୨୧ ସେପ୍ଟେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ନୂଆଦିଲ୍ଲୀ :-> ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱ ଅଧୀନରେ ଏବଂ କେନ୍ଦ୍ର ସ୍ୱରାଷ୍ଟ୍ର ତଥା ସହକାରିତା ମନ୍ତ୍ରୀ ଶ୍ରୀ ଅମିତ ଶାହଙ୍କ ମାର୍ଗଦର୍ଶନରେ ମହିଳାଙ୍କ ପାଇଁ ସ୍ଥାନ ସଂରକ୍ଷଣ ସମ୍ପର୍କିତ ୧୨୮ତମ ସମ୍ବିଧାନ ସଂଶୋଧନ ଅଧିନିୟମ ‘ନାରୀ ଶକ୍ତି ବନ୍ଦନ ଅଧିନିୟମ- ୨୦୨୩’ ମଙ୍ଗଳବାର ଲୋକସଭାରେ ଆଗତ କରାଯାଇଥିଲା । ପରିଶେଷରେ ବୁଧବାର ଉକ୍ତ ଅଧିନିୟମ ଲୋକସଭାରେ ଅନୁମୋଦନ ଲାଭ କରିଛି । ଏହି ଅବସରରେ ବିରୋଧୀ ଦଳଗୁଡିକର ପ୍ରଶ୍ନ ଉପରେ ଶ୍ରୀ ଶାହ ଜୋର୍ ଦେଇ କହିଥିଲେ ଯେ, କିଛି ରାଜନୈତିକ ଦଳ ପାଇଁ ମହିଳା ସଶକ୍ତୀକରଣ ଏକ ରାଜନୈତିକ କାର୍ଯ୍ୟସୂଚୀ ଅଥବା ଏକ ରାଜନୈତିକ ପ୍ରସଙ୍ଗ ହୋଇପାରେ ।
କିନ୍ତୁ ମୋଦୀ ଜୀ’ଙ୍କ ପାଇଁ ମହିଳା ସଶକ୍ତୀକରଣ ଏକ ରାଜନୈତିକ ପ୍ରସଙ୍ଗ ନୁହେଁ, ବରଂ ଏହା ମହିଳାଙ୍କ ସମ୍ମାନର ବିଷୟ । ବୁଧବାର ଲୋକସଭାରେ ନାରୀ ଶକ୍ତି ବନ୍ଦନ ଅଧିନିୟମ ସମ୍ପର୍କରେ ବିସ୍ତୃତ ଆଲୋଚନା ବିତର୍କ କରାଯିବା ପରେ ଏହା ସପକ୍ଷରେ ୪୫୪ ଭୋଟ ପଡିଥିଲା ଏବଂ ଦୁଇ ତୃତୀୟାଂଶ ବହୁମତରେ ଅଧିନିୟମ ଗୃହର ଅନୁମୋଦନ ଲାଭ କରିଥିଲା । ମହିଳା ସଂରକ୍ଷଣ ବ୍ୟବସ୍ଥା କାର୍ଯ୍ୟକାରୀ କରିବା ପାଇଁ ସମୟସୀମାକୁ ନେଇ ବିରୋଧୀ ଦଳଗୁଡିକ ଜୋର୍ଦାର ଆପତ୍ତି ଦର୍ଶାଇଥିଲେ । ୨୦୨୯ ପୂର୍ବରୁ ଏହି ଅଧିନିୟମ କାହିଁକି କାର୍ଯ୍ୟକାରୀ କରାଯାଇପାରିବ ନାହିଁ ବୋଲି ସେମାନେ ପ୍ରଶ୍ନ କରିଥିଲେ । ଏପରିକି ଅଭିଯୋଗ ଉଠିଥିଲା ଯେ ସରକାର ମହିଳା ସଂରକ୍ଷଣକୁ ଏକ ନିର୍ବାଚନୀ କୌଶଳ ଭାବରେ ବ୍ୟବହାର କରୁଛନ୍ତି, କାରଣ ଏହି ସଂରକ୍ଷଣ ବ୍ୟବସ୍ଥା ଜନଗଣନା ଏବଂ ସୀମା ପୁନଃନିର୍ଦ୍ଧାରଣ ପ୍ରକ୍ରିୟା ପୂର୍ବରୁ କାର୍ଯ୍ୟକାରୀ କରାଯାଇପାରିବ ନାହିଁ ।
ଏହି ସମସ୍ତ ଅଭିଯୋଗର ଜବାବ ରଖି ବିଜେପିର ବରିଷ୍ଠ ନେତା ଶ୍ରୀ ଅମିତ ଶାହ କହିଥିଲେ, ମହିଳାଙ୍କ ପାଇଁ ୩୩ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥାରେ ସ୍ୱଚ୍ଛତା ବଜାୟ ରଖିବା ସକାଶେ ଉଭୟ ଜନଗଣନା ଏବଂ ସୀମା ପୁନଃନିର୍ଦ୍ଧାରଣ ପ୍ରକ୍ରିୟା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ସେଥିପାଇଁ ୨୦୨୪ ଲୋକସଭା ନିର୍ବାଚନ ପରେ ଗଠିତ ହେବାକୁ ଥିବା ନୂତନ ସରକାର ଜନଗଣନା ଏବଂ ସୀମା ପୁନଃନିର୍ଦ୍ଧାରଣ ପ୍ରକ୍ରିୟା ଆରମ୍ଭ କରିବେ । ମୋଦୀ ଜୀ’ଙ୍କର ମହିଳାଙ୍କ ନେତୃତ୍ୱାଧୀନ ବିକାଶ ଲକ୍ଷ୍ୟ ଆଧାରରେ ଅଣାଯାଇଥିବା ଏହି ଅଧିନିୟମ ଦେଶରେ ନିଷ୍ପତ୍ତି ଗ୍ରହଣ ଏବଂ ନୀତି ନିର୍ଦ୍ଧାରଣ ପ୍ରକ୍ରିୟାରେ ମହିଳାଙ୍କ ଅଂଶଗ୍ରହଣରେ ବୃଦ୍ଧି ଘଟାଇବ । ଏହା ରାଷ୍ଟ୍ରର ଗଣତାନ୍ତ୍ରିକ ଯାତ୍ରାରେ ଏକ ଉଲ୍ଲେଖନୀୟ ସଫଳତା ବିବେଚିତ ହେଉଛି । କିନ୍ତୁ ପରିତାପର ବିଷୟ ଯେ ଦେବେଗୌଡାଙ୍କ ସରକାରରୁ ନେଇ ମନମୋହନ ସିଂଙ୍କ ସରକାର ପର୍ଯ୍ୟନ୍ତ ପୂର୍ବରୁ ଚାରିଥର ଏହି ଅଧିନିୟମ ଗୃହୀତ କରାଇବାକୁ ଉଦ୍ୟମ ହୋଇଥିଲେ ମଧ୍ୟ ରାଜନୈତିକ କାରଣରୁ ତାହା ସଫଳ ହୋଇନଥିଲା ।
୨୭ବର୍ଷ ପରେ ଏହି ଅଧିନିୟମ ସମ୍ପ୍ରତି ଶ୍ରୀ ଶାହଙ୍କ ମାର୍ଗଦର୍ଶନରେ ଲୋକସଭାରେ ଗୃହୀତ ହୋଇଛି । ନାରୀଶକ୍ତି ବନ୍ଦନ ଅଧିନିୟମରେ ମହିଳାମାନଙ୍କୁ ଲୋକସଭା ଓ ରାଜ୍ୟସଭାରେ ୩୩ ପ୍ରତିଶତ ସଂରକ୍ଷଣ ସୁବିଧା ପ୍ରଦାନ ବ୍ୟବସ୍ଥା ରହିଛି ଏବଂ ଏହାପ୍ରତି ଲୋକସଭାର ପ୍ରାୟ ସମସ୍ତ ରାଜନୈତିକ ଦଳ ସମର୍ଥନ ଜଣାଇଛନ୍ତି । ବିଜେପିର ବରିଷ୍ଠନେତା ଶ୍ରୀ ଅମିତ ଶାହଙ୍କର ବିଶ୍ୱାସ ଯେ, ମହିଳାମାନେ ଜନତାଙ୍କ ପ୍ରତିନିଧି ଭାବରେ ସେବାକଲେ ମହିଳାମାନଙ୍କ ନିକଟରେ କ୍ଷମତା ରହିବା ସହିତ ସରକାରୀ ଯୋଜନାଗୁଡିକର ଫାଇଦା ଦେଶର ଶେଷ ବ୍ୟକ୍ତି ନିକଟରେ ପହଞ୍ଚିପାରିବ । ଏହା ଆଇନରେ ପରିଣତ ହେଲେ ସଂସଦର ଏକ ତୃତୀୟାଂଶ ଆସନ ମହିଳା ସାଂସଦଙ୍କ ପାଇଁ ସଂରକ୍ଷିତ ରହିବ, ଯାହା ମହିଳା ସଶକ୍ତୀକରଣ ଯାତ୍ରାରେ ଏକ ଉଲ୍ଲେଖଯୋଗ୍ୟ ମାଇଲଖୁଌକ୍ଷଗ୍ଧ; ହେବ ।