ କମିଶନ୍ ଙ୍କ ସୁପାରିଶ୍ ଆଜିଯାଏଁ କାର୍ଯ୍ୟକାରୀ ହେଲାନାହିଁ। ଚାଷୀ, ଫସଲର ଲାଭଜନକ ଦର ପାଉନାହିଁ । କର୍ପୋରେଟମାନଙ୍କୁ ପ୍ରତିବର୍ଷ ଲକ୍ଷ ଲକ୍ଷ କୋଟି ଟଙ୍କା ବିଭିନ୍ନ ଦିଗରେ ଛାଡ଼ କରାଯାଉଛି ।

ମାତ୍ର କୃଷିଋଣ ଛାଡ଼ ହେଲା ନାହିଁ । ମନ୍ତ୍ରୀ, ଏମ୍.ପି. , ଏମ୍.ଏଲ୍. ଓ କର୍ମଚାରୀମାନେ ପେନସନ୍ ପାଉଥିବାବେଳେ, ସାରା ଦୁନିଆକୁ ଆଧାର ଯୋଗାଉଥିବା କୃଷକ ୬୦ବର୍ଷ ବୟସରେ ବି କୃଷକ ପେନସନ୍ ଆଜିଯାଏଁ ପାଇଲାନାହିଁ । ଚାଷରେ କ୍ଷତି ଯୋଗୁଁ ଅନେକ ଜମି ମାଲିକ ଭାଗଚାଷ କୁ ଜମି ଦେଇଦଉଛନ୍ତି କିମ୍ବା ଜମି ପଡ଼ିଆ ପକାଉଛନ୍ତି । ପ୍ରାୟ ୭୦% ଭାଗ ଜମି, ଭାଗଚାଷୀମାନଙ୍କ ଦ୍ଵାରା ଚାଷ କରାଯାଉଅଛି । ଭାଗଚାଷୀମାନେ କୌଣସି ସରକାରୀ ସୁବିଧା ସୁଯୋଗ ପାଉନାହାନ୍ତି ।

ଓଡିଶା କୃଷକ ସଭା ନେତୃତ୍ବରେ ଆମ ଜିଲ୍ଲାର ଯେଉଁଠାରେ ଲୋକ ସଂଗଠିତ ହୋଇଛନ୍ତି , ସେଠାରେ ଧାନ ମଣ୍ଡି ଖୋଲିବା, ବିନା କଟଣି ଛଟଣୀରେ ଧାନ ବିକିବା, ମୂଲିଆ ମଜୁରୀ ବୃଦ୍ଧି କରିବା, ଭାଗଚାଷୀ ଆନ୍ଦୋଳନ ମାଧ୍ୟମରେ ଜମି ପାଇବା, ବେଦି ଜମି ଭୂମିହୀନ ଲୋକଙ୍କୁ ବାଣ୍ଟିବା, ଜଳସେଚନ ପାଇଁ ଭେଟବର ବନ୍ଧ କରିବା, ଅନ୍ୟାୟ ଜଳକର ଆଦାୟ ବାତିଲ କରିବା, କ୍ରୋକ୍ ନିଲାମ ବନ୍ଦ କରିବା, ମରୁଡି ସହାୟତା ପାଇବା ଆଦି ଆନ୍ଦୋଳନମାନ କରି ସଫଳତା ଅର୍ଜନ କରିଛନ୍ତି।କର୍ପୋରେଟମାନଙ୍କ ହାତକୁ ଜଳ, ଜମି, ଖଣି, ଜଙ୍ଗଲ ଦେଇ ଦେବାପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ଆଇନ୍ ମାନ କରି ଚାଲିଛନ୍ତି ।

ଦିଲ୍ଲୀରେ ଲକ୍ଷ ଲକ୍ଷ ଚାଷୀ କଳା କୃଷି ଆଇନ୍ ପ୍ରତ୍ୟାହାର ପାଇଁ ଆନ୍ଦୋଳନ କରି ଯଦି ବିଜୟମଣ୍ଡିତ ହେଲେ । ଆମେ କାହିଁକି ଆମର ବଞ୍ଚିବାର ଦାବୀ ପାଇଁ ଏକାଠି ହୋଇପାରିବା ନାହିଁ ? ନିମ୍ନଲିଖିତ ଦାବୀଗୁଡିକ ହାସଲ କରିବା ପାଇଁ ଆସନ୍ତୁ, ଆମେ ସମସ୍ତେ ସ୍ୱର ଉତ୍ତୋଳନ କରିବା ଓ (A.I.K.S) ସହବନ୍ଧିତ ଓଡ଼ିଶା କୃଷକ ସଭାରେ ଯୋଗ ଦେବା । ନଭେମ୍ୱର ୨ ରୁ ୧୧ତାରିଖ ପର୍ଯ୍ୟନ୍ତ କୃଷି, କୃଷକ ବଞ୍ଚାଅ ଦେଶ ବଞ୍ଚାଅ ଅଭିଯାନରେ ସାମିଲି ହେବା ।

ଦାବୀ ସମୂହ :-
୧. କୃଷିଜାତ ଦ୍ରବ୍ୟର ଲଭାଜନିତ ଦର ଦେବା ସହିତ ଧାନ କ୍ଵିଣ୍ଟାଲ ୩୫୦୦ ଟଙ୍କା କରାଯାଉ ।
୨. ବୋନସ୍ ଦେଇ ସମସ୍ତ ଧାନ ବିନା କଟଣି ଛଟଣିରେ, ମଣ୍ଡିରେ ନିଆଯିବା ସହିତ ଅଭାବୀ ବିକ୍ରି ବନ୍ଦ କରାଯାଉ ।
୩. ସବୁ ବ୍ଲକ୍ ରେ ଶୀତଳ ଭଣ୍ଡାର ଖୋଲାଯାଉ ।
୪. ପ୍ରାକୃତିକ ବିପର୍ଯ୍ୟୟ କ୍ଷତି ଓ ପଶୁ ଉପଦ୍ରବର କ୍ଷତିପୂରଣ ଉପଯୁକ୍ତ ଭାବେ ଦିଆଯାଉ ।
୫. ବାସହୀନ ମାନଙ୍କୁ ଘରଡିହ ପଟ୍ଟା, ଭୂମିହୀନ ମାନଙ୍କୁ ଜମି ପଟ୍ଟା ଦିଆଯାଉ ।
୬. ବିହନ, ସାର, କୀଟମରା ଔଷଧ ରିହାତି ମୂଲ୍ୟରେ ପର୍ଯ୍ୟାପ୍ତ ପରିମାଣରେ ଯୋଗାଇ ଦିଆଯାଉ ।
୭. ଭାଗଚାଷୀମାନଙ୍କୁ ପଲ୍ଳୀସଭା ଦ୍ୱାରା ଚିହ୍ନଟ କରାଯାଇ ସମସ୍ତ ସରକାରୀ ସୁବିଧା ଯୋଗାଇ ଦିଆଯାଉ।
୮. ୬୦ ବର୍ଷ ରୁ ଉର୍ଦ୍ଧ୍ବ ସମସ୍ତ କୃଷକଙ୍କୁ ମାସିକ ୫ ହଜାର ଟଙ୍କା ପେନସନ୍ ଦିଆଯାଉ ।
୯. କୃଷିଋଣ ଛାଡ଼ କରି ବିନା ସୁଧରେ ଋଣ ଯୋଗାଇ ଦିଆଯାଉ ।
୧୦. ମନରେଗାରେ ବର୍ଷକୁ ୨୦୦ ଦିନ କାମ ଓ ୬୦୦ ଟଙ୍କା ମଜୁରୀ, ନଗଦ ଦିଆଯାଉ ।
୧୧. ଆଦିବାସୀ, ଦଳିତ, ମହିଳା ମାନଙ୍କୁ ସାମାଜିକ ନ୍ୟାୟ ଦିଆଯାଉ ।
୧୨. କମ୍ପାନୀ ସ୍ୱାର୍ଥରକ୍ଷାକାରୀ ଫସଲ ବୀମା ଯୋଜନା ବନ୍ଦ କରାଯାଉ ।
୧୩. ଆକାଶଛୁଆଁ ଦରଦାମ୍ ବୃଦ୍ଧି ନିୟନ୍ତ୍ରଣ କରାଯାଉ ।
୧୪. ନୟାଗଡ଼ ଚିନିକଳ ଚାଲୁ କରାଯାଉ ।
୧୫. ବୃତ୍ତଙ୍ଗ ଯୋଜନା କାର୍ଯ୍ୟକାରୀ ଓ ମହାନଦୀ ଜଳକୁ କୃଷିପାଇଁ ବ୍ୟବହାର କରାଯାଉ , ଉଠା ଜଳସେଚନ ବ୍ୟାପକ କରିବା ସହିତ ବିଦ୍ୟୁତ୍ ଟିକସ ହ୍ରାସ କରାଯାଉ ।
୧୬. କାଜୁ ଅଞ୍ଚଳରେ ଥିବା ଗରୀବ ଲୋକମାନଙ୍କୁ କାଜୁ ଜମି ଓ ବିସ୍ଥାପିତ ଲୋକମାନଙ୍କୁ ଘରଡିହ , ଚାଷଜମି ପଟ୍ଟା ଦିଆଯାଉ ।
ଆସନ୍ତୁ ଆମେ ସମସ୍ତେ ଉପରୋକ୍ତ ଦାବୀ ଉପରେ ନଭେମ୍ବର ୨୬, ୨୭, ୨୮ ଭୁବନେଶ୍ୱର ଅହୋରାତ୍ର ଧାରଣାକୁ ସଫଳ କରିବା ।
ସଭାପତି – ଗୋଲକ ବିହାରୀ ମୁଦୁଲି ( ୭୭୮୮୯୦୯୨୮୨)
ସମ୍ପାଦକ – ହରିଶ୍ଚନ୍ଦ୍ର ମିଶ୍ର (୯୯୩୮୪୬୨୮୪୨)
ଉପସଭାପତି – ଗଣେଶ୍ୱର ନାୟକ (୯୬୫୮୧୪୭୭୨୯)
ଉପସଭାପତି – ପବିତ୍ର ଇନ୍ଦ୍ରଜିତ (୯୪୩୯୭୧୯୩୪୬)
ଯୁଗ୍ମ ସମ୍ପାଦକ – ଗଦାଧର ପ୍ରଧାନ (୮୪୫୬୯୮୦୨୮୫)














