ଉପସ୍ଥାପନା
ଶ୍ରୀଯୁକ୍ତ ବିଭୁ ପ୍ରସାଦ ନାୟକ (ବ୍ଯଙ୍ଗକବି ଧର୍ମଛଡା)
ସାଧାରଣ ସମ୍ପାଦକ ନୀଳଶୈଳ ଏବଂ ବିଶ୍ବ ଓଡ଼ିଆ ସମ୍ମିଳନୀ
୦୬ ଅକ୍ଟୋବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଓଡ଼ିଶା ଏକ କୃଷିପ୍ରଧାନ ରାଜ୍ୟ ହୋଇଥିବାରୁ ପ୍ରତ୍ୟେକ ଓଷାବ୍ରତ ଖାଦ୍ୟ ସହିତ ଜଡ଼ିତ ଥିବା ଲକ୍ଷ୍ୟ କରାଯାଏ । ସେହିପରି ଦ୍ୱିତୀୟା ଓଷା (ଦୂତିୟା ଓଷା ବା ଯୁତୀଆ ଓଷା) ଆଶ୍ୱିନ ମାସ କୃଷ୍ଣ ପକ୍ଷ ଅଷ୍ଟମୀ ବା ମୂଳାଷ୍ଟମୀ ଦିନ ପାଳନ କରାଯାଏ । ଏହି ଦିନ ଓଷା କରିଥିବା ମହିଳାମାନେ ନିର୍ଜଳା ଉପବାସ କରି ପୁଅମାନଙ୍କ ମଙ୍ଗଳ କାମନା କରି ଦୂତୀବାହାନଙ୍କୁ ପୂଜା କରିଥାନ୍ତି । ଦ୍ଵିତୀୟା ଓଷା ହେଉଛି ଓଡିଶାର ଏକ ପାରମ୍ପରିକ ପର୍ବ । ଦୂତୀବାହନଙ୍କୁ ପୂଜା କଲେ ଅପୁତ୍ରିକ ନାରୀ ପୁତ୍ରଲାଭ କରେ । ପୌରାଣିକ ମତରେ , ବିଧବା ବ୍ରାହ୍ମଣୀଙ୍କ ଗର୍ଭରୁ ଜନ୍ମିତ ସୂର୍ଯ୍ୟ ଦେବତାଙ୍କ ପୁତ୍ର ଅଟନ୍ତି ଦ୍ବିତୀବାହନ ।
ଦ୍ୱିତୀୟା ଓଷା ଦିନ କିମ୍ବା ଓଷା ପୂର୍ବରୁ ବାପା ମାଆ ଓ ଭାଇ ମାନେ ନିଜର ବିବାହିତା ଝିଅ ବା ଭଉଣୀ ଘରକୁ ଦ୍ବିତୀୟା ବା ଯୁତୀଆ ପରିବା ଭାର ଦେବାର ବିଧି ରହିଛି । ପ୍ରତ୍ୟେକ ଓଡ଼ିଆ ଘରେ ଏହି ପର୍ବ ପାଳନ ହେବା ସହ ଓଷା ପରଦିନ ଘାଣ୍ଟ ତରକାରୀର ଏକ ସ୍ଵତନ୍ତ୍ର ବ୍ୟଞ୍ଜନ ପ୍ରସ୍ତୁତ କରାଯାଇ ଇଷ୍ଟଦେବୀ ଏବଂ ମା ଲକ୍ଷ୍ମୀ ଠାକୁରାଣୀଙ୍କୁ ଅର୍ପଣ କରାଯାଇଥାଏ । ଓଷା ପରଦିନ ସବୁ ପରିବା ମିଶାଇ ଘାଣ୍ଟ ତରକାରୀ ରାନ୍ଧି ବନ୍ଧୁବାନ୍ଧବଙ୍କ ମଧ୍ୟରେ ବାଣ୍ଟିବାର ପ୍ରଥା ଓଡ଼ିଶାରେ ଚଳି ଆସୁଛି । ଏହା ଦ୍ଵିତୀୟା ଓଷାର ଘାଣ୍ଟ ତରକାରୀ ରୂପେ ପ୍ରସିଦ୍ଧ । ପରମ୍ପରା ଅନୁଯାୟୀ, କଦଳୀ, ବୁଢ଼ା କାକୁଡ଼ି, ଜହ୍ନି, କଖାରୁ, ସାରୁ, ଓଉ, କନ୍ଦମୂଳ, ନଡ଼ିଆ, ମୁଗ, ସୋଲା, କାଙ୍କଡ଼ ଆଦି ପନିପରିବା ପଡ଼ି ଘାଣ୍ଟ ହୁଏ । ବାଇଗଣଠାରୁ ଆରମ୍ଭ କରି ବିନ, ଗାଜର, ମାଟି ଆଳୁ, ସାରୁ, ଅମୃତଭଣ୍ଡା, ପାଣି କଖାରୁ, କାଙ୍କଣ, ଗ୍ରିନ ମଟର ପର୍ଯ୍ୟନ୍ତ ସବୁ ପରିବା ଦରକାର । ଓଡ଼ିଆ ସଂସ୍କୃତି ଓ ପରମ୍ପରାରେ ଏହି ଘାଣ୍ଟ ତରକାରିର ସ୍ୱତନ୍ତ୍ର ମହକ ଥାଏ । ଘାଣ୍ଟ ପ୍ରସ୍ତୁତ ହେବା ପରେ ଦ୍ୱୀତିବାହନଙ୍କୁ ଭୋଗ ଦିଆଯାଏ । ଏହାପରେ ବନ୍ଧୁବାନ୍ଧବ ତଥା ପରିବାରର ସମସ୍ତ ସଦସ୍ୟ ଏକାଠି ବସି ଘାଣ୍ଟ ତରକାରିର ମଜ୍ଜା ନିଅନ୍ତି ।
ଘାଣ୍ଟ ତରକାରୀ ଲାଗି କଖାରୁକୁ ମୁଖ୍ୟ ପରିବା ହିସାବରେ ବ୍ୟବହାର କରାଯାଇଥାଏ । ହେଲେ ଆପଣ ଜାଣନ୍ତି କି, କଖାରୁ ଏଭଳି ଏକ ପାରିବା ଯେଉଁଥିରେ ଲୌହ, ଜିଙ୍କ ପୋଟାସିଅମ, ମାଗ୍ନେସିଅମ ଏବଂ ଫାଇବାର ଭଳି ଅନେକ ପୋଷାକ ତତ୍ତ୍ଵ ଭିରି ରହିଛି । ଯାହାକି ସ୍ୱାସ୍ଥ୍ୟ ପାଇଁ ବେଶ ଉପକାରୀ । ଆମେରିକାସ୍ଥିତ ନାସନାଲ ଇନଷ୍ଟିଟ୍ୟୁଟ ଅଫ ହେଲଥ ପକ୍ଷରୁ ପ୍ରକାଶିତ ତଥ୍ୟ ଅନୁଯାୟୀ, ମହିଳାମାନଙ୍କୁ ପ୍ରତିଦିନ ଖାଦ୍ୟରେ ୮ ଗ୍ରାମ ଜିଙ୍କର ଆବଶ୍ୟକତା ହୋଇଥାଏ । ଯାହାକି ସେମାନଙ୍କ ରୋଗ ପ୍ରତିରୋଧ ଶକ୍ତି ବଢାଇବାରେ ସାହାଯ୍ୟ କରିଥାଏ । ତେଣୁ କଖାରୁ ମଞ୍ଜିରେ ପ୍ରଚୁର ପରିମାଣରେ ଜିଙ୍କ ରହିଥିବାରୁ ପ୍ରତିଦିନ ଏହାକୁ ଖାଦ୍ୟ ତାଲିକାରେ ସାମିଲ କରିବା ବେଶ ଉପକାରୀ । ମହିଳାମାନେ ସାଧାରଣତଃ ଅଧିକ କାମର ଚାପରେ ସମୟ ସମୟ ଚିନ୍ତା ବା ଅବସାଦଗ୍ରସ୍ତ ହୋଇପଡନ୍ତି । ଯାହାକି ଅପରପକ୍ଷେ ସେମାନଙ୍କଠାରେ ନିଦ୍ରାହୀନତା ଏବଂ ଅନ୍ୟାନ୍ୟ ସ୍ୱାସ୍ଥ୍ୟ ସମସ୍ୟା କାରଣ ସାଜିଥାଏ । ଏଥିପାଇଁ ପ୍ରତିଦିନ ଖାଦ୍ୟ ତାଲିକାରେ କଖାରୁକୁ ସାମିଲ କରିବା ଉଚିତ ।
ଚାହିଁଲେ କଖାରୁ ମଞ୍ଜିକୁ ଭାଜି ମଧ୍ୟ ଖାଇପାରିବେ । କାରଣ ଏଥିରେ ଥିବା ଏଲ ଟ୍ରିପ୍ଟୋଫାନ ନାମକ ଉପାଦାନ ଆପଣଙ୍କୁ ଅବସାଦଠାରୁ ଦୂରେଇ ରଖିବା ସହ ମନକୁ ଖୁସିରେ ରଖିବାରେ ସାହାଯ୍ୟ କରିଥାଏ । ସାରୁ ରେ ବିଶେଷ ପରିମାଣର ତନ୍ତୁ ( ଫାଇବର ) ଏବଂ କାର୍ବୋହାଇଡ୍ରେଟ ରେ ଭରପୁର ଆହୁରି ମଧ୍ୟ ଅଧିକ ପରିମାଣରେ A, C, E, B6, ଏବଂ ଫୋଲେଟ (folate), ମ୍ୟାଗ୍ନେସିୟମ, ଆଇରନ,ଜିଙ୍କ, ଫସଫରସ, ପଟାସିୟମ ଏବଂ କପର ଆଦି ରହିଛି । କଦଳୀର ବହୁ ଔଷଧୀୟ ଗୁଣ ରହିଛି । ଏହାକୁ କେବଳ ସ୍ୱାସ୍ଥ୍ୟପଦ ନୁହେଁ। ଏହା ସୌନ୍ଦର୍ଯ୍ୟ ବଦ୍ଧର୍କ ମଧ୍ୟ । କଦଳୀରେ ପ୍ରଚୁର ପରିମାଣରେ ଭିଟାମିନ ବି ଓ ଏଣ୍ଟିଅକ୍ସଡାଣ୍ଟ ରହିଛି । ଏହା ତ୍ୱଚାକୁ ପୋଷଣ ଶକ୍ତି ଯୋଗାଇଥାଏ । ଅସମୟରେ ତ୍ୱଚା କୁଞ୍ଚନ ହେବାରୁ ରକ୍ଷା କରିଥାଏ । ବାଇଗଣ ପନିପରିବାର ରାଜା ଭାବେ ପରିଚିତ । ଭିଟାମିନ B1 ଏବଂ B6 ରେ ଭରପୁର । ମ୍ୟାଗ୍ନେସିୟମ, ଆଇରନ, ଜିଙ୍କ, ଫସଫରସ, ପଟାସିୟମ, ମାଙ୍ଗାନିଜ, ନିଆସିନ, କପର ଏବଂ ଫଲିକ ଏସିଡ଼ ଅଛି ।ଆଳୁ ସହିତ ବର୍ଷ ସାରା ଅଧିକ ମାତ୍ରାରେ ମିଳୁଥିବାରୁ ଏହି ପରିବା ଘାଣ୍ଟ ତରକାରୀରେ ଅତି ଦରକାରୀ ।
ଏହା ଶରୀରରେ କୋଲେଷ୍ଟରଲ ମାତ୍ରା କମ କରିଥାଏ, ଯାହା ହୃଦରୋଗ ଆଶଙ୍କାକୁ ଏଡ଼ାଇ ଦେଇଥାଏ । ମଧୁମେହ ନିୟନ୍ତ୍ରଣରେ ଏହା ଏକ ପ୍ରାକୃତିକ ଅବଦାନ । ଟାଇପ ୨ ଡାଇବେଟିସରେ ସର୍କରା ସ୍ତରକୁ କମାଇଦିଏ । ମଏଶ୍ଚର କମ ଥିବାରୁ ଏହା ଓଜନ କମାଇବାରେ ମଧ୍ୟ ସାହାଯ୍ୟ କରେ । କ୍ୟାଲୋରୀ କମ ରହୁଥିବାରୁ ଦୈନନ୍ଦିନ ଖାଦ୍ୟ ଭାବେ ରୋଷେଇରେ ଦେଖିବାକୁ ମିଳେ । ମାଟି ଆଳୁ ବା ଖମ୍ବଆଳୁ କାର୍ବୋହାଇଡ୍ରେଟ ଏବଂ ଫାଇବରରେ ଭରପୁର । ତା ସହିତ ଭିଟାମିନ A, ବି କମ୍ପ୍ଲେକ୍ସ, C, ଆଇରନ, ପଟାସିୟମ ଶାରୀରିକ ଅଭିବୃଦ୍ଧି ପାଇଁ ଦରକାରୀ । ଶକ୍ତି ପାଇଁ ଏହା ଏକ ବଢିଆ ପରିବା । ପ୍ରତି ୧୦୦ ଗ୍ରାମ ଖମ୍ବଆଳୁରେ ୧୧୮ ଗ୍ରାମ ଶକ୍ତି ମିଳେ । ଏମିତି ଅନ୍ୟାନ୍ୟ ପରିବା ଯଥା କାଙ୍କଡ଼,ଆଳୁ, ଅମୃତ ଭଣ୍ଡା, ଝୁଡ଼ଙ୍ଗ, ମଟର, ଛୁଇଁ, ଗଜାମୁଗ,ବୁଟ, ଚଣା, ଶାଗ ଆଦି ତରକାରୀକୁ ସୁସ୍ବାଦୁ କରିବା ସହ ଡାଲିରେ ଥିବା ପୁଷ୍ଟିସାର ତତ୍ତ୍ଵ ସ୍ୱାସ୍ଥ୍ୟ ପକ୍ଷେ ହିତକର ହୋଇଥାଏ ।
ଏକ ଖାଣ୍ଟି ଓଡ଼ିଆ ବ୍ୟଞ୍ଜନ ହେଉଛି “ଘାଣ୍ଟ ତରକାରୀ” ଯାହା ଓଡ଼ିଆ ଘରେ ଗରମ ଭାତ ସହ ମୁଖ୍ୟ ବ୍ୟଞ୍ଜନ ଭାବେ ପରସା ଯାଏ । ଆମ ଆରାଧ୍ୟ ମହାପ୍ରଭୁ ଶ୍ରୀଜଗନ୍ନାଥ ହେଉଛନ୍ତି ଷାଠିଏ ପଉଟି ଖିଆ , ଖାଦ୍ୟ ପ୍ରିୟ ଠାକୁର । ସେଇଥିପାଇଁ ଆମେ ଓଡ଼ିଆ ଖାଦ୍ୟ ପ୍ରିୟ । ଆମ ରାଜ୍ୟର ଅନେକ ଖାଇବା ଦରବକୁ ନେଇ ଗର୍ବ କରିଥାଉ । ସାରା ବିଶ୍ବରେ କେବଳ ଓଡ଼ିଶା ଏମିତି କା ରାଜ୍ୟ ଯେଉଁଠାରେ ଖାଇବା ଓ ଖୁଆଇବା ପାଇଁ ବିଭିନ୍ନ ପର୍ବପର୍ବାଣି ପାଳନ କରାଯାଇଥାଏ । ଆମ ଓଷା ବ୍ରତ ସହ ଯୋଡ଼ି ହୋଇ ରହିଥିବା ଆମ ନିଆରା ଖାଦ୍ୟ ଯଥା , ରଜ ପର୍ବ ପାଇଁ ପୋଡ଼ପିଠା ଓ ଛେନାପୋଡ଼ , ମାର୍ଗଶୀର ମାସ ଗୁରୁବାର ଓଷାରେ ମଣ୍ଡା , ଛୁଞ୍ଚି ପତ୍ର , ବୁଢ଼ା ଚକୁଳୀ , ଚକୁଳୀ , ଛଣା ମଣ୍ଡା ଇତ୍ୟାଦି , ବକୁଳ ଅମାବାସ୍ୟା ଦିନ ଗଇଁଠା ପିଠା , ଚିତାଲାଗି ଅମାବାସ୍ୟା ଦିନ ଚିତଉପିଠା , ବାହୁଡା଼ ମଙ୍ଗଳବାର ଦିନ ଗେଟେଇ ପିଠା , ସାମ୍ବଦଶମୀରେ ଘଡ଼ଘଡିଆ ତରକାରୀ ସହିତ ରସାବଳୀ , ରସଗୋଲା , ବଜ୍ରବାଟୁଳି , ଏବଂ ବିଭିନ୍ନ ମିଠା ଓ ପିଠା , ପ୍ରଥମାଷ୍ଟମୀ ଦିନ ଏଣ୍ଡୁରି ପିଠା , କାଞ୍ଜି ଅଁଳା ଦିନ କାଞ୍ଜିପାଣି , ନୀଳାଦ୍ରି ବିଜେ ଦିନ ରସଗୋଲା ଏବଂ ଦ୍ବିତୀୟା ଓଷା ବା ଯୁତୀଆ ଓଷାର ଘାଣ୍ଟ ତରକାରୀ ଦର୍ଶାଏ ଯେ ସାରା ବିଶ୍ବରେ କେବଳ ଓଡ଼ିଆ ମାନେ ଖାଇବା ପାଇଁ ପରମ୍ପରା ସୃଷ୍ଟି କରିଛନ୍ତି । ସେଇଥିପାଇଁ ମୁଁ କୁହେ , “ଆମେ ଓଡ଼ିଆ ଭାରି ବଢ଼ିଆ” ।