“ଦ୍ଵିତୀୟ ଡି ଆର୍ ଏମ୍ କପ୍ ଆନ୍ତର୍ବିଭାଗୀୟ ଫୁଟବଲ ଟୁର୍ନାମେଣ୍ଟ” ଉଦ୍ଘାଟିତ
୧୪ଜୁଲାଇ ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) ଖୋର୍ଦ୍ଧା – ଜଟଣୀ :- ରେଳ କର୍ମଚାରୀଙ୍କ ମଧ୍ୟରେ କ୍ରୀଡାକୁ ଉତ୍ସାହିତ କରିବା ପାଇଁ ଖୋର୍ଦ୍ଧାରୋଡ଼ ମଣ୍ଡଳ ଦ୍ଵାରା ୮୦୦୦ ବର୍ଗମିଟର ଅଞ୍ଚଳର ଏକ ନୂତନ ଫୁଟବଲ୍ ଗ୍ରାଉଣ୍ଡ, ଆରପିଏଫ୍ ବ୍ୟାରେକ୍, ଲୋକୋ କଲୋନୀ, ଜଟଣୀ, ନିକଟରେ ପ୍ରତିଷ୍ଠିତ କରାଯାଇଛି | ଏହି ନୂତନ ଫୁଟବଲ ଗ୍ରାଉଣ୍ଡକୁ,ଖୋର୍ଦ୍ଧାରୋଡ୍ ମଣ୍ଡଳର ରେଳ ପ୍ରବନ୍ଧକ, ଶ୍ରୀ ରିଙ୍କେଶ ରୟ ଏବଂ ପୂର୍ବତଟ ରେଳର ଖୋର୍ଦ୍ଧାରୋଡ଼ ରେଳ ମଣ୍ଡଳର ମହିଳା କଲ୍ୟାଣ ସଂଗଠନ (ଇକୋରୋ) ସଭାନେତ୍ରୀ ଶ୍ରୀମତୀ ଶୁଭଲକ୍ଷ୍ମୀ ଜେନା,
ଶ୍ରୀ କଲ୍ୟାଣ ପଟ୍ଟନାୟକ, ଅତିରିକ୍ତ ମଣ୍ଡଳ ରେଳ ପ୍ରବନ୍ଧକ (ଓପି), ଶ୍ରୀ ଶୁଭ୍ର ଜ୍ୟୋତି ମଣ୍ଡଳ, ଅତିରିକ୍ତ ମଣ୍ଡଳ ରେଳ ପ୍ରବନ୍ଧକ (ଇନ୍ଫ୍ରା),ଶ୍ରୀ ହିମାଦ୍ରୀ ଭୂଷଣ ବିଶ୍ଵାଳ କ୍ରୀଡା ଅଧିକାରୀ ତଥା ବରିଷ୍ଠ ମଣ୍ଡଳ ବିତ୍ତ ପ୍ରବନ୍ଧକ ଏବଂ ଅନ୍ୟ ଶାଖା ଅଧିକାରୀଙ୍କ ଉପସ୍ଥିତି ରେ ଉଦ୍ଘାଟନ କରିଥିଲେ । ଇଷ୍ଟକୋଷ୍ଟ ରେଳ ସ୍ପୋର୍ଟସ ଆସୋସିଏସନ (ଇକୋର୍ଷା) ଦ୍ୱାରା ଆୟୋଜିତ ଦ୍ଵିତୀୟ ଡି ଆର୍ ଏମ୍ କପ୍ ଆନ୍ତର୍ବିଭାଗୀୟ ଫୁଟବଲ ଟୁର୍ନାମେଣ୍ଟ,ଏହି ନୂତନ ଫୁଟବଲ ଗ୍ରାଉଣ୍ଡ ରେ, ମଣ୍ଡଳ ରେଳ ପ୍ରବନ୍ଧକ, ଶ୍ରୀ ରିଙ୍କେଶ ରୟଙ୍କ ଦ୍ୱାରା ଉଦ୍ଘାଟନ କରଯାଇଥିଲା।
ଏହି ଟୁର୍ନାମେଣ୍ଟ ୨୧ ଜୁଲାଇ ୨୦୨୩ ପର୍ଯ୍ୟନ୍ତ ଜାରି ରହିବ | ଖୋର୍ଦ୍ଧାରୋଡ୍ ମଣ୍ଡଳର ୧୧ ଟି ବିଭାଗର ରେଳ କର୍ମଚାରୀ ଏହି ଟୁର୍ନାମେଣ୍ଟରେ ଭାଗ ନେଉଛନ୍ତି | ଅଂଶ ଗ୍ରହଣ କାରୀ ଦଳମାନଙ୍କୁ ଶ୍ରୀ ରିଙ୍କେଶ ରୟ ଶୁଭେଚ୍ଛା ଜଣାଇବା ସହ କହିଛନ୍ତି ଯେ ବର୍ତ୍ତମାନ ଇଷ୍ଟକୋଷ୍ଟ ରେଳ ସ୍ପୋର୍ଟସ ଆସୋସିଏସନ, ଖୋର୍ଦ୍ଧାରୋଡ଼ ଦ୍ଵାରା ଉଭୟ ଖେଳ ପଡିଆରେ, ଯଥା ରେଲୱେ ଷ୍ଟାଡିୟମ, ଟ୍ରାଫିକ କଲୋନୀ ଏବଂ ଫୁଟବଲ ଗ୍ରାଉଣ୍ଡ, ଲୋକୋ କଲୋନୀରେ ଅଧିକ କ୍ରୀଡା କାର୍ଯ୍ୟକଳାପ ଆୟୋଜନ କରାଯାଇ ପାରିବ ।
ଏହି ଅବସରରେ ଶ୍ରୀ ରିଙ୍କେଶ ରୟ, ଖୋର୍ଦ୍ଧାରୋଡ଼ ମଣ୍ଡଳର ପୂର୍ବତନ ଦକ୍ଷ ଫୁଟବଲ ଖେଳାଳିଙ୍କୁ ସମ୍ଭର୍ଦ୍ଧନା କରିଥିଲେ। ନୂତନ ଫୁଟବଲ ପଡିଆରେ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା | ଆଜି ଇଲେକ୍ଟ୍ରିକାଲ ଏବଂ ସିକୁରିଟି ବିଭାଗ ମଧ୍ୟରେ ପ୍ରଥମ ଟୁର୍ନାମେଣ୍ଟ ଅନୁଷ୍ଠିତ ହୋଇଥିଲା।ଇଲେକ୍ଟ୍ରିକାଲ ବିଭାଗ ୨-୧ ଗୋଲ୍ ରେ ବିଜୟ ହାସିଲ କରିଛି । ଏହି ଟୁର୍ନାମେଣ୍ଟରେ ସମସ୍ତ ବିଭାଗ ମଧ୍ୟରେ ମୋଟ ୧୧ ଟି ଲିଗ୍ ମ୍ୟାଚ୍ ଅନୁଷ୍ଠିତ ହେବ | ଫାଇନାଲ ମ୍ୟାଚ୍ ୨୧ଜୁଲାଇ ୨୦୨୩ ରେ ଅନୁଷ୍ଠିତ ହେବ | ସମସ୍ତ ଟୁର୍ନାମେଣ୍ଟ ଗୁଡ଼ିକ, କ୍ରୀଡ଼ା ସଚିବ ଏମ ଡି.ଜାକିରୁଦ୍ଦିନ ଏବଂ ଖୋର୍ଦ୍ଧାରୋଡ଼ କ୍ରୀଡ଼ା ସଙ୍ଗଠନର ସଦସ୍ୟ ମାନେ ସଂଯୋଜନା କରୁଛନ୍ତି।