No Result
View All Result
୦୯ ଅକ୍ଟୋବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ପୁରୀ :-> ପୁରୀ ଜିଲ୍ଲାର ରିଲାଏନ୍ସ ସ୍ମାର୍ଟ ବଜାରଠାରେ ଅକ୍ଟୋବର ୭ରୁ ୮ ତାରିଖ ଦୁଇଦିନ ଧରି ‘ଓଡ଼ିଶା ମିଲେଟ୍ ବିଷୟରେ ଜାଣନ୍ତୁ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ମନୋଜ୍ଞ ସାଂସ୍କୃତିକ ମନୋରଞ୍ଜନଧର୍ମୀ କାର୍ଯ୍ୟକ୍ରମ ଏବଂ ଗଠନମୂଳକ ଆଲୋଚନା ଆଦିର ଆୟୋଜନ କରାଯାଇ ଓଡ଼ିଶା ମିଲେଟ୍ସ ମିଶନ ପକ୍ଷରୁ ସ୍ଥାନୀୟ ନାଗରିକମାନଙ୍କୁ ମିଲେଟ୍ସକୁ ସେମାନଙ୍କ ନିୟମିତ ଖାଦ୍ୟ ତାଲିକାରେ ସାମିଲ କରି ଏକ ସୁସ୍ଥ ଜୀବନଶୈଳୀ ଆପଣାଇବାକୁ ପରାମର୍ଶ ଦିଆଯାଇଥିଲା । ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଉଦ୍ଘାଟନ କରିବା ସହତ ସ୍ଥାନୀୟ ଲୋକମାନଙ୍କ ମଧ୍ୟରେ ମିଲେଟ୍ ସମ୍ପର୍କିତ ସଚେତନତା ସୃଷ୍ଟି ଉପରେ ଗୁରୁତ୍ୱାରୋପ କରିଥିଲେ । କାର୍ଯ୍ୟକ୍ରମର ପ୍ରାରମ୍ଭରେ ଆୟୋଜକ ଉପସ୍ଥିତ ଦର୍ଶକମାନଙ୍କୁ ଓଡ଼ିଶା ମିଲେଟ୍ସ ମିଶନ୍ ଏବଂ ଏହାର ଉଦ୍ଦେଶ୍ୟ ସମ୍ବନ୍ଧରେ ସୂଚନା ଦେଇଥିଲେ ।

ଏହି ଅବସରରେ ସ୍ଥାନୀୟ କଳାକାରମାନଙ୍କର ସାଂସ୍କୃତିକ ପ୍ରଦର୍ଶନ ଦର୍ଶକମାନଙ୍କୁ ମନ୍ତ୍ରମୁଗ୍ଧ କରିଥିଲା । କମେଡ଼ି କାର୍ଯ୍ୟକ୍ରମ ମାଧ୍ୟମରେ ଅସ୍ୱାସ୍ଥ୍ୟକର ଖାଦ୍ୟ ଖାଇବା ଦ୍ୱାରା କିଭଳି ଲୋକମାନେ ବିଭିନ୍ନ ଜୀବନଶୈଳୀ ଜନିତ ରୋଗରେ ଆକ୍ରାନ୍ତ ହେଉଛନ୍ତି ତାହାକୁ ବେଶ୍ ମନୋଜ୍ଞ ଭାବରେ ପରିବେଷଣ କରାଯାଇଥିଲା । ଗୁରୁ ଦୁର୍ଗାପ୍ରସାଦ ଦାସଙ୍କ ନୃତ୍ୟାନୁଷ୍ଠାନର କଳାକାରମାନେ ଚମତ୍କାର ନୃତ୍ୟ ପରିବେଷଣ କରିଥିଲେ ଯାହାକି ଉପସ୍ଥିତ ଦର୍ଶକଙ୍କୁ ଭରପୂର ମନୋରଞ୍ଜନ ଯୋଗାଇଥିଲା । ଖ୍ୟାତନାମା ଟିଭି ଓ ଚଳଚ୍ଚିତ୍ର ହାସ୍ୟାଭିନେତା ସୁଜିତ କୁମାର ଜେନା ଏବଂ ଡଲି କାର୍ଯ୍ୟକ୍ରମରେ ହସର ପସରା ମେଲିଥିôବା ବେଳେ ପ୍ରସିଦ୍ଧ ଗାୟକ ମନଦୀପ ଏବଂ ଗାୟିକା ଇତିପ୍ରଭା ସେମାନଙ୍କ ସୁଲଳିତ ସଂଗୀତର ଧ୍ୱନିରେ ସନ୍ଧ୍ୟାର ପରିବେଶକୁ ମୁଖରିତ କରିଥିଲେ । ଓଡ଼ିଆ ଓ ହିନ୍ଦୀ ଗୀତର ମେଲୋଡ଼ି ସାଙ୍ଗକୁ ନୃତ୍ୟ ଭଳି ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଦର୍ଶକଙ୍କ ପାଇଁ ଚିତ୍ତାକର୍ଷକ ହୋଇଥିଲା ।

ଜନ ସାଧାରଣଙ୍କ ଉତ୍ସାହ ବୃଦ୍ଧି ଲାଗି ଓଡ଼ିଶା ମିଲେଟ୍ସ ମିଶନ୍ ପକ୍ଷରୁ ବିଭିନ୍ନ ପ୍ରକାରର କୌତୁକିଆ ତଥା ପ୍ରତିଯୋଗିତାପୂର୍ଣ୍ଣ ଖେଳର ଆୟୋଜନ କରାଯାଇଥିଲା, ଯେଉଁଥିରେ ଉପସ୍ଥିତ ଦର୍ଶକମାନେ ବେଶ୍ ଉତ୍ସାହର ସହିତ ଅଂଶଗ୍ରହଣ କରିଥିଲେ । ଏହି ରୋମାଞ୍ଚକର ଖେଳକୌତୁକର ବିଜେତାମାନଙ୍କୁ ସୁ୍ନ୍ଦର ଉପହାର ପ୍ରଦାନ କରାଯାଇଥିଲା । ରାଜ୍ୟ ସରକାରଙ୍କର ଦୃଷ୍ଟାନ୍ତମୂଳକ ପଦକ୍ଷେପ ‘ଓଡ଼ିଶା ମିଲେଟ୍ସ ମିଶନ୍’ ରାଜ୍ୟରେ ମିଲେଟ୍ସର ବ୍ୟବହାରକୁ ପ୍ରୋତ୍ସାହିତ କରିବା ପାଇଁ ଭିନ୍ନ ଭିନ୍ନ ଅଭିନବ ତଥା ଉତ୍ସାହ ସୃଷ୍ଟିକାରୀ ଉପାୟମାନ ଅବଲମ୍ବନ କରୁଛି । ଏହି ପ୍ରୟାସର ଏକ ଅଂଶ ଭାବରେ, ଓଡ଼ିଶାର ମୁଖ୍ୟ ୨୦ଟି ସହରରେ “ଓଡ଼ିଶା ମିଲେଟ୍ ବିଷୟରେ ଜାଣନ୍ତୁ” କାର୍ଯ୍ୟକ୍ରମ ଆୟୋଜିତ ହେଉଛି । ଓଡ଼ିଶା ସରକାରଙ୍କର ଏହି ଅଭିନବ ପ୍ରୟାସ ରାଜ୍ୟରେ ଏକ ଶକ୍ତିଶାଳୀ ପ୍ଲାଟଫର୍ମ ପ୍ରତିଷ୍ଠା କରିଛି । ଏଭଳି ଭାବରେ ଆଞ୍ଚଳିକ ସ୍ତରରେ ଅନୁଷ୍ଠିତ ହେଉଥିବା କାର୍ଯ୍ୟକ୍ରମଗୁଡ଼ିକ କେବଳ ଏକ ବୃହତ୍ତର ଦର୍ଶକଗୋଷ୍ଠୀର ଦୃଷ୍ଟି ଆକର୍ଷଣ କରୁନାହିଁ; ଅଧିକନ୍ତୁ ରାଜ୍ୟବାସୀଙ୍କୁ ସୁସ୍ଥ ତଥା ସୁଖୀ ଜୀବନଶୈଳୀ ଆପଣାଇବାକୁ ଉତ୍ସାହିତ କରୁଛି ।

No Result
View All Result