୨ ନଭେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ହିଞ୍ଜିଳିକାଟୁ :-> ରାଜ୍ୟ ସରକାରଙ୍କର ଗ୍ରାମାଞ୍ଚଳର ସାମଗ୍ରିକ ଭିତ୍ତିଭୂମି ଉନ୍ନୟନ ଓ ଐତିହ୍ୟ ସଂସ୍କୃତିର ପ୍ରଚାର ପ୍ରସାର ଦ୍ବାରା ଓଡ଼ିଶାର ରୂପାନ୍ତରଣ ପାଇଁ ଆରମ୍ଭ ହୋଇଛି ପ୍ରକ୍ରିୟା । ଏଥିପାଇଁ ରାଜ୍ୟ ସରକାର ଆରମ୍ଭ କରିଛନ୍ତି ଆମ ଓଡ଼ିଶା ନବୀନ ଓଡିଶା କାର୍ଯ୍ୟକ୍ରମ । ଏହି ଯୋଜନାରେ ପ୍ରତି ପଞ୍ଚାୟତରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ତ୍ବରାନ୍ବିତ ହେବ । ଗାଁ ହେବ ସଶକ୍ତ ଓ ପ୍ରତ୍ୟେକ ଗ୍ରାମ ହେବ ବିକାଶ । ମନ୍ଦିର, ରାସ୍ତାଘାଟର ହେବ ଉନ୍ନତି । ସଂସ୍କୃତିର ସୁରକ୍ଷା ହେବା ସହ ଆଧୁନିକତାର ବିକାଶ ହେବ । ଏହି ପରିପ୍ରେକ୍ଷୀରେ ଗୁରୁବାର ଆଭାସି ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆମ ଓଡ଼ିଶା ନବୀନ ଓଡିଶା କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି । ବିଡିଓ ସୁବ୍ରତ କୁମାର ଜେନାଙ୍କ ତତ୍ତ୍ଵାବଧାନରେ ସ୍ଥାନୀୟ ପୌରାଞ୍ଚଳ ମିନି ଷ୍ଟାଡିୟମ ପରିସରରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
ଆଭାସି ମାଧ୍ୟମରେ ଆୟୋଜିତ କାର୍ଯ୍ୟକ୍ରମରେ ଆମ ଓଡ଼ିଶା ନବୀନ ଓଡିଶା ତଥା ୫ଟି ଅଧ୍ୟକ୍ଷ ଭି. କାର୍ତ୍ତିକେୟାନ ପାଣ୍ଡିଆନଙ୍କ ସଂଯୋଜନାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହିଞ୍ଜିଳିକାଟୁ ବ୍ଲକର ୨୧ଟି ପଞ୍ଚାୟତରେ ୧୦ କୋଟି ୫୦ ଲକ୍ଷ ଟଙ୍କା ବ୍ୟୟରେ ୨୩୦ଟି ପ୍ରକଳ୍ପର ଶୁଭାରମ୍ଭ କରିଥିଲେ । ହିଞ୍ଜିଳିକାଟୁ ନିର୍ବାଚନ ମଣ୍ଡଳୀରେ ୮ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ପାଇଁ ୩୮.୧୯ କୋଟି ଟଙ୍କା ମଞ୍ଜୁର କରାଯାଇଛି । ଏହା ମଧ୍ୟରେ ରହିଛି ବୁରୁପଦା ମା’ ଶ୍ୟାମଳାଇ ମନ୍ଦିର ଓ ଖରିଡା ମା’ କୋରେଇଶୁଣି ମନ୍ଦିର । ଏହା ସହିତ ସମରଝୋଳା ପୁଷ୍କରିଣୀର ସୌନ୍ଦର୍ଯ୍ୟକରଣ ସହିତ ବୋଟିଂ ସୁବିଧା, ହିଞ୍ଜିଳିକାଟୁ ସ୍ୱୟଂଚାଳିତ ବିଜ୍ଞାନ ଡିଗ୍ରୀ କଲେଜ ଓ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ହିଞ୍ଜିଳିକାଟୁ ବିଜ୍ଞାନ କଲେଜର ନୂଆ ଏକାଡେମିକ୍ ବ୍ଲକ ନିର୍ମାଣ, ଉଦୟପ୍ରତାପ ବିଜ୍ଞାନ କଲେଜର ଉନ୍ନତୀକରଣ ଓ ନୂଆ ଏକାଡେମିକ୍ ବ୍ଲକ ଏବଂ ପୋଚିଲିମା ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନ ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜ ବକ୍ତବ୍ୟରେ ସବୁ ଗାଁର ବିକାଶ ଆମର ଲକ୍ଷ୍ୟ । ଗାଁରେ ସମସ୍ତଙ୍କୁ ମିଳିବ ବିକାଶର ଗ୍ୟାରେଣ୍ଟି । ଗାଁ ଲୋକ ସମସ୍ତେ ଶିକ୍ଷା ଓ ସ୍ବାସ୍ଥ୍ୟର ଗ୍ୟାରେଣ୍ଟି ପାଇବେ । ଗାଁ ଗାଁରେ ସଂସ୍କୃତିର ସୁରକ୍ଷା ହେବ ଓ ଆଧୁନିକତାର ବିକାଶ ହେବ । ବିକଶିତ ଗାଁ ହେବ ଆଧୁନିକ ଓଡିଶାର ପରିଚୟ । ଓଡିଶା ହେଉଛି ଜଗନ୍ନାଥଙ୍କ ଭୂମି । ବିଶ୍ବ ପ୍ରେମ, ଶାନ୍ତି, ସଦ୍ଭାବ, ସମାନତା ଓ ସେବା ହେଉଛି ଜଗନ୍ନାଥ ସଂସ୍କୃତିର ବାର୍ତ୍ତା । ଜାତି, ଧର୍ମ, ସଂପ୍ରଦାୟ ନିର୍ବିଶେଷରେ ଏହା ସମସ୍ତଙ୍କୁ ନିଜର କରିପାରିଛି । ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମରେ ପ୍ରତି ଗାଁ ଗାଁରେ ଜଗନ୍ନାଥ ସଂସ୍କୃତିର ସଂରକ୍ଷଣ କରାଯିବ। ପ୍ରତି ପୂଜାସ୍ଥଳୀର ବିକାଶ କରାଯିବ .
ଐତିହ୍ୟ ସ୍ଥଳୀ ଗୁଡିକର ସଂରକ୍ଷଣ କରାଯିବ । ଆମର ଭବିଷ୍ୟତ ବଂଶଧର ମାନଙ୍କ ନିମନ୍ତେ ଏସବୁ ସଂସ୍କୃତି ଓ ଐତିହ୍ୟ ସ୍ଥଳୀ ଗୁଡିକର ସଂରକ୍ଷଣ ଓ ସୁରକ୍ଷା ଜରୁରୀ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ବ୍ଳକ ଅଧ୍ୟକ୍ଷା ସରସ୍ୱତୀ ସେଠୀ କାର୍ଯ୍ୟକ୍ରମ ସମ୍ପର୍କରେ ବିବରଣୀ ପ୍ରଦାନ କରିବା ସହ ହିଞ୍ଜିଳି ବିଧାୟକ ନବୀନ ପଟ୍ଟନାୟକ ଏବଂ ୫ଟି ଅଧ୍ୟକ୍ଷ ପାଣ୍ଡିଆନଙ୍କ ହିଞ୍ଜିଳି ନିର୍ବାଚନ ମଣ୍ଡଳୀର ବିକାଶ ଧାରା ବଜାୟ ରଖିଥିବାରୁ ସାଧୁବାଦ ଜ୍ଞାପନ କରିଥିଲେ । ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା ପରିଷଦ ପ୍ରତିନିଧି ଶରତ ଚନ୍ଦ୍ର ମହାପାତ୍ର, ପୌରାଧ୍ୟକ୍ଷ ସୁବାଷ ଚନ୍ଦ୍ର ପୋଲେଇ, ଉପାଧ୍ୟକ୍ଷା ସୁଚିତ୍ରା ପଣ୍ଡା, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଭି. କିର୍ତ୍ତିଭାସନ, ତହସିଲଦାର ଦିବ୍ୟଜ୍ୟୋତି ସିଂହଦେଓ,
ପୌର କାର୍ଯ୍ୟ ନିର୍ବାହୀ ଅଧିକାରୀ ଜୁବୁଲି ଚରଣ ବେହେରା, ଆସିକା ଏସଡିପିଓ ଉମାଶଙ୍କର ସିଂ, ହିଞ୍ଜିଳି ଥାନା ଆଇଆଇସି ଶ୍ରୀନିବାସ ସେଠି, ଜିଲ୍ଲା ପରିଷଦ ସଭ୍ୟ ଏଳା ସୁଦର୍ଶନ, ଗ୍ରୀଟ ଅଧ୍ୟକ୍ଷ ପବିତ୍ର ମୋହନ ପାଣିଗ୍ରାହୀ, ରାଜ୍ୟ ବିଜେଡି ସାଧାରଣ ସମ୍ପାଦକ ଦେବାନନ୍ଦ ମହାପାତ୍ର, ବ୍ଳକ ପ୍ରତିନିଧି ସୁରେନ୍ଦ୍ର ପ୍ରଧାନ, ଜିଲ୍ଲା ବିଜେଡ଼ି ସାଧାରଣ ସମ୍ପାଦକ ଅଜୟ କୁମାର ମହାରଣା, ଯୁବ ବିଜେଡି ସଭାପତି ସଞ୍ଜୟ କୁମାର ପଣ୍ଡା,ଜିଲ୍ଲା ଯୋଜନା ବୋର୍ଡ଼ ବିଶେଷଜ୍ଞ ସଦସ୍ୟ ଏନ. ରଘୁନାଥ ଓ ପ୍ରଦୀପ କୁମାର ପଣ୍ଡାଙ୍କ ସମେତ ବହୁ ସରପଞ୍ଚ, ସମିତି ସଭ୍ୟ, ସଭ୍ୟା, କାଉନସିଲର ଓ ବହୁ ଦଳୀୟ କର୍ମୀ ଉପସ୍ଥିତ ଥିଲେ । ଆୟୋଜିତ କାର୍ଯ୍ୟକ୍ରମରେ ସ୍ଥାନୀୟ ବ୍ଳକର ୫ ହଜାରରୁ ଉର୍ଦ୍ଧ୍ଵ ମିଶନ ଶକ୍ତି ମହିଳା ଉପସ୍ଥିତ ଥିଲେ ।