No Result
View All Result
୧୧ ଅକ୍ଟୋବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ହିଞ୍ଜିଳିକାଟୁ :-> ଗତ କିଛି ଦିନ ଧରି ହିଞ୍ଜିଳି ଥାନା ଅଞ୍ଚଳର ବିଭିନ୍ନ ସ୍ଥାନରେ ଥିବା ବାଲି,ମାଟି,ପଥର ଓ ମୋରମ ଭଳି ମୂଲ୍ୟବାନ ଖଣିଜ ସମ୍ପଦ ଉପରେ କିଛି ମାଫିଆଙ୍କ ଲୋଲୁପ ଦୃଷ୍ଟି ପଡିଛି।ବିଶେଷ କରି ହିଞ୍ଜିଳିଥାନା ପରିସୀମା ଦେଇ ପ୍ରବାହିତ ଋଷିକୂଲ୍ୟା ନଦୀ ପଠାର ବିଭିନ୍ନ ସ୍ଥାନରୁ ବେଆଇନ ଭାବେ ଖଣିଜ ଦ୍ରବ୍ଯ ଚୋରା ଚାଲାଣ ଏବେ ନିତିଦିନିଆ ଘଟଣା ପାଲଟିଛି। ଏଭଳି ବେଆଇନ ଖଣିଜ ଦ୍ରବ୍ଯ ଚୋରା ଚାଲାଣ ଓ କାରବାରରେ ମାଫିଆ ଗୋଷ୍ଠୀ ବେଶ ସକ୍ରିୟ ଥିବା ଜଣା ପଡ଼ିଛି।ଶେରଗଡ଼ ତହସିଲ କାର୍ଯ୍ୟାଳୟ ଦ୍ୱାରା ନିଲାମ ହୋଇ ନ ଥିବା କିଛି ବାଲି ସୈରାତ ଏବେ ପ୍ରଭାବଶାଳୀ ବାଲିମାଫିଆଙ୍କ ନିୟନ୍ତ୍ରଣରେ ରହିଛି।ତନ୍ମଧ୍ୟରୁ ହିଞ୍ଜିଳି ଥାନା ତହଁର ଗ୍ରାମ ନିକଟରେ ଥିବା ଋଷିକୂଲ୍ୟା ନଦୀ ପଠା ଏବେ କିଛି ଦିନ ଧରି ବାଲି ମାଫିଆଙ୍କ କବଜାରେ ରହି ପରିଚାଳିତ ହେଉଥିବା ଜଣା ପଡ଼ିଛି।

ସ୍ମଶାନ ଘାଟ ନିକଟବର୍ତ୍ତୀ ନଦୀ ପଠାରୁ ବେଆଇନ ଭାବେ ମୂଲ୍ୟବାନ ବାଲି ଉତ୍ତୋଳନ ଏବଂ ପ୍ରଚୁର ପରିମାଣରେ ଚୋରା ଚାଲାଣ ହେଉଥିବା ଜଣାପଡ଼ିଛି। ଋଷିକୂଲ୍ୟା ନଦୀ ଗର୍ଭରେ ବାଲି ମାଫିଆ ଗୋଷ୍ଠୀ ଜେସିବି ମେସିନ ବ୍ୟବହାର କରି ଭୋର ସକାଳୁ ବିଳମ୍ବିତ ରାତ୍ରୀ ପର୍ଯ୍ୟନ୍ତ ବେଆଇନ ଭାବେ ଏଭଳି କୋଟି କୋଟି ଟଙ୍କାର ମୂଲ୍ୟବାନ ବାଲି ଉତ୍ତୋଳନ କରୁଥିବା ଜଣାପଡିଛି।ଟନଟନ ଓଜନର ମୂଲ୍ୟବାନ ବାଲିକୁ ଦୈନିକ ଶହ ଶହ ସଂଖ୍ୟକ ଟିପର ଓ ହାଇୱାରେ ଓଭର ଲୋଡିଂ କରି ବାଲି ମାଫିଆ ଗୋଷ୍ଠୀ ହିଞ୍ଜିଳି ଥାନା ଅଞ୍ଚଳ ଦେଇ ବେଶ ଆରାମରେ ପରିବହନ କରୁଥିବା ଜଣାପଡିଛି। ହିଞ୍ଜିଳି ଥାନା ଓ ତହସିଲ ଅଞ୍ଚଳ ଦେଇ ନିୟମିତ ବ୍ୟବଧାନରେ ଏଭଳି ମୂଲ୍ୟବାନ ବାଲି ବେଧଡକ ଭାବେ ପରିବହନ ହେଉଥିବା ଦେଖିବାକୁ ମିଳୁଛି।ବହୁ ପୂର୍ବରୁ ହିଞ୍ଜିଳି ଥାନା ପୋଲିସ ପକ୍ଷରୁ ରାତ୍ରୀ କାଳୀନ ପେଟ୍ରୋଲିଂ ବ୍ୟବସ୍ଥାକୁ କଡାକଡି କରାଯାଇଛି।
ହିଞ୍ଜିଳି ଥାନା ପରିବ୍ୟାପ୍ତ ଅଞ୍ଚଳର ଗ୍ରାମ ଗୁଡିକରେ ନିୟମିତ ପୋଲିସ ପେଟ୍ରୋଲିଂ କରୁଛି। ସ୍ଥାନୀୟ ପୋଲିସକୁ ଚକମା ଦେଇ କୋଟି କୋଟି ଟଙ୍କାର ମୂଲ୍ୟବାନ ବାଲି ଚୋରା ଚାଲାଣ ଏବେ ବାଲି ମାଫିଆଙ୍କ ନିତିଦିନିଆ ଘଟଣା ପାଲଟିଛି।ପୂର୍ବରୁ ସ୍ଥାନୀୟ ପୋଲିସ ବେଆଇନ ପରିବହନ କରୁଥିବା ଟ୍ରାକ୍ଟର,ଟିପର ଓ ହାଇୱା ଗାଡି ଗୁଡିକୁ ଜବତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନଜିର ରହିଛି।କିନ୍ତୁ ଦୀର୍ଘ ଦିନ ଧରି ସମ୍ପୃକ୍ତ ଅଞ୍ଚଳରୁ ବେଆଇନ ମୂଲ୍ୟବାନ ବାଲି ଚୋରା ଚାଲାଣ ଓ ବ୍ୟାପକ ଭାବେ ପରିବହନ ହେଉଥିଲେ ମଧ୍ୟ ଆଦୌ କାର୍ଯ୍ୟାନୁଷ୍ଠାନ ନ ହେବା ଦେଖାଯାଇଛି।ପୋଲିସର ନୀରବତା ଓ କାର୍ଯ୍ୟାନୁଷ୍ଠାନ ଅଭାବରୁ ଶହ ଶହ ଟିପର,ଟ୍ରାକ୍ଟର ଓ ହାଇୱାରେ ବେଆଇନ ବାଲି ଚୋରା ଚାଲାଣ ଓ ପରିବହନ ଘଟଣା ବାଲି ମାଫିଆଙ୍କ ପାଇଁ ଅନୁକୂଳ ଓ ଅପୂର୍ବ ସୁଯୋଗ ସୃଷ୍ଟି କରିଛି।

ପ୍ରଶାସନିକ ନିର୍ଦ୍ଦେଶ ଓ ସରକାରୀ ନୀତି ନିୟମକୁ ଉଲ୍ଲଂଘନ ଓ ଭ୍ରୁକ୍ଷେପ ନ କରି ହିଞ୍ଜିଳି ଥାନାର ତହଁର ଗ୍ରାମ ନିକଟ ଋଷିକୂଲ୍ୟା ନଦୀ ଗର୍ଭରୁ ଖୁଲମଖୋଲା ମୂଲ୍ୟବାନ ବାଲି ଉତ୍ତୋଳନ ସହ ଚୋରାଚାଲାଣ ଖୁଲମ ଖୋଲା ଚାଲିଥିବା ଜଣାପଡିଛି।ଗୋଟିଏ ଦିଗରେ ପ୍ରଚୁର ପରିମାଣରେ ମୂଲ୍ୟବାନ ବାଲି ହରିଲୁଟ ଚାଲିଥିବା ବେଳେ ଅନ୍ୟ ଦିଗରେ ନିଲାମ ହୋଇ ନ ଥିବା କାରଣରୁ ରାଜ୍ୟ ଖଣିଜ ବିଭାଗ କୋଟି କୋଟି ଟଙ୍କାର ରାଜସ୍ୱ ହରାଉଥିବା ଜଣା ପଡ଼ିଛି। ଏପରି ସ୍ଥଳେ ବେଆଇନ ଢଙ୍ଗରେ କୋଟି କୋଟି ଟଙ୍କା ଉପାର୍ଜ୍ଜନ କରୁଥିବା ବାଲି ମାଫିଆଙ୍କ ମହାଲୁଟ ଉପରେ ହିଞ୍ଜିଳି ପୋଲିସ କେଉଁ ଢଙ୍ଗରେ କିଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି ସାଧାରଣରେ ତାହା ଦେଖିବାକୁ ବାକି ରହିଛି।ଏଭଳି ବେଆଇନ ତଥା ମହାଲୁଟ ଉପରେ ବିଭିନ୍ନ ମହଲରେ ଜିଲ୍ଲା ପ୍ରଶାସନର ଦୃଷ୍ଟି ଆକର୍ଷଣ କରାଯାଇଛି।

No Result
View All Result