୧୯ଜୁନ୍ ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର :- ଦେଶର ବାଣିଜି୍ୟକ ରାଜଧାନୀ ମୁମ୍ବାଇଠାରେ ଜୁନ୍ ୧୪ରୁ ୧୮ ତାରିଖ ପର୍ଯ୍ୟନ୍ତ ଜାତୀୟ ବିଧାୟକ ସମ୍ମିଳନୀ (ନ୍ୟାସ୍ନାଲ୍ ଲେଜିସ୍ଲେଟରସ୍ କନ୍ଫରେନ୍ସ) ଅନୁଷ୍ଠିତ ହୋଇଯାଇଛି । ଓଡ଼ିଶା ବିଧାନସଭା ପକ୍ଷରୁ ମାନ୍ୟବର କାର୍ଯ୍ୟକାରୀ ବାଚସ୍ପତି ଶ୍ରୀ ରଜନୀକାନ୍ତ ସିଂହଙ୍କ ନେତୃତ୍ୱରେ ପ୍ରାୟ ୨୦ ଜଣ ବିଧାୟକ,
ବିଧାନସଭାର ସଚିବ ଶ୍ରୀ ଦାଶରଥୀ ଶତପଥୀ ଏବଂ ବିଧାନସଭାର ଯୁଗ୍ମ ନିର୍ଦ୍ଦେଶକ ଶ୍ରୀ ଶିବପ୍ରସାଦ ପଟ୍ଟନାୟକ ଏହି ସମ୍ମିଳନୀରେ ଯୋଗ ଦେଇଥିଲେ । କାର୍ଯ୍ୟକାରୀ ବାଚସ୍ପତି ଶ୍ରୀ ସିଂହ ସମ୍ମିଳନୀରେ ‘ଗୁଡ଼୍ ଗଭର୍ଣ୍ଣାନ୍ସ ଥ୍ରୁ ନନ୍-ପାର୍ଟିସନ୍ ପଲିଟିକ୍ସ’ ଉପରେ ବକ୍ତବ୍ୟ ରଖିଥିବାବେଳେ ବିଧାନସଭା ସଚିବ ଶ୍ରୀ ଶତପଥୀ ‘ଫଙ୍କସନ୍ ଅଫ୍ ଲେଜିସ୍ଲେଟର ଚଲେଞ୍ଜେସ୍ ଆଣ୍ଡ ରୋଡସ୍ ଆହେଡ୍’
ଶୀର୍ଷକ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଏମ୍.ଆଇ.ଟି ୱାର୍ଲଡ୍ ପିସ୍ ୟୁନିଭରସିଟି, ପୁନାର ସହଯୋଗରେ ଅନୁଷ୍ଠିତ ଏହି ସମ୍ମିଳନୀକୁ ଲୋକସଭାର ମାନ୍ୟବର ବାଚସ୍ପତି ଶ୍ରୀ ଓମ୍ ବିର୍ଲା ଉଦ୍ଘାଟନ କରିଥିଲେ । ଲୋକସଭାର ପୂର୍ବତନ ବାଚସ୍ପତି ମୀରାକୁମାର,
ଶିବରାଜ ପାଟିଲ ଏବଂ ସୁମିତ୍ରା ମହାଜନ ପ୍ରମୁଖ ସେମାନଙ୍କ ଅଭିଜ୍ଞତା ବର୍ଣ୍ଣନା କରିବା ସହ ଉପସ୍ଥିତ ପ୍ରତିନିଧିମାନଙ୍କୁ ବିଭିନ୍ନ ବିଷୟରେ ଉଦ୍ବୋଧନ ଦେଇଥିଲେ । ସମସ୍ତ ରାଜ୍ୟ ବିଧାନସଭାର ବାଚସ୍ପତି, ଉପବାଚସ୍ପତି, ବିଧାୟକ ଏବଂ ସଚିବମାନେ ଏହି ସମ୍ମିଳନୀରେ ଯୋଗଦେଇଥିଲେ ।

© 2023 Odisha Taza News.