୨୧ଜୁଲାଇ ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) ଆର, ଉଦୟଗିରି :- ପୁଣି ଜନନୀ ଯନ୍ତ୍ରଣା । ନଦୀରେ ନାହିଁ ପୋଲ କି ଗାଁ କୁ ଯିବାକୁ ଭଲ ରାସ୍ତା । ଗାଁ କୁ ପହଞ୍ଚି ପାରିଲାନି ଆମ୍ବୁଲାନ୍ସ । କାଦୁଅ ପଚପଚ ରାସ୍ତାରେ ଚାଲି ଚାଲି ଆସି ଡାକ୍ତରଖାନା ଗଲେ ଗର୍ଭବତୀ ମହିଳା । ଏଭଳି ଖବର ଆସିଛି ଗଜପତି ମୋହନା ବ୍ଲକ୍ ଗରଡମା ପଞ୍ଚାୟତ ରାଜଖମା ଗାଁ ରୁ। ଗାଁର ପୂଜା ପାତ୍ର ଙ୍କ ପ୍ରସବ ବେଦନା ହେବାରୁ ପରିବାର ଲୋକେ ଆମ୍ବୁଲାନ୍ସ କୁ ଫୋନ୍ କରିଥିଲେ । ଅମ୍ବୁଲାନ୍ସ ଗାଁ କୁ ପହଞ୍ଚି ନପାରି ପଦାସାହି ନିକଟରେ ଅଟକିଥିଲା ।

ପଦାସାହି ଆଉ ରାଜଖମା ଗାଁ ମଧ୍ୟରେ ପଡେ ଗଦାପୁର ନଦୀ । କିନ୍ତୁ ଉପରେ ପୋଲଟିଏ ନଥିବାରୁ ନଦୀ ଉପରେ କାଠପୋଲ ନିର୍ମାଣ କରି ଦୈନନ୍ଦିନ କାମରେ ଗମନାଗମନ କରନ୍ତି ଗ୍ରାମବାସୀ । ତାପରେ ରାଜଖମା ଗାଁ ପର୍ଯ୍ୟନ୍ତ ଅଛି କାଦୁଅ ପଚପଚ ରାସ୍ତା । ସେହି କାଠପୋଲ ଓ କାଦୁଆ ରାସ୍ତାରେ ପ୍ରାୟ ଦୁଇ କିମି ରାସ୍ତା ଆସିବା ପରେ ପଦାସାହିରେ ଅଟକି ଥିବା ଆମ୍ବୁଲାନ୍ସ ନିକଟରେ ଗର୍ଭବତୀ ମହିଳା ଜଣଙ୍କ ପହଞ୍ଚିବା ପରେ ବ୍ରାହ୍ମଣିଗାଁ ଡାକ୍ତରଖାନାକୁ ନେଲେ ଆଶା ଦିଦି ଓ ପରିବାର ଲୋକେ । ତେବେ ଏହି ଅଞ୍ଚଳର ବିକାଶ ଦିଗରେ ସରକାର ଦୃଷ୍ଟି ଦେବାକୁ ଦାବି କରିଛନ୍ତି ଲୋକେ ।
















