ଉପସ୍ଥିତ ସେବାୟତ ଓ ଶ୍ରଦ୍ଧାଳୁମାନଙ୍କ ଦ୍ୱାରା ଶଙ୍ଖ, ଘଣ୍ଟ, କରତାଳ, ମର୍ଦଳ, ଝାଞ୍ଜ ଓ ମୃଦଙ୍ଗ ବାଜଣାର ଗହଗହ ନାଦ ତଥା ହରିବୋଲ, ହୁଳହୁଳି ଓ ଜୟ ଜଗନ୍ନାଥ ଧ୍ୱନିରେ ସମଗ୍ର ଗଗନ ପବନ ପ୍ରକମ୍ପିତ ହେବାର ଦୃଶ୍ୟ ଖୁବ୍ ମର୍ମସ୍ପର୍ଶୀ ଥିଲା। ମନ୍ଦିର ପରିଚାଳନା କମିଟିର ସଭାପତି ତଥା ବିଶିଷ୍ଟ ସମାଜସେବୀ ଜୀତେନ୍ଦ୍ର କୁମାର ନାୟକ ପାରମ୍ପରିକ ଛେରା ପହଁରା କାର୍ଯ୍ୟ ସମ୍ପନ୍ନ କରିଥିଲେ। ସନ୍ଧ୍ୟା ୫ଟା ସମୟରେ ରଥ ଟଣା ଆରମ୍ଭ ହୋଇଥିଲା। ଏଠାରେ ଓଡ଼ିଆ ଓ ଅଣଓଡ଼ିଆ ପ୍ରାୟ ଚାରି ହଜାର ଦର୍ଶକଙ୍କର ସମାଗମ ଘଟିଥିବା ଦେଖାଯାଇଥିଲା। ଭକ୍ତମାନେ ରଥଟିକୁ ଟାଣି ଟାଣି ୫ କିଲୋମିଟର ଦୂରବର୍ତ୍ତୀ ‘ଲସନ୍ସ ବେ’ କଲୋନୀ ଠାରେ ଥିବା ମାଉସିମା’ ମନ୍ଦିରକୁ ନେଇଥିଲେ ।
ରାସ୍ତାର ଦୁଇ ପାର୍ଶ୍ଵରେ ମହଜୁଦ ଦର୍ଶକ ମାନେ ରଥ ଉପରେ ଚତୁର୍ଦ୍ଧାମୂର୍ତ୍ତିଙ୍କର ଦିବ୍ୟ ଦର୍ଶନ ଲାଭ କରି କୃତକୃତ୍ୟ ମାନେ କରୁଥିବା ଏବଂ ଭକ୍ତି ଭାବ ଦ୍ଵାରା ଅଭିଭୂତ ହେଉଥିବାର ଦୃଶ୍ୟ ବେଶ୍ ହୃଦୟସ୍ପର୍ଶୀ ଥିଲା। ଚଳିତ ବର୍ଷ ରଥ ଶୋଭାଯାତ୍ରାର ସ୍ବତନ୍ତ୍ର ଆକର୍ଷଣ ବ୍ରହ୍ମପୁରରୁ ଆସିଥିବା ଯୋଡ଼ି ଶଙ୍ଖ ବାଜାଳି ତଥା ଓଡ଼ିଶାରୁ ସ୍ବତନ୍ତ୍ର ଭାବେ ନିମନ୍ତ୍ରିତ ହୋଇଥିବା ସଂକୀର୍ତ୍ତନ ମଣ୍ଡଳୀ ମାନଙ୍କର ଅନନ୍ୟ କଳା ଚାତୁର୍ଯ୍ୟ ଓ ସୃଜନଶୀଳ ପାରଦର୍ଶିତାର ଭବ୍ୟ ପ୍ରଦର୍ଶନ ଥିଲା। ସନ୍ଧ୍ୟା ୭ଟା ସୁଦ୍ଧା ଜୀଉମାନଙ୍କୁ ରଥରୁ ପୁଣି ପହଣ୍ଡି କରି ନିଆଯାଇ ଗୁଣ୍ଡିଚା ମନ୍ଦିରସ୍ଥିତ ସିଂହାସନରେ ବିରାଜମାନ କରାଯାଇଥିଲା। ଆସନ୍ତା ୨୮ ତାରିଖ ବାହୁଡ଼ା ଯାତ୍ରା ପର୍ଯ୍ୟନ୍ତ ଠାକୁରମାନେ ଗୁଣ୍ଡିଚା ମନ୍ଦିରରେ ଭକ୍ତମାନଙ୍କୁ ଦର୍ଶନ ଦେବେ ବୋଲି ଜଣାଯାଇଛି। ଚଳିତବର୍ଷ ଘୋଷଯାତ୍ରାର ଆୟୋଜନରେ ସ୍ଥାନୀୟ ମାରୱାଡ଼ି ଯୁବ ମଞ୍ଚ ଓ ପଞ୍ଜାବ ସଂଘ ସକ୍ରୀୟ ସହଯୋଗ କରିଥିବା ପ୍ରାପ୍ତ ସୂଚନାରୁ ପ୍ରକାଶ। ସମଗ୍ର ଆୟୋଜନକୁ ସୁଚାରୁ ରୂପେ ସମ୍ପାଦନା କରିବାରେ ମନ୍ଦିର ପରିଚାଳନା କମିଟିର ସଭାପତି ଜିତେନ୍ଦ୍ର କୁମାର ନାୟକ, ସାଧାରଣ ସମ୍ପାଦକ ବିମଳ କୁମାର ମହନ୍ତ, ଉପ-ସଭାପତି ଡଃ କରୁଣାକର ପାଢ଼ୀ ତଥା ସଦସ୍ୟ ବିଜୟ ମହାପାତ୍ର ଓ ରାଜେନ୍ଦ୍ର ପ୍ରସାଦ ସାହୁ ପ୍ରମୁଖ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ ।

© 2023 Odisha Taza News.