No Result
View All Result
୨୩ ଅକ୍ଟୋବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଭୁବନେଶ୍ୱର :-> ପଶ୍ଚିମକେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ କ୍ଷେତ୍ର ଅବପାତରେ ପରିଣତ ହୋଇଛି । ରବିବାର ମଧ୍ୟାହ୍ନରୁ ଏହା ରିକର୍ଭ କରି ଉତ୍ତରଉତ୍ତର ପୂର୍ବ ଦିଗରେ ଘଣ୍ଟାପ୍ରତି ୬ କିଲୋମିଟର ବେଗରେ ଉପକୂଳ ଆଡ଼କୁ ଗତି କରୁଛି ବୋଲି ଘରୋଇ ପାଣିପାଗ ସଂସ୍ଥା ସ୍କାଏମେଟ୍ କହିଛି । ସଂଧ୍ୟା ସୁଦ୍ଧା ଏହା ପାରାଦୀପଠାରୁ ଦକ୍ଷିଣରେ ୬୦୦ କିଲୋମିଟର ଦୂରରେ ଥିଲା ଆଇଏମଡି କହିଛି, ଏହା ଆହୁରି ଘନୀଭୂତ ହୋଇ ଗଭୀର ଅବପାତ (ଡିପ୍ ଡିପ୍ରେସନ)ରେ ପରିଣତ ହେବ ଓ ଉତ୍ତର-ପଶ୍ଚିମ ଦିଗରେ ଗତି କରି ଉତ୍ତର ଆନ୍ଧ୍ରଉପକୂଳ ନିକଟରେ ପହଞ୍ଚିବ ଓ ସେଠାରୁ ପୁଣି ଉତ୍ତର-ପୂର୍ବରେ ଦିଗ ପରିବର୍ତ୍ତନ କରି ପଶ୍ଚିମବଙ୍ଗ ଓ ବାଂଲାଦେଶ ଆଡକୁ ଗତି କରିବ ।
ଏହାର ପ୍ରଭାବରେ ଓଡ଼ିଶା ଓ ଆନ୍ଧ୍ର ଉପକୂଳରେ ସମୁଦ୍ର ଅଶାନ୍ତ ରହିବ । ପବନର ବେଗ ଘଣ୍ଟା ପ୍ରତି ୪୦ରୁ ୫୦କିଲୋମିଟର ରହିବ । ଝଟକା ଘଣ୍ଟାପ୍ରତି ୬୦ କିଲୋମିଟର ପର୍ଯ୍ୟନ୍ତ ହୋଇପାରେ । ୨୩ ତାରିଖ ପରଠାରୁ ପଶ୍ଚିମବଙ୍ଗ ଓ ବାଂଲାଦେଶ ଉପକୂଳରେ ପବନର ବେଗ ବଢି ୨୫ ତାରିଖ ପର୍ଯ୍ୟନ୍ତ ଜାରି ରହିବ । ଏହି ଅବପାତ ଓଡ଼ିଶା ଉପକୂଳଠାରୁ ସୁରକ୍ଷିତ ଦୂରତାରେ ସମାନ୍ତରାଳ ଭାବରେ ସମୁଦ୍ର ଭିତରେ ଗତି କରି ପଶ୍ଚମବଙ୍ଗ ଓ ବାଂଲାଦେଶ ମୁହାଁ ହୋଇପାରେ । ଯଦି ବାତ୍ୟା ରୂପ ନିଏ ଏହାର ନାଁ ରହିବ ‘ହାମୁନ୍’ ।
ଇରାନ ଦେଇଥିବା ଏହି ନାମର ଅର୍ଥ ମରୁଭୂମିର ଜଳାଶୟ । ବାତ୍ୟା ହେଲେ ଓଡିଶାରେ ସେତେଟା ପ୍ରଭାବ ନ ପଡ଼ିଲେ ମଧ୍ୟ ଉପକୂଳରେ ବର୍ଷା ହୋଇପାରେ । ଏହାର ପ୍ରଭାବରେ ସୋମବାରଠାରୁ ଉପକୂଳ ଓଡ଼ିଶାରେ ହାଲୁକାରୁ ମଧ୍ୟମ ବର୍ଷା ହେବ । ୨୪ରୁ ଉତ୍ତର ଉପକୂଳ ଓ ପାଶ୍ୱର୍ବର୍ତ୍ତୀ ଜିଲ୍ଲାରେ ହାଲୁକାରୁ ମଧ୍ୟମ ବର୍ଷା ହେବ । ତା ସହିତ କେନ୍ଦୁଝର, ମୟୂରଭଞ୍ଜ, ଅନୁଗୁଳ, ଢେଙ୍କାନାଳ, ବୌଦ୍ଧ, କନ୍ଧମାଳ, ରାୟଗଡା,
କୋରାପୁଟ ଓ ମାଲକାନଗିରି ଜିଲ୍ଲାରେ ବର୍ଷା ହେବ । ଦଶହରାରେ ଉପକୂଳ ଓଡିଶାରେ ଘଣ୍ଟାପ୍ରତି ୪୫ରୁ ୫୫ କିମି ବେଗରେ ପବନ ବହିବ । ତେଣୁ ପୂଜା ମଣ୍ଡପଗୁଡିକ କ୍ଷତିଗ୍ରସ୍ତ ହୋଇପାରେ । ୨୬ ତାରିଖ ପର୍ଯ୍ୟନ୍ତ ସମ୍ଭାବ୍ୟ ବାତ୍ୟା ପ୍ରଭାବ ରହିବା ନେଇ ପାଣିପାଗ କେନ୍ଦ୍ର ଆକଳନ କରିଛି । ଏହି ସମୟରେ ସମୁଦ୍ର ଅଶାନ୍ତ ରହିବ । ଜୁଆର ଓ ପବନ ଆଶଙ୍କାରେ ୨୭ ତାରିଖ ପର୍ଯ୍ୟନ୍ତ ମତ୍ସ୍ୟଜୀବୀଙ୍କୁ ସମୁଦ୍ରକୁ ଯିବାକୁ ବାରଣ କରାଯାଇଛି । ଆରବ ସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ‘ତେଜ୍’ ୨୪ ତାରିଖ ଦିନ ଏମେନ୍ ଓ ଓମାନ ତଟରେ ଲ୍ୟାଣ୍ଡଫଲ୍ କରିବ ।
No Result
View All Result