୮ ସେପ୍ଟେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ପାଟଣାଗଡ :-> ରାସ୍ତା ପ୍ରଶସ୍ତିକରଣ ନାଁ ରେ ଶହ ଶହ ବର୍ଷର ପୁରୁଣା ବୃକ୍ଷ କାଟୁଥିବାରୁ ପରିବେଶ ପ୍ରତି ବିପଦ ସଙ୍କେତ । ଦିନ ଥିଲା ପାଟଣା ମହାରାଜ ବଳରାମ ସିଂଦେଓ ଶାସନ କରୁଥିଲେ । ତାଙ୍କ ରାଜୁଡ଼ା ଅମଳରେ ରାଜାଙ୍କ ନିର୍ଦ୍ଦେଶ ମୁତାବକ ପ୍ରଜାମାନେ କାମ କରୁଥିଲେ । ରାଜାଙ୍କ ନିର୍ଦ୍ଦେଶ ଅବମାନନା କଲେ ରାଜ ଦଣ୍ଡର ବ୍ୟବସ୍ଥା ଥିଲା , ପ୍ରଜାମାନେ ରାଜାଙ୍କ ନିର୍ଦ୍ଦେଶ କୁ ମାନୁଥିଲେ ମଧ୍ୟ । ପୂର୍ବଜ ମାନେ କହିବା ମୁତାବକ ସେ ସମୟରେ ପାଟଣା ମହାରାଜ ବଳରାମ ସିଂଦେଓ ପାଟଣାଗଡ଼ ରୁ ହରିଶଙ୍କର ଓ ନୃସିଂହ ନାଥକୁ ଅବସର ବିନୋଦନ ସହ ପଶୁ ପକ୍ଷୀ ଶିକାର ପାଇଁ ରାସ୍ତାରେ ଯାତାୟାତ କରୁଥିଲେ ,ରାସ୍ତାରେ ଯିବା ସମୟରେ ଅତିଷ୍ଠ ଗ୍ରୀଷ୍ମ ପ୍ରବାହ ଯୋଗୁଁ ରାଜା ପ୍ରବଳ ଗରମକୁ ସହ୍ୟ କରି ପାରୁନଥିଲେ । ସେସମୟରେ ରାଜା ପ୍ରଜା ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ହରିଶଙ୍କର ଓ ନୃସିଂହନାଥ ଯିବା ରାସ୍ତାର ଉଭୟ ପାର୍ଶ୍ଵରେ ବୃକ୍ଷ ରୋପଣ କରିବା ପାଇଁ,ସେହି ଦିନ ଠାରୁ ପ୍ରଜାମାନେ ଲାଗିପଡିଲେ ବୃକ୍ଷ ରୋପଣ କରିବା ପାଇଁ ଓ ତାର ସୁରକ୍ଷା ପାଇଁ ।

ନିଜର ସନ୍ତାନ ସନ୍ତତି ଭଳି ଗଛ ମାନଙ୍କର ସୁରକ୍ଷା ଦେଇ ବଢ଼େଇ ଆସିଲେ । ତାଙ୍କର ବହୁମୂଲ୍ୟ ଅବଦାନ ପାଇଁ ରାସ୍ତାରେ ଯାଉଥିବା ପଥିକ ଆରାମରେ ଯାତାୟତ କରି ଆସୁଛନ୍ତି । ତାଙ୍କର ବହୁମୂଲ୍ୟ ଝାଲବୁହା ପରିଶ୍ରମକୁ ପରିବେଶ ବିରୋଧୀ ପ୍ରଶାସନ ବୁଝି ପାରିଲା ନାହିଁ । ପ୍ରଶାସନ ରାସ୍ତା ପ୍ରଶସ୍ତିକରଣ ନାଁ ରେ ପାଟଣାଗଡ଼ ରୁ ପଦ୍ମପୁର ଓ ପାଟଣାଗଡ଼ ରୁ ଖପ୍ରାଖୋଳ ଲାଠୋର ରାସ୍ତାର ଉଭୟ ପାର୍ଶ୍ଵରେ ଥିବା ଶହ ଶହ ବର୍ଷର ପୁରୁଣା ବହୁମୂଲ୍ୟ ଗଛକୁ କାଟି ଦେଉଛି । ବୃକ୍ଷ ରୋପଣ ପାଇଁ,ପରିବେଶ ସୁରକ୍ଷା ପାଇଁ ସରକାର ବାହାଦୂର ହଜାର ହଜାର କୋଟି ଟଙ୍କା ବ୍ୟୟ ବରାଦ କରୁଥିବା ବେଳେ ପୁରୁଣା ବୃକ୍ଷକୁ ସୁରକ୍ଷା ଦେବାରେ ନିଷ୍ଠୁର କାହିଁକି ? ବିଭାଗୀୟ ଅଧିକାରୀ ମାନଙ୍କ ସ୍ୱାର୍ଥ କ’ଣ ? ଏମାନେ ପରିବେଶ ସୁରକ୍ଷା ବିରୋଧ ରେ ଯିବାର ଅର୍ଥ କ’ଣ ? ଏମାନେ କଣ ଅମ୍ଳଜାନ ନେଉ ନାହାଁନ୍ତି କି ?

ରାସ୍ତା ପ୍ରଶସ୍ତିକରଣ ନାଁ ରେ ହେଉଥିବା ବୃକ୍ଷ କଟା ପ୍ରତିବାଦରେ ଆଜି ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘର ଯୁଗ୍ମ ସମ୍ପାଦକ ଗିରିରାଜ ଭୋଇଙ୍କ ନେତୃତ୍ୱରେ ପାଟଣାଗଡ଼ କଚେରୀ ଛକରୁ ଏକ ଶୋଭାଯାତ୍ରାରେ ବାହାରି ପ୍ରଶାସନ ର ପରିବେଶ ବିରୋଧୀ ସ୍ଲୋଗାନ ଦେଇ ଉପଜିଲ୍ଲାପାଳ କାର୍ଯ୍ୟାଳୟକୁ ପହଞ୍ଚି ଉପଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଦିଆଯାଇଛି । ଆଜିର ଆନ୍ଦୋଳନକୁ କୋଶଳ ମୁକ୍ତି ମୋର୍ଚ୍ଚାର ଆବାହକ ସୁଶୀଳ କୁମାର ଗୁରୁ,ସୁବାଷ ଚନ୍ଦ୍ର ଆଚାର୍ଯ୍ୟ ,ଏଡଭୋକେଟ ସେବୀକା ରାଜହଂସ, ଗନ୍ଧମାର୍ଦ୍ଦନ ସୁରକ୍ଷା ଯୁବ ପରିଷଦର ଅଭିଳାଷ ଭୋଇ , ଆଦିବାସୀ ସଂଘର ବ୍ଲକ ସଭାପତି ଭୁବନେଶ୍ୱର କୁଅଁର,ଚୂଡ଼ାମଣି ଧରୁଆ (କ),ଟିକେଶ୍ୱର ମିର୍ଧା, ଚୂଡ଼ାମଣି ଧରୁଆ (ଖ),ମଦନ ମାଝୀ, ନିତ୍ୟାନନ୍ଦ ମାଝୀ, ପିଣ୍ଟୁ ବୁଡ଼େକ, ଭାବ ବରିହା, ରଞ୍ଜିତ ସାହୁ, ତରୁଣ ସାଣ୍ଢ, ଗୋବିନ୍ଦ ସାଣ୍ଢ,ବିକାଶ ସାହୁ,ଯୁବରାଜ ବାଘାର,ପୂର୍ଣ ବରୀହ ପ୍ରମୁଖ ଉପସ୍ଥିତ ରହି ଧାରଣାରେ ଯୋଗଦେଇଥିଲେ । ପରେ ଉପଜିଲ୍ଲାପାଳ ଡ଼ ବିଜୟା ନନ୍ଦ ସେଠୀ ଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରିବା ସହ ଦୁଇ ରାସ୍ତାରେ ବୃକ୍ଷ ରୋପଣ କରିବା ପାଇଁ ୧୦ ଗୋଟି ବୃକ୍ଷ ଉପହାର ଦିଆଯାଇଥିଲା ।














