୧୮ଜୁଲାଇ ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) ବରଗଡ଼ :- ଓଡ଼ିଶା ମିଲେଟ୍ସ ମିଶନ୍ ବରଗଡ଼ର ଲୋକମାନଙ୍କ ପାଇଁ ଏକ ଆକର୍ଷଣୀୟ କାର୍ଯ୍ୟକ୍ରମର ଆୟୋଜନ କରିଥିଲା । ଜୁଲାଇ ମାସ ୧୫ ଏବଂ ୧୬ ତାରିଖରେ ବରଗଡ଼ର ରିଲାଏନ୍ସ ଟ୍ରେଣ୍ଡସ ମଲ୍ ସାମ୍ନାରେ ଆୟୋଜିତ ହୋଇଥିବା “ଓଡ଼ିଶାର ମିଲେଟ୍ସ ବିଷୟରେ ଜାଣ” ଶୀର୍ଷକ କାର୍ଯ୍ୟକ୍ରମରେ ମୁଖ୍ୟତଃ ଲୋକମାନଙ୍କୁ ମିଲେଟ୍ସ ବିଷୟରେ ସଚେତନ କରାଯାଇଥିଲା । ଆୟୋଜକମାନେ ଓଡ଼ିଶା ମିଲେଟ୍ସ ମିଶନକୁ ଲୋକମାନଙ୍କ ଆଗରେ ଉପସ୍ଥାପନ କରିବା ସହିତ ସେମାନଙ୍କୁ ଏହାର ଉଦ୍ଦେଶ୍ୟ ବିଷୟରେ ସୂଚନା ଦେଇଥିଲେ । ଏହି ଅବସରରେ ଆୟୋଜିତ କମେଡି କାର୍ଯ୍ୟକ୍ରମ ଲୋକମାନଙ୍କ ଲାଗି ମନୋମୁଗ୍ଧକର ହୋଇଥିଲା । ଏହି କମେଡି ସ୍କିଟ୍ ଜରିଆରେ କୌତୁକିଆ ଢଙ୍ଗରେ ଅସ୍ୱାସ୍ଥ୍ୟକର ଖାଦ୍ୟ ଅଭ୍ୟାସର କୁପରିଣାମକୁ ଲୋକଲୋଚନକୁ ଅଣାଯାଇଥିଲା ।

ଏହି କାର୍ଯ୍ୟକ୍ରମରେ ଜୀବନଜ୍ୟୋତି ସ୍ୱୟଂ ସଂହାୟକ ଗୋଷ୍ଠୀର ସଦସ୍ୟମାନେ, ମଲରେ ଥିବା ଦୋକାନୀମାନଙ୍କୁ ଓ ଉପସ୍ଥିତ ଲୋକମାନଙ୍କୁ ମିଲେଟ୍ସରୁ ପ୍ରସ୍ତୁତ ବିଭିନ୍ନ ମିଠା ଓ କୁକିଜ୍ ବଌକ୍ଷଗ୍ଧ;ନ କରିଥିଲେ । ଲୋକମାନଙ୍କର ଉତ୍ସାହକୁ ବହୁଗୁଣିତ କରିବା ପାଇଁ ଓଡ଼ିଶା ମିଲେଟ୍ସ ମିଶନ୍ ପକ୍ଷରୁ ଭିନ୍ନ ଭିନ୍ନ କୌତୂକିକଆ ତଥା ପ୍ରତିଯୋଗିତାମୂଳକ ଖେଳର ଆୟୋଜନ କରାଯାଇଥିଲା ଯାହା ଦର୍ଶକମାନଙ୍କର ଉତ୍କଣ୍ଠାକୁ ଶେଷ ପର୍ଯ୍ୟନ୍ତ ବଜାୟ ରଖିବାରେ ସହାୟକ ହୋଇଥିଲା । ଏହି ରୋମାଂଚକର ପ୍ରତିଯୋଗିତାର ବିଜେତାମାନଙ୍କୁ ବିଭିନ୍ନ ଆକର୍ଷଣୀୟ ଉପହାର ପ୍ରଦାନ କରାଯାଇଥିଲା । ଲୋକପ୍ରିୟ ଟିଭି ତଥା ଚଳଚ୍ଚିତ୍ର ହାସ୍ୟାଭିନେତା ସୁଜିତ କୁମାର ଜେନା ଓ ଡଲି ନିଜର ମଜାଳିଆ କମେଡ଼ି ଦ୍ୱାରା ଲୋକମାନଙ୍କୁ କେବଳ ବାନ୍ଧି ରଖି ନଥିଲେ ; ଅଧିକନ୍ତୁ ସେମାନଙ୍କୁ ମିଲେଟ୍ସର ସ୍ୱାସ୍ଥ୍ୟ ଉପକାରିତା ସମ୍ପର୍କରେ ସଚେତନ କରାଇଥିଲେ ।

ପ୍ରଖ୍ୟାତ ଗାୟକ କୁଲଦୀପ ସଂଗୀତ ପରିବେଷଣ କରି ଦର୍ଶକମାନଙ୍କର ଭରପୂର ମନୋରଞ୍ଜନ କରିଥିଲେ । ଓଡ଼ିଆ, ସମ୍ବଲପୁରୀ ସହିତ ହିନ୍ଦି ସଂଗୀତ କାର୍ଯ୍ୟକ୍ରମକୁ ଜୀବନ୍ତ କରିତୋଳିଥିଲା । ଲୋକମାନେ ଗୀତର ତାଳେତାଳେ ଝୁମୁଥିବା ଦେଖିବାକୁ ମିଳିଥିଲା । ଓଡ଼ିଶା ରାଜ୍ୟ ସରକାର ଏହି ଯୁଗାନ୍ତକାରୀ ପଦେକ୍ଷେପ ମାଧ୍ୟମରେ ରାଜ୍ୟରେ ମିଲେଟର ବ୍ୟବହାରକୁ ପ୍ରୋତ୍ସାହିତ କରିବା ପାଇଁ ବିଭିନ୍ନ ପ୍ରକାର ଅଭିନବ ତଥା ରୋମାକର ଉପାୟ ଅବଲମ୍ବନ କରୁଛନ୍ତି । ଏହି ପ୍ରୟାସର ଏକ ଅଂଶ ଭାବରେ ଓଡ଼ିଶାର ୨୦ଟି ସହରରେ “ଓଡ଼ିଶା ମିଲେଟ୍ସ ବିଷୟରେ ଜାଣ” କାର୍ଯ୍ୟକ୍ରମ ଆୟୋଜିତ ହେଉଛି । ଓଡ଼ିଶା ସରକାରଙ୍କ ଏହି ଅଭିନବ ପ୍ରୟାସ ରାଜ୍ୟରେ ଏକ ଶକ୍ତିଶାଳୀ ପ୍ଲାଟଫର୍ମ ପ୍ରତିଷ୍ଠା କରିବାରେ ଲାଗିଛି । ଏହି କାର୍ଯ୍ୟକ୍ରମ କେବଳ ଲୋକମାନଙ୍କର ମନୋରଞ୍ଜନ କରୁନାହିଁ; ଏହା ରାଜ୍ୟର ତଥା ରାଜ୍ୟବାସୀଙ୍କ ସ୍ୱାସ୍ଥ୍ୟ ଉପରେ ସ୍ଥାୟୀ ପ୍ରଭାବ ସୃଷ୍ଟି କରୁଛି ।














