୨ ଅଗଷ୍ଟ ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) ହିଞ୍ଜିଳିକାଟୁ :- ନିଖିଳ ଉତ୍କଳ ପଞ୍ଚାୟତ ନିର୍ବାହୀ ଅଧିକାରୀ ସଂଘ, ଭୂବନେଶ୍ୱରର ଆହ୍ୱାନ କ୍ରମେ ୨ ଦଫା ଦାବି ପୂରଣ ନେଇ ମଙ୍ଗଳବାର ହିଞ୍ଜିଳିକାଟୁ ବ୍ଳକ ପିଇଓ ସଂଘ ପକ୍ଷରୁ ବିଡିଓ ସୁବ୍ରତ କୁମାର ଜେନାଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି । ସଂଘ ଦାବି ମଧ୍ୟରେ ପିଇଓ ମାନଙ୍କ ପ୍ରବେଶିକା ଶିକ୍ଷାଗତ ଯୋଗ୍ୟତା +୨ ପରିବର୍ତ୍ତେ +୩ କରିବା, ବେତନସ୍ତର ୫ର ୨୧.୭୦୦ଟଙ୍କାରୁ ବେତନସ୍ତର ୯ର ୩୫.୪୦୦ଟଙ୍କା ପର୍ଯ୍ୟନ୍ତ ମଞ୍ଜୁର ପ୍ରଦାନ କରିବା ଓ ୧୦ବର୍ଷ ଚାକିରୀ ପୂରଣ କରିଥିବା ପିଇଓ ମାନଙ୍କ ପାଇଁ ସ୍ୱତନ୍ତ୍ର ପଦବୀ ସୃଷ୍ଟି କରି ଉଚ୍ଚ ବେତନସ୍ତରରେ ସେମାନଙ୍କୁ ଅବସ୍ଥାପିତ କରିବା ଏବଂ ଜିପିଟିଓ ପଦବୀକୁ ଶତ ପ୍ରତିଶତ ପଦୋନ୍ନତିର ବ୍ୟବସ୍ଥା କରିବା ଓ ଓପିଆରଏସ କ୍ୟାଡରରେ ସେମାନଙ୍କୁ ଅର୍ନ୍ତଭୁକ୍ତ କରିବା ଦାବି ରହିଛି ।

ଏଥି ସହ ପଞ୍ଚାୟତରାଜ ସଂସ୍ଥାକୁ ଦାରିଦ୍ର୍ୟ ଦୂରୀକରଣ ଯୋଜନା ଯଥା ମନରୋଗା,ଗ୍ରାମାଞ୍ଚଳ ଗୃହନିର୍ମାଣ, ହରିଶ୍ଚନ୍ଦ୍ର ସହାୟତା,ମୋଘର ଯୋଜନା, ରାଜ୍ୟ ଓ କେନ୍ଦ୍ର ଅର୍ଥ ଅନୁଦାନ ପାଣ୍ଠି ବିନିଯୋଗରେ ଗ୍ରାମ ପଞ୍ଚ।।ୟତ ଉନ୍ନୟନ ଯୋଜନା, ସାଧାରଣ ବଣ୍ଟନ ବ୍ୟବସ୍ଥା, ପାନୀୟ ଜଳ ଯୋଜନା, ରାସ୍ତା ଆଲୋକୀକରଣ, ଭିତ୍ତିଭୂମି ପ୍ରତିଷ୍ଠା, ନିର୍ବାଚନ ପରିଚାଳନା ସହ ପ୍ରାକୃତିକ ବିପର୍ଯ୍ୟୟ ଓ ମହାମାରୀ କରୋନା ମୁକାବିଲା ସମୟରେ ନିଜ ଜୀବନକୁ ବାଜି ଲଗାଇ କାର୍ଯ୍ୟକରି ଆସୁଥିଲେ ।
ସେମାନଙ୍କ ଦୀର୍ଘ ବର୍ଷର ସମସ୍ୟା ଓ ଦାବିକୁ ସରକାର ନମାନିଲେ ଆସନ୍ତା ୭ ରୁ ୧୭ ତାରିଖ ପର୍ଯ୍ୟନ୍ତ କଳାବ୍ୟାଜ୍ ପରିଧାନ କରି କାମ କରିବେ । ନଚେତ ଆସନ୍ତା ୧୮ ତାରିଖଠାରୁ ଅନିର୍ଦ୍ଧିଷ୍ଟ ସମୟ ପର୍ଯ୍ୟନ୍ତ କାମ ବନ୍ଦ ଆନ୍ଦୋଳନ କରିବେ ବୋଲି ଚେତାବନି ଦେଇଛନ୍ତି । ଦାବିପତ୍ର ପ୍ରଦାନ ସମୟରେ ସଂଘ ସଭାପତି ସୁଶାନ୍ତ କୁମାର ପାତ୍ର, ବେଣୁଧର ବେହେରା, ବାସୁଦେବ ବେହେରା, ଭି. ହରି, ଶଙ୍କର ମହାନ୍ତି, ସୁଶାନ୍ତ ପଟ୍ଟନାୟକ, କାଳୁଚରଣ ବେହେରା, ସାରଣୀ ଗମାଙ୍ଗ, ବୈଷ୍ଣବ ମଣ୍ଡଳ, ଚିନ୍ତାମଣି ଗୌଡ, ଇ. ଶଙ୍କର ରାଓ, ଯୁଧିଷ୍ଟିର ରେଡ୍ଡି ଓ ପ୍ରତାପ ସାହୁ ଉପସ୍ଥିତ ଥିଲେ ।














