ହୋମକୁଣ୍ଡରେ ପୂର୍ଣ୍ଣାହୁତି ଦିଆଯିବା ସମୟରେ ମୁଖ୍ୟଅତିଥି ଛତିଶଗଡ଼ର ରାଜ୍ୟପାଳ ବିଶ୍ବଭୂଷଣ ହରିଚନ୍ଦନ ଏବଂ ସମ୍ମାନିତ ଅତିଥି ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ ଓ ଅନ୍ୟାନ୍ୟ ବରେଣ୍ୟ ଅତିଥି ଯଥା ବିଧାନସଭାର ବାଚ୍ଚସ୍ପତି ଚରଣ ଦାସ ମହନ୍ତ, ରାଜ୍ୟସରକାରଙ୍କର ମନ୍ତ୍ରୀ କୱାସି ଲାଖମା, ସାଂସଦ ଜ୍ୟୋତ୍ସ୍ନା ମହନ୍ତ, ବିଧାୟକ ବିକାଶ ଉପାଧ୍ୟାୟ, ପୂର୍ବତନ ବାଚସ୍ପତି ଗୌରୀ ଶଙ୍କର ଅଗ୍ରୱାଲ, ରାୟପୁରର ମେୟର ଏଜାଜ ଦେବର, ଦକ୍ଷିଣ ରାୟପୁରର ବିଧାୟକ ବ୍ରଜମୋହନ ଅଗ୍ରୱାଲ ଓ ଉତ୍ତର ରାୟପୁରର ବିଧାୟକ କୁଲଦୀପ ଜୁନେଜା ପ୍ରମୁଖ ଉପସ୍ଥିତ ଥିଲେ। ଦ୍ଵିପ୍ରହର ୧୨ଟା ୪୫ ମିନିଟ ସମୟରେ ମନ୍ଦିର ସାମ୍ନାର ବଡ଼ ଦାଣ୍ଡରେ ଦଣ୍ଡାୟମାନ ତିନୋଟି ରଙ୍ଗାରଙ୍ଗ ରଥ ଉପରକୁ ଠାକୁର ମାନଙ୍କର ପହଣ୍ଡି ବିଜେ ଆରମ୍ଭ ହୋଇଥିଲା। ପ୍ରଥମେ ପ୍ରଭୁ ସୁଦର୍ଶନ, ତା ପରେ ବଡ଼ଭାଇ ବଳଭଦ୍ର, ପରେ ପରେ ଦେବୀ ସୁଭଦ୍ରା ଓ ସବାଶେଷରେ ଜଗତର ନାଥ ଶ୍ରୀ ଜଗନ୍ନାଥଙ୍କୁ ସାହିରୋଷଣୀ କରାଯାଇ ସେମାନଙ୍କ ପାଇଁ ଉଦ୍ଦିଷ୍ଟ ରଥ ଉପରକୁ ନିଆଯାଇଥିଲା। ଏଠାରେ ମୂଖ୍ୟମନ୍ତ୍ରୀ ଶ୍ରୀ ବାଘେଲ ଦାରୁ ବିଗ୍ରହକୁ ନିଜ ମୁଣ୍ଡରେ ବହନ କରି ରଥ ନିକଟକୁ ନେଇଯାଇଥିଲେ।
ଶ୍ରୀ ବାଘେଲ ଓ ରାଜ୍ୟପାଳ ଶ୍ରୀ ହରିଚନ୍ଦନ ତିନି ରଥ ସାମ୍ନାରେ ଛେରା ପହଁରା କରିବା ପରେ ଅନ୍ୟ ଅତିଥି ମାନଙ୍କ ସହିତ ରଥ ଉପରେ ଶ୍ରୀ ଜୀଉ ମାନଙ୍କର ଆରତୀ କରିଥିଲେ। ମହାପ୍ରଭୁ ଶ୍ରୀ ଜଗନ୍ନାଥ ଛତିଶଗଡ଼ବାସୀଙ୍କର ମଧ୍ୟ ଆରାଧ୍ୟ ଦେବତା ବୋଲି କହି ମୁଖ୍ୟମନ୍ତ୍ରୀ ଶ୍ରୀ ବାଘେଲ ବଡ଼ ଠାକୁରଙ୍କ ନିକଟରେ ପ୍ରଦେଶବାସୀଙ୍କର ସୁଖ ସମୃଦ୍ଧି ପାଇଁ ପ୍ରାର୍ଥନା କରିଥିଲେ। ଉପସ୍ଥିତ ସେବାୟତ ଓ ଦର୍ଶକ ମାନଙ୍କ ଦ୍ଵାରା ଶଙ୍ଖ, ଘଣ୍ଟ, କରତାଲ, ମର୍ଦ୍ଦଳ, ଝାଞ୍ଜ ଓ ମୃଦଙ୍ଗ ବାଜଣାର ଗହ ଗହ ନାଦ ତଥା ହରିବୋଲ, ହୁଳହୁଳି ଓ ଜୟ ଜଗନ୍ନାଥ ଧ୍ବନିରେ ସମଗ୍ର ଗଗନ ପବନ ପ୍ରକମ୍ପିତ ହେବାର ଦୃଶ୍ୟ ଖୁବ ମର୍ମସ୍ପର୍ଶୀ ଥିଲା। ମନ୍ଦିର ପରିଚାଳନା କମିଟି ଶ୍ରୀ ଜଗନ୍ନାଥ ମନ୍ଦିର ସେବା ସମିତିର ପ୍ରତିଷ୍ଠାତା ସଭାପତି ପୁରନ୍ଦର ମିଶ୍ରଙ୍କର ତତ୍ତ୍ଵାବଧାନରେ ସ୍ୱେଚ୍ଛାସେବକ ମାନଙ୍କ ଦ୍ଵାରା ଭାରି ଭିଡ଼କୁ ନିୟନ୍ତ୍ରଣ, ଶାନ୍ତିଶୃଙ୍ଖଳା ରକ୍ଷା ଏବଂ ବ୍ୟାପକ ମାତ୍ରାରେ ପ୍ରସାଦ ବିତରଣର ବ୍ୟବସ୍ଥା କରାଯାଇଥିଲା ।
ଅପରାହ୍ନ ୩ଟା ସମୟରେ ତିନି ରଥର ଟଣା ପ୍ରକ୍ରିୟା ଆରମ୍ଭ ହୋଇଥିଲା। ସୁନ୍ଦର, ସୁଶୋଭିତ ରଥ ଗୁଡ଼ିକୁ ଗାୟତ୍ରୀ ନଗରରୁ ଟଣାଯାଇ ଏକ କିଲୋମିଟର ଦୂରବର୍ତ୍ତି ବି.ଟି.ଆଇ ମଇଦାନ କୁ ନିଆଯାଇ, ସେଠାରୁ ଶଙ୍କର ନଗର ରାସ୍ତା ଦେଇ ପୁଣି ମନ୍ଦିର ବେଢାକୁ ଫେରାଇ ଅଣାଯାଇଥିଲା। ରାସ୍ତାର ଦୁଇ ପାର୍ଶ୍ଵରେ ମହଜୁଦ ଭକ୍ତମାନେ ନନ୍ଦିଘୋଷ ରଥ ଉପରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ଦିବ୍ୟ ଦର୍ଶନ ଲାଭ କରି କୃତକୃତ୍ୟ ଏବଂ ଭାବବିହ୍ଵଳିତ ହେଉଥିବା ଲକ୍ଷ୍ୟ କରାଯାଇଥିଲା। ସନ୍ଧ୍ୟା ସାଢ଼େ ୬ ଟା ସମୟରେ ଠାକୁର ମାନଙ୍କୁ ତିନି ରଥ ଉପରୁ ପୁଣି ପହଣ୍ଡି କରି ନିଆଯାଇ ମନ୍ଦିର ବେସମେଣ୍ଟରେ ଥିବା ମାଉସୀମା ଘରର ସ୍ବତନ୍ତ୍ର ସିଂହାସନରେ ଆସୀନ କରାଯାଇଥିଲା। ଏଠାରେ ଦିଅଁ ମାନେ ଆସନ୍ତା ୨୮ ତାରିଖର ବାହୁଡା଼ ଯାତ୍ରା ପର୍ଯ୍ୟନ୍ତ ବିରାଜମାନ ରହି ସର୍ବସାଧରଣଙ୍କୁ ଦର୍ଶନ ଦେବେ ବୋଲି ଜଣାଯାଇଛି। ସମଗ୍ର ଅଯୋଜନକୁ ସୁଚାରୁରୂପେ ସମ୍ପନ୍ନ କରିବାରେ ମନ୍ଦିର ପରିଚାଳନା କମିଟିର ସଂରକ୍ଷକ ସଦସ୍ୟଗଣ ଯଥା ପୁରନ୍ଦର ମିଶ୍ର, ମନ୍ମଥ କୁମାର ରାଉତ, ସୁବ୍ରତ ସାହୁ, ସୁବାସ ଅଗ୍ରୱାଲ, ଗୋପାଳ ଅଗ୍ରୱାଲ, ଦ୍ୱାରିକାଧୀଶ ମିଶ୍ର, ରମେଶ କୁମାର ଅଗ୍ରୱାଲ ଓ ପ୍ରକାଶ ଦାସ ପ୍ରମୁଖ ମୁଖ୍ୟ ଭୂମିକା ନିର୍ବାହ କରିଥିଲେ।
© 2023 Odisha Taza News.