No Result
View All Result
୦୯ ଅକ୍ଟୋବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ରାଇରଙ୍ଗପୁର :-> ଶୁଣିଲାନି ପ୍ରଶାସନ ଶୁଣିଲାନି ସରପଞ୍ଚ | ରାସ୍ତା ଖଣ୍ଡିଏ ପାଇଁ ଗୁହାରି କରି ଥକି ଗଲେ ଗାଁ ଲୋକେ | ଶେଷରେ ପ୍ରଶାସନ ଉପରୁ ତୁଟିଲା ଭରସା | ରାସ୍ତା ପାଇଁ ବର୍ଷା ଦିନେ ହନ୍ତସନ୍ତ ହେବାପରେ ଏକାଠି ହେଲେ ଗାଁ ଲୋକେ | ଆଉ ନିଜ ପାଇଁ ନିଜେ ରାସ୍ତା ତିଆରି କରି ଅନ୍ୟ ପାଇଁ ଉଦାହରଣ ପାଲଟିଲେ | ଆଦିବାସୀ ଅଧ୍ୟୁଷିତ ମୟୁରଭଞ୍ଜ ଜିଲ୍ଲା ବହଳଦା ବ୍ଲକ ଯଶିପୁର ପଞ୍ଚାୟତର ରଙ୍ଗାମାଟିଆ ଗାଁ | ଗାଁ ରେ ବସବାସ କରନ୍ତି ୧୦୦ ରୁ ଉର୍ଦ୍ଧ ପରିବାର | ହେଲେ ଗାଁ କୁ ଯିବାପାଇଁ ନାହିଁ ଭଲ ରାସ୍ତା ଖଣ୍ଡେ |
ଅସରାଏ ବର୍ଷା ହେଲେ ଆଣ୍ଠୁଏ ପାଣି ଜମା ହେଉଥିବା ବେଳେ ରାସ୍ତାପୁରା କାଦୁଅ ପଚ ପଚ | ଭଲ ରାସ୍ତା ନଥିବାରୁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୁଅନ୍ତି ଲୋକେ | ଏଭଳି କି ଜରୁରୀ କାଳୀନ ଆମ୍ବୁଲାନ୍ସ ସେବା ମଧ୍ୟ ପହଞ୍ଚି ପାରେ ନାହିଁ ଗାଁ କୁ | ପ୍ରସୂତୀ ମହିଳା କିମ୍ବା ରୋଗୀଙ୍କୁ ହସ୍ପିଟାଲ ନେବାକୁ ହେଲେ ଅଧ କିଲୋମିଟର ଖଟିଆରେ ବୋହି ନେବାକୁ ପଡେ | ଛାତ୍ରଛାତ୍ରୀମାନଙ୍କୁ ମଧ୍ୟ କାଦୁଅ ପଚ ପଚ ରାସ୍ତାରେ ସ୍କୁଲ ଯିବାକୁ ପଡ଼େ |
ଥରେ କି ଦୁଇଥର ନୁହେଁ ଅନେକ ଥର ପ୍ରଶାସନ ନିକଟରେ ରାସ୍ତା ମରାମତି ପାଇଁ ଗୁହାରି କରିଥିଲେ ଗ୍ରାମବାସୀ | ହେଲେ କୌଣସି ଫଳ ମିଳିନଥିଲା | ମିଳିଥିଲା କେବଳ ପ୍ରତିଶୃତି | ଶେଷରେ ଗାଁ ର ଉନ୍ନତି ପାଇଁ ଅଣ୍ଟା ଭିଡିଲେ ଗ୍ରାମବାସୀ | ପରିବାର ପିଛା ୨୦୦ ଟଙ୍କା ଲେଖାଏଁ ଅନୁଦାନ ସଂଗ୍ରହ କରି ଟ୍ରାକ୍ଟର ଯୋଗେ ମାଟି ଆଣି ନିଜେ ଶ୍ରମଦାନ କରି ରାସ୍ତା ମରାମତି କରି ଉଦାହରଣ ସୃଷ୍ଟି କରିଛନ୍ତି ଗାଁ ଲୋକେ | ଏହା ପରେ ମଧ୍ୟ ପ୍ରଶାସନ ରାସ୍ତା ପ୍ରତି ଦୃଷ୍ଟି ନଦେଲେ. ଆଗାମୀ ଦିନରେ ବ୍ଳକ ଓ ପଞ୍ଚାୟତ କାର୍ଯ୍ୟାଳୟ ଘେରାଉ କରାଯିବ ବୋଲି ଚେତାବନୀ ଦେଇଛନ୍ତି ଗ୍ରାମବାସୀ।
No Result
View All Result