୨୬ ଜୁନ୍ ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) ହିଞ୍ଜିଳିକାଟୁ :- ସାରା ବିଶ୍ୱରେ ନିଶାର ଅପବ୍ୟବହାର ଏବଂ ଅବାଧ କାରବାରର ଭୟଙ୍କର ପ୍ରଭାବ ବିଷୟରେ ଆବଶ୍ୟକ ସଚେତନତା ସୃଷ୍ଟି କରିବାକୁ ଜୁନ ୨୬ ତାରିଖକୁ ଆନ୍ତର୍ଜାତୀୟ ନିଶାଦ୍ରବ୍ୟ ଚୋରା ଚାଲାଣ ଓ ସେବନ ନିଷେଧ ଦିବସ ରୂପେ ପାଳନ କରାଯାଉଛି । ଏହି ପରିପ୍ରେକ୍ଷୀରେ ଗଞ୍ଜାମ ଜିଲ୍ଲା ପ୍ରଶାସନ ଆନୁକୂଲ୍ୟରେ ସ୍ଥାନୀୟ ହିଞ୍ଜିଳିକାଟୁ ଅବକାରୀ ଥାନା ପକ୍ଷରୁ ସୋମବାର ଅବକାରୀ ନିରୀକ୍ଷକ ସୁମିତ୍ରା ବିଶିଙ୍କ ନେତୃତ୍ୱରେ ଆନ୍ତର୍ଜାତୀୟ ନିଶା ଦ୍ରବ୍ୟ ଚୋର ଚାଲାଣ ଓ ସେବନ ନିଷେଧ ଦିବସ ପାଳନ ଓ ସଚେତନତା ସୃଷ୍ଟି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
ସ୍ଥାନୀୟ ତହସିଲ କାର୍ଯ୍ୟାଳୟ,ପଞ୍ଚାୟତ ସମିତି କାର୍ଯ୍ୟାଳୟ ଓ ନୂତନ ବସ ଟର୍ମିନାଲ ସମେତ ବିଭିନ୍ନ ଜନଗହଳି ପୂର୍ଣ ସ୍ଥାନ ଗୁଡିକରେ ନିଶାକୁ ନାଁ ପ୍ରାଚୀର ପତ୍ର ଲଗାଇବା ସହ ପ୍ଲାକାର୍ଡ ପ୍ରଦର୍ଶନ କରି ନିଶା ନିବାରଣ ଉଦ୍ଦେଶ୍ୟରେ ଜନ ସଚେତନତା ସୃଷ୍ଟି କରିଥିଲେ । ମୁଖ୍ୟତଃ ନିଶାର ଅପବ୍ୟବହାର ଏବଂ ଅବାଧ କାରବାର ସମ୍ପ୍ରତି ବିଶ୍ଵବ୍ୟାପୀ ବ୍ୟକ୍ତି ବିଶେଷ,ପରିବାର ଏବଂ ସମ୍ପ୍ରଦାୟ ପାଇଁ ଏକ ବଡ଼ ବିପଦ ସୃଷ୍ଟି କରିଛି । ନିଶା ସେବନର ପରିଣାମ ସୁଦୂରପ୍ରସାରୀ, ସ୍ୱାସ୍ଥ୍ୟ ଅବନତି, ସମ୍ପର୍କ ଭାଙ୍ଗିବା ଏବଂ ଉତ୍ପାଦକତା ହରାଇବାରେ ପ୍ରମୁଖ କାରଣ ପାଲଟିଛି ।
ଏଣୁ ଚଳିତ ବର୍ଷର ବିଷୟବସ୍ତୁ ହେଉଛି ଲୋକମାନେ ପ୍ରଥମେ କଳଙ୍କ ଓ ଭେଦଭାବ ବନ୍ଦ କରନ୍ତୁ ଏବଂ ପ୍ରତିରୋଧ କୁ ସୁଦୃଢ କରନ୍ତୁ । ଏଥି ସହିତ ଭାଷା ତଥା ମନୋଭାବକୁ ପ୍ରୋତ୍ସାହିତ କରି ଡ୍ରଗ୍ସ ବ୍ୟବହାର କରୁଥିବା ଲୋକଙ୍କ ପ୍ରତି ଭେଦଭାବ ତଥା ଭେଦଭାବକୁ ମୁକାବିଲା କରିବାକୁ ଲକ୍ଷ୍ୟ ରଖିଛି ବୋଲି ଅବକାରୀ ଅଧିକାରୀ ଅବଗତ କରାଇଥିଲେ । ସଚେତନତା ସୃଷ୍ଟି କାର୍ଯ୍ୟକ୍ରମରେ ଅବକାରୀ ଉପ ସହନିରୀକ୍ଷକ ସୁଶାନ୍ତ କୁମାର ବେହେରାଙ୍କ ସମେତ କନେଷ୍ଟବଳ ଲଟେଶ୍ୱର ପ୍ରଧାନ,ଜି.ଭୀମା ରାଓ ଓ ଶଶାଙ୍କ ଶେଖର ସାହୁ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ ।