No Result
View All Result
ଦୃଢ଼ନିଷ୍ଠା ଓ ପ୍ରତିବଦ୍ଧତାର ସହ କାର୍ଯ୍ୟ କରିବାକୁ ଅଧିକାରୀମାନଙ୍କୁ ପରାମର୍ଶ
୧୨ ଅକ୍ଟୋବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଭୁବନେଶ୍ୱର :-> ରାଜ୍ୟ ମୁଖ୍ୟ ଶାସନ ସଚିବ ଶ୍ରୀ ପ୍ରଦୀପ କୁମାର ଜେନାଙ୍କୁ ୨୦୨୨ ମସିହା ବ୍ୟାଚ୍ ର ୧୦ ଜଣ ବିହାର କ୍ୟାଡର ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ଶିକ୍ଷାନବିଶ (ଆଇଏଏସ୍ ଅଫିସରର୍ସ ଟ୍ରେନି) ସୌଜନ୍ୟମୂଳକ ସାକ୍ଷାତ କରିଥିଲେ । ଗୋପବନ୍ଧୁ ପ୍ରଶାସନିକ ଏକାଡେମୀରେ ଜିଲ୍ଲା ସଂପର୍କିତ କାର୍ଯ୍ୟ ପରିଚାଳନା ସଂକ୍ରାନ୍ତୀୟ ପ୍ରଶିକ୍ଷଣ ନେବାକୁ ଆସିଥିବା ଏହି ଶିକ୍ଷାନବିଶମାନଙ୍କୁ ମୁଖ୍ୟ ଶାସନ ସଚିବ ଶ୍ରୀ ଜେନା ତାଙ୍କର ଦୀର୍ଘଦିନର ପ୍ରଶାସନିକ ଅଭିଜ୍ଞତା ପ୍ରକାଶ କରିଥିଲେ । ଆଇଏଏସ୍ ଶିକ୍ଷାନବିଶମାନଙ୍କ ସହିତ ଦୀର୍ଘ ସମୟ ଧରି ସେ ଆଲୋଚନା କରିଥିଲେ ।
ଓଡିଶାରେ ସଂଘଠିତ ୧୯୯୯ ମହାବାତ୍ୟା ଠାରୁ ଆରମ୍ଭ କରି ପରବର୍ତ୍ତୀ ବିଭିନ୍ନ ବର୍ଷରେ ଦେଖାଦେଇଥିବା ବାତ୍ୟା , ୨୦୧୯ରେ ଫନି ବାତ୍ୟା ଏବଂ ଗତ ଜୁନ୍ ମାସରେ ଘଟି ଯାଇଥିବା ବାହାନଗା ରେଳ ଦୁର୍ଘଟଣା ପର୍ଯ୍ୟନ୍ତ ବିଭିନ୍ନ ବିପର୍ଯ୍ୟୟ ସମୟରେ କିପରି ଆହ୍ୱାନମୂଳକ ପଦକ୍ଷେପ ନିଆଯାଇ ସେସବୁର ପରିଚାଳନାରେ ସମୟୋପଯୋଗୀ ତ୍ୱରିତ ପଦକ୍ଷେପ ଗ୍ରହଣ କରାଯାଇଥିଲା, ସେ ସଂପର୍କରେ ଅବଗତ କରିଥିଲେ ।
ଚାକିରି କ୍ଷେତ୍ରରେ ନୂଆକରି ଯୋଗଦାନ କରୁଥିବା ଅଧିକାରୀମାନଙ୍କୁ ଆଗାମୀ ଦିନରେ ଭିନ୍ନ ଭିନ୍ନ ପ୍ରାକୃତିକ ବିପର୍ଯ୍ୟୟର ପରିଚାଳନା ଓ ଆହ୍ୱାନକୁ ସାମନା କରିବାକୁ ପଡ଼ିପାରେ ଏବଂ ଏ ଦିଗରେ ବିସ୍ତୃତ ଯୋଜନା, ଦୃଢ଼ନିଷ୍ଠା ଓ ପ୍ରତିବଦ୍ଧତା ଅଧିକାରୀମାନଙ୍କୁ ସଫଳତାର ସହିତ କାର୍ଯ୍ୟ ସଂପାଦନ କରିବାରେ ସହାୟକ ହେବ ବୋଲି ସେ କହିଥିଲେ । ଏହି ସାକ୍ଷାତକାର ସମୟରେ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ତଥା ପର୍ଯ୍ୟଟନ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେନ୍ଦ୍ର କୁମାର ଓ ଗୋପବନ୍ଧୁ ପ୍ରଶାସନିକ ଏକାଡେମୀର ଅତିରିକ୍ତ ମହାନିର୍ଦ୍ଦେଶକ ମନିଷ୍ ଅଗ୍ରଓ୍ୱାଲ ଉପସ୍ଥିତ ଥିଲେ ।

No Result
View All Result