୨୧ଜୁଲାଇ ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ )ହିଞ୍ଜିଳିକାଟୁ :- ମୁଖ୍ୟମନ୍ତ୍ରୀ ପଟ୍ଟନାୟକଙ୍କ ନିର୍ବାଚନ ମଣ୍ଡଳୀର ଏକ ମାତ୍ର ତଥା ହିଞ୍ଜିଳିକାଟୁ ପୋୖରାଞ୍ଚଳ ସ୍ଥିତ ମିନି ଷ୍ଟାଡିୟମ ପରିସରରେ ଥିବା ଇଣ୍ଡୋର ଷ୍ଟାଡିୟମ ଠାରେ ଆସନ୍ତା ୨୮ ତାରିଖରୁ ୩୦ ତାରିଖ ପର୍ଯ୍ୟନ୍ତ ରାଜ୍ୟ ସ୍ତରୀୟ ବ୍ୟାଡମିଣ୍ଟନ ପ୍ରତିଯୋଗିତା ଅନୁଷ୍ଠିତ ହେବ। ବ୍ୟାଡମିଣ୍ଟନ ଏସୋସିଏସନ ଅଫ ଇଣ୍ଡିଆର ସମ୍ମତି କ୍ରମେ ରାଜ୍ୟ ବ୍ୟାଡମିଣ୍ଟନ ଆସୋସିଏସନ ଅଫ ଓଡିଶା ପକ୍ଷରୁ ହିଞ୍ଜିଳିକାଟୁ ଇଣ୍ଡୋର ଷ୍ଟାଡିୟମ ଠାରେ ପ୍ରଥମ ଥର ଲାଗି ଏଭଳି ଏକ ୩ ଦିନ ଧରି ଆକର୍ଷଣୀୟ ପ୍ରତିଯୋଗିତା ଆୟୋଜନ ହେଉଥିବାରୁ ସମସ୍ତଙ୍କ ମଧ୍ୟରେ ଉତ୍କଣ୍ଠତା ଦେଖାଦେଇଛି।ଏହି ପ୍ରତିଯୋଗିତାରେ ରାଜ୍ୟର ଅନ୍ୟୁନ ପ୍ରାୟ ୧୩୦ ଜଣ ପ୍ରତିଷ୍ଠିତ ତଥା ବଛାବଛା ବ୍ୟାଡମିଣ୍ଟନ ଖେଳାଳି ଅଂଶ ଗ୍ରହଣ କରିବାର ସମ୍ଭାବନା ରହିଛି।
ଏଣୁ ରାଜ୍ୟ ସ୍ତରରେ ହିଞ୍ଜିଳିକାଟୁ ଇଣ୍ଡୋର ଷ୍ଟାଡିୟମର ବିଶେଷତ୍ୱ ଓ ସମ୍ମାନ ନିଶ୍ଚିତ ଭାବେ ବୃଦ୍ଧି ପାଇବା ସହ ପ୍ରତିଯୋଗିତା ଉପରେ ରାଜ୍ୟବାସୀଙ୍କ ଧ୍ୟାନ କେନ୍ଦ୍ରିତ ହେବା ସମ୍ଭାବନା ରହିଛି।ଏଣୁ ଏଭଳି ଏକ ଗୁରୁତ୍ୱପୂର୍ଣ୍ଣ ପ୍ରତିଯୋଗିତାର ସଫଳ ଆୟୋଜନ ନେଇ ପୌର ପରିଷଦ,ହିଞ୍ଜିଳିକାଟୁ ପକ୍ଷରୁ ଶୁକ୍ରବାର ଏକ ପ୍ରସ୍ତୁତି ବୈଠକ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଥିଲା।ପୌର କାର୍ଯ୍ୟ ନିର୍ବାହୀ ଅଧିକାରୀ ଜୁବୁଲି ଚରଣ ବେହେରାଙ୍କ ସଂଯୋଜନାରେ ଆୟୋଜିତ ବୈଠକରେ ପୋୖରାଧ୍ୟକ୍ଷ ସୁବାସ ଚନ୍ଦ୍ର ପୋଲେଇ ସଭାପତିତ୍ୱ କରିଥିଲେ।

ମୁଖ୍ୟ ଅତିଥି ଭାବେ ଛତ୍ରପୁର ଉପ ଜିଲ୍ଲାପାଳ ପ୍ରସନ୍ନ କୁମାର ପାତ୍ର ଓ ସମ୍ମାନିତ ଅତିଥି ଭାବେ ଉପାଧ୍ୟକ୍ଷା ସୁଚିତ୍ରା କୁମାରୀ ପଣ୍ଡା, ତହସିଲଦାର ପ୍ରଭାତ କୁମାର ପରିଡା,ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁବ୍ରତ କୁମାର ଜେନା ଓ ଆଇଆଇସି ଅଭିମନ୍ୟୁ ଦାସ ଯୋଗ ଦେଇଥିଲେ। ଏହି ପ୍ରତୀକ୍ଷିତ ବ୍ୟାଡମିଣ୍ଟନ ପ୍ରତିଯୋଗିତା ଉଦଘାଟନ ଓ ଉଦଯାପିତ କାର୍ଯ୍ୟକ୍ରମ ପୂର୍ବରୁ ଇଣ୍ଡୋର ଷ୍ଟାଡିୟମ ପରିସରରେ ମରାମତି,ଜଳ ଯୋଗାଣ,ପରିମଳ,ବିଦ୍ୟୁତ ଯୋଗାଣ,ସ୍ୱାସ୍ଥ୍ୟସେବା,ଅଗ୍ନି ନିରାପତ୍ତା ଓ ସୁରକ୍ଷା ଆଦି ପ୍ରମୁଖ ସେବା ଉପଲବ୍ଧ ଉପରେ ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା ହୋଇଥିଲା।
ଆଗନ୍ତୁକ ବ୍ୟାଡମିଣ୍ଟନ ପ୍ରତିଯୋଗୀଙ୍କ ଆତିଥ୍ୟ ପ୍ରଦାନ ସହ ସମସ୍ତ ପ୍ରକାର ଆନୁଷଙ୍ଗିକ ସୁବିଧା ବ୍ୟବସ୍ଥା ବନ୍ଦୋବସ୍ତ ସକାଶେ ମିଳିତ ସହଯୋଗ ଓ ସମନ୍ୱୟ ଉପରେ ଆଲୋଚନା ହୋଇଥିଲା।ଏଥିପାଇଁ ପୂର୍ତ୍ତ,ୱାଟକୋ,ପୌର ପରିଷଦ,ଟିପିଏସଓ ଡିଏଲ,ଅଗ୍ନିଶମ ବିଭାଗ ଓ ହିଞ୍ଜିଳିଥାନା ଆଇଆଇସି ପ୍ରମୁଖଙ୍କ ସମେତ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ ସଫଳ ଆୟୋଜନ ନେଇ ସମ୍ମତି ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମ ସଫଳ ପରିଚାଳନା ସକାଶେ କର୍ମଚାରୀ,ପାରିଷଦ ଓ ଅନ୍ୟାନ୍ୟ ବ୍ୟକ୍ତି ବିଶେଷଙ୍କୁ ସାମିଲ କରି ଅଭ୍ୟର୍ଥନା କମିଟି,ଖାଦ୍ୟ କମିଟି,ପ୍ରତିଯୋଗିତା ପରିଚାଳନା କମିଟି ଓ ଆବାସ କମିଟି ଗଠିତ ହୋଇଥିଲା ।
ସର୍ବୋପରି ରାଜ୍ୟରେ କ୍ରୀଡ଼ାକ୍ଷେତ୍ରରେ ଭିତ୍ତିଭୂମି,ପ୍ରସାର,ଗ୍ରାମାଞ୍ଚଳରେ ବାସ କରୁଥିବା କ୍ରୀଡ଼ାବିତଙ୍କ ଲୁକ୍କାୟିତ ପ୍ରତିଭାକୁ ବିକଶିତ କରିବା ସହ ରାଜ୍ୟ ତଥା ଦେଶ ବିଦେଶରେ ସଫଳ ସୁନାମ ଅର୍ଜ୍ଜନ ଲାଗି ମୁଖ୍ୟମନ୍ତ୍ରୀଙ୍କ ସ୍ୱପ୍ନକୁ ସାକାର କରିବା ପାଇଁ ସମ୍ମିଳିତ ଉଦ୍ୟମ ଜାରି ରଖିବା ରାଜ୍ୟ ସ୍ତରୀୟ ବ୍ୟାଡମିଣ୍ଟନ ପ୍ରତିଯୋଗିତାର ଆଭିମୁଖ୍ୟ ବୋଲି ପୌର କାର୍ଯ୍ୟ ନିର୍ବାହୀ ଅଧିକାରୀ ପ୍ରକାଶ କରିଥିଲେ।ବୈଠକରେ ବିଜେଡ଼ି ରାଜ୍ୟ ସାଧାରଣ ସମ୍ପାଦକ ଦେବାନନ୍ଦ ମହାପାତ୍ର ଓ ନବ ନିଯୁକ୍ତ ସାଧାରଣ ସମ୍ପାଦକ ଶିବରାମ ଗୌଡ଼,ଗ୍ରୀଟ ଅଧ୍ୟକ୍ଷ ପବିତ୍ର ମୋହନ ପାଣିଗ୍ରାହୀ, ବସନ୍ତ କୁମାର ବେହେରା, ସୁପ୍ରଭା ମହାରଣା,ପୂର୍ତ୍ତ କନିଷ୍ଠ ଯନ୍ତ୍ରୀ ଉମା ଚରଣ ପାଢ଼ୀ,ବିଦ୍ୟୁତ ସହକାରୀ ନିର୍ବାହୀ ଯନ୍ତ୍ରୀ ସତ୍ୟ ନାରାୟଣ ଦାଶ,କନିଷ୍ଠ ଯନ୍ତ୍ରୀ ମାନସ ରଞ୍ଜନ ଦାଶ ଓ ଦିଲ୍ଲୀପ କୁମାର ମିଶ୍ର, ପ୍ରମୋଦ କୁମାର ସାହୁଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି, ପାରିଷଦ ଓ ପୌର କର୍ମଚାରୀ ଉପସ୍ଥିତ ଥିଲେ।














