୧୮ଜୁଲାଇ ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ )ହିଞ୍ଜିଳିକାଟୁ :- ରାଜ୍ୟ ଗ୍ରାମ୍ୟ କୃଷି କର୍ମଚାରୀ ଓ ମହିଳା ଗ୍ରାମ୍ୟ କୃଷି କର୍ମଚାରୀ ସଂଘ ଆହ୍ୱାନ କ୍ରମେ ୬ଦଫା ସମ୍ବଳିତ ଦାବି ପୂରଣ ନିମନ୍ତେ ସାରା ରାଜ୍ୟର ବିଭିନ୍ନ ବ୍ଲକରେ ଗତ ଶୁକ୍ରବାର ଠାରୁ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ ଆରମ୍ଭ ହୋଇଛି।ଏହି ପରିପ୍ରେକ୍ଷୀରେ ଗଞ୍ଜାମ ଜିଲ୍ଲା ଶାଖା ପକ୍ଷରୁ ହିଞ୍ଜିଳିକାଟୁ ବ୍ଲକରେ ନିୟୋଜିତ ଥିବା ଗ୍ରାମ୍ୟ କୃଷି କର୍ମଚାରୀ ଓ ମହିଳା ଗ୍ରାମ୍ୟ କୃଷି କର୍ମଚାରୀ ସ୍ଥାନୀୟ କୃଷି ସୂଚନା ଓ ପରାମର୍ଶ କେନ୍ଦ୍ର ସମ୍ମୁଖରେ ଦାବି ପୂରଣ ଉଦ୍ଦେଶ୍ୟ ନେଇ କଳାବ୍ୟାଜ ପରିଧାନ କରି ଗତ ୫ ଦିନ ହେଲା ପ୍ରତିବାଦ ଓ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ ଜାରି ରଖିଛନ୍ତି। ସେମାନଙ୍କ ପ୍ରମୁଖ ଦାବି ଗୁଡିକ ମଧ୍ୟରେ ଗ୍ରାମ୍ୟ କୃଷି କର୍ମଚାରୀ ବଦଳରେ କୃଷି ସମ୍ପ୍ରସାରଣ ଅଧିକାରୀ ଭାବେ ମାନ୍ୟତା ପ୍ରଦାନ କରିବା, ଗ୍ରେଡ ପେ ୨ ହଜାର ଟଙ୍କାରୁ ୪ହଜାର ୨ଶହ ଟଙ୍କା ବୃଦ୍ଧି କରିବା,

ଚୁକ୍ତି ଭିତ୍ତିକ ବ୍ୟବସ୍ଥା ଉଚ୍ଛେଦ ସହ ୬ ବର୍ଷ ଚୁକ୍ତି ଭିତ୍ତିକ ସମୟ ସୀମାକୁ ମୂଳ ଚାକିରୀରେ ଗଣନା କରିବା,ଗ୍ରାମ ପଞ୍ଚାୟତରେ କାର୍ଯ୍ୟାଳୟ ସହ କମ୍ପ୍ୟୁଟର ପ୍ରଦାନ କରିବା ,ଗ୍ରାମ୍ୟ କୃଷି କର୍ମଚାରୀଙ୍କ ସଂଶୋଧିତ ଜବ ଚାର୍ଟ ଘୋଷଣା ଓ ଚାକିରି କାଳ ମଧ୍ୟରେ୩/୪ ଟି ପଦୋନ୍ନତି ଆଦି ରହିଛି।ଏହି ନ୍ୟାର୍ଯ୍ୟ ଦାବି ପୂରଣ ଦିଗରେ ସରକାର ଉଚିତ ବିଚାର କରି ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ପାଇଁ ଗ୍ରାମ୍ୟ କୃଷି କର୍ମଚାରୀ ପଞ୍ଚୁ କୁମାର ସାହୁ,ମହିଳା ଗ୍ରାମ୍ୟ କୃଷି କର୍ମଚାରୀ ରାଧାରାଣୀ ସୁବୁଦ୍ଧି,ଧରିତ୍ରୀ ପାଢ଼ୀ ଓ ନଳନ୍ତିକା ପାତ୍ର ପ୍ରମୁଖ ସେବା ସହ କଳାବ୍ୟାଜ ପରିଧାନ କରି ଶାନ୍ତିପୂର୍ଣ୍ଣ ଭାବେ ଗଣ ପ୍ରତିବାଦ ଓ ଆନ୍ଦୋଳନ ଜାରୀ ରଖିଛନ୍ତି।ଗ୍ରାମ୍ୟ କୃଷି କର୍ମଚାରୀଙ୍କ ଦାବି ପୂରଣ ସକାଶେ ଆସନ୍ତା ୨୦ ତାରିଖ ପର୍ଯ୍ୟନ୍ତ କୃଷି ସୂଚନା ଓ ପରାମର୍ଶ କେନ୍ଦ୍ର ସମ୍ମୁଖରେ ସମ୍ପୃକ୍ତ ୪ ଗ୍ରାମ୍ୟ କୃଷି କର୍ମଚାରୀ ସେବା ସହ କଳାବ୍ୟାଜ ପରିଧାନ କରି ଶାନ୍ତିପୂର୍ଣ୍ଣ ଭାବେ ଆନ୍ଦୋଳନ ଜାରି ରଖିବେ ବୋଲି କହିଛନ୍ତି ।
ଏହା ପୂର୍ବରୁ ଅର୍ଥାତ ଗତ ୧୨ ତାରିଖରେ ଜିଲ୍ଲା ସଂଘ ପକ୍ଷରୁ ଏନେଇ ଗଞ୍ଜାମ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା।ଇତି ମଧ୍ୟରେ ୫ ଦିନ ବିତିଯାଇଥିଲେ ମଧ୍ୟ ପ୍ରତିବାଦ ଓ ଆନ୍ଦୋଳନ ଅବ୍ୟାହତ ରହିଛି।ଗ୍ରାମ୍ୟ କୃଷି କର୍ମଚାରୀଙ୍କ ନ୍ୟାର୍ଯ୍ୟ ଦାବି ପ୍ରତି ସରକାର ଅବହେଳା ଓ ଅଣଦେଖା ପ୍ରଦର୍ଶନ କଲେ ଜିଲ୍ଲାର ସମସ୍ତ ଆନ୍ଦୋଳନକାରୀ ଆସନ୍ତା ଅଗଷ୍ଟ ମାସ ୧ ତାରିଖରୁ ସାମୁହିକ ଛୁଟି ଓ ମୁଖ୍ୟ ଜିଲ୍ଲା କୃଷି ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଗଣଧାରଣା ଦେବା ପାଇଁ ନୀତିଗତ ନିଷ୍ପତ୍ତି ନେଇ ମାନସିକ ସ୍ତରରେ ପ୍ରସ୍ତୁତି ଚଳାଇଛନ୍ତି। ରାଜ୍ୟ ସରକାରଙ୍କ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ କୃଷି ଓ କୃଷକଙ୍କ ସକଳ ଉନ୍ନତି ଦିଗରେ ବିନିଯୋଗ ହେଉଥିବା ବିଭିନ୍ନ ସରକାରୀ ଯୋଜନା ଗୁଡିକୁ ତୃଣମୂଳ ସ୍ତରରେ ସଫଳ ରୂପାୟନ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରୁଥିବା ଗ୍ରାମ୍ୟ କୃଷି କର୍ମଚାରୀ ଓ ମହିଳା ଗ୍ରାମ୍ୟ କୃଷି କର୍ମଚାରୀଙ୍କ ଦାବି ପ୍ରତି ସରକାରଙ୍କ ଆଭିମୁଖ୍ୟ ଓ ପଦକ୍ଷେପ ସକରାତ୍ମକ ହେବ ବୋଲି ସ୍ଥାନୀୟ ଆନ୍ଦୋଳନରତ କର୍ମଚାରୀଗଣ ଆଶାବାଦୀ ଅଛନ୍ତି।














