୧ ଜୁଲାଇ ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) ହିଞ୍ଜିଳିକାଟୁ :- ସହରାଞ୍ଚଳରେ ବାସ କରୁଥିବା ଆର୍ଥୀକ ଅନଗ୍ରସର ଓ ଗରୀବ ଶ୍ରମିକଙ୍କ ଆର୍ଥୀକ ଅଭିବୃଦ୍ଧି ସକାଶେ ରାଜ୍ୟ ସରକାରଙ୍କ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ମୁଖ୍ୟମନ୍ତ୍ରୀ କମ ର୍ତତ୍ପର ଅଭିଯାନ (ମୁକ୍ତା) ଯୋଜନା କାର୍ଯ୍ୟକାରୀ କରାଯାଇଛି । ମିଶନଶକ୍ତି ମହିଳା ଗୋଷ୍ଠୀଙ୍କ ତତ୍ତ୍ୱାବଧାନରେ ସହରାଞ୍ଚଳ ଉନ୍ନୟନ ପ୍ରକଳ୍ପରେ ସାମିଲ ହୋଇଛି ମୁକ୍ତା । ଯୋଜନାର ସଫଳ ରୂପାୟନ ଓ କ୍ରିୟାଶୀଳ ଉଦ୍ଦେଶ୍ୟରେ ଶନିବାର ହିଞ୍ଜିଳିକାଟୁ ପୌର କାର୍ଯ୍ୟାଳୟ ପରିସରରେ ଦକ୍ଷତା ବିକାଶ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
ପୌର କାର୍ଯ୍ୟ ନିର୍ବାହୀ ଅଧିକାରୀ ଜୁବୁଲି ଚରଣ ବେହେରାଙ୍କ ସଂଯୋଜନାରେ ଆୟୋଜିତ କାର୍ଯ୍ୟକ୍ରମରେ ପୌରାଧ୍ୟକ୍ଷ ସୁବାଷ ଚନ୍ଦ୍ର ପୋଲାଇ, ଉପାଧ୍ୟକ୍ଷା ସୁଚିତ୍ରା ପଣ୍ଡା ଓ କାଉନସିଲର ବୃନ୍ଦ ସମେତ ୫୩ଟି ସ୍ୱଂୟ ସହାୟିକା ଗୋଷ୍ଠୀର ମହିଳା ମାନେ ଯୋଗ ଦେଇଥିଲେ । ରାଜ୍ୟ ସହରାଞ୍ଚଳ ଉନ୍ନୟନ ସଂସ୍ଥାର ମୁଖ୍ୟ ପ୍ରଶିକ୍ଷକ ପ୍ରସନ୍ନ କୁମାର ମହାରଣା ଓ ମିଶନ ଶକ୍ତି ପରିଚାଳକ ପବିତ୍ର କୁମାର ନାୟକ ଯୋଗଦେଇ ମୁକ୍ତା ଯୋଜନାରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ପ୍ରକଳ୍ପ ଓ ନୀତିନିୟମ, ଆବଶ୍ୟକୀୟ କାଗଜପତ୍ର, ବ୍ୟାଙ୍କଋଣ ସମ୍ବନ୍ଧୀୟ ଅନୁପାଳନ, ଶ୍ରମିକ ମଜୁରୀ,କାମ ଚିହ୍ନଟ ଆଦି ଦକ୍ଷତା ବିଷୟରେ ବିସ୍ତୃତ ଭାବେ ତାଲିମ ପ୍ରଦାନ କରିଥିଲେ ।
ଚଳିତ ବର୍ଷ ମୁକ୍ତା ଯୋଜନାରେ ୫୨ଟି ଉନ୍ନୟନ ପ୍ରକଳ୍ପ ସକାଶେ ୨ କୋଟି ୯୬ ଲକ୍ଷ ବ୍ୟୟବରାଦ କରାଯାଇଛି । ସଂପୃକ୍ତ ଆର୍ଥୀକ ଅନୁଦାନରେ ବର୍ଷାଜଳ ସଂରକ୍ଷଣ, ଚଲାପଥ, ପାର୍କ, ମୁକ୍ତାକାଶ ଜିମ୍ ଓ ଭେଂଣ୍ଡି ଜୋନ ଆଦି ଉନ୍ନୟନ କାମ ସାମିଲ ରହିଛି । ଅନ୍ୟ ମାନଙ୍କ ମଧ୍ୟରେ ମୁକ୍ତା କନିଷ୍ଠ ଯନ୍ତ୍ରୀ ସୁନିଲ ନାହାକ, ପ୍ରକଳ୍ପ ସଂଯୋଜକ ମାନସ ଦିଗାଲ, ସ୍ୱପ୍ନାରାଣୀ ତ୍ରିପାଠୀ, ଏସଏଚଜି ସଭାନେତ୍ରୀ, ସମ୍ପାଦିକା ପ୍ରମୁଖ ଉପସ୍ଥିତ ଥିଲେ । ପ୍ରକାଶ ଥାଉକି, ମୁକ୍ତା-୧ ଯୋଜନାରେ ପୂର୍ବରୁ ୩କୋଟି ୧୪ ଲକ୍ଷ ଟଙ୍କାର ବ୍ୟୟ ଅଟକଳରେ ୪୦ଟି ପ୍ରକଳ୍ପ କାର୍ଯ୍ୟକାରୀ କରାଯାଇଥିଲା ।